ପ୍ୟାରିସ ବିଶ୍ବ ପୁସ୍ତକ ମେଳାରେ ଅତିଥି ରାଷ୍ଟ୍ର ଭାବେ ଭାରତର ଯୋଗଦାନ, ଓଡ଼ିଶାରୁ ଗୌରହରି ଦାସ

ପ୍ରତିନିଧି ଦଳ‌ରେ ବିଭିନ୍ନ ଭାଷାରୁ ୨୦ ଲେଖକ

ଭୁବନେଶ୍ବର: ୨୦୧୯ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସ୍ବାକ୍ଷରିତ ରାଜିନାମାର ଏକ ଅଂଶ ଭାବେ ଆସନ୍ତା ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ୟାରିସର ବିଶ୍ବ ପୁସ୍ତକ ମେଳାରେ ସମ୍ମାନିତ ଅତିଥି ରାଷ୍ଟ୍ରଭାବେ ଭାରତ ଯୋଗ ଦେଉଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଭିନ୍ନ ଭାରତୀୟ ଭାଷାରୁ ୨୦ଜଣ ଲେଖକ ଲେଖିକା ଆଜି ପ୍ୟାରିସ ଗସ୍ତ କରିଛନ୍ତି। ଓଡ଼ିଶାରୁ ଏହି ଲେଖକ ପ୍ରତିନିଧି ଦଳରେ ବିଶିଷ୍ଟ କଥାକାର ଏବଂ ‘ସମ୍ବାଦ’ର ଫିଚର୍‌ ସଂପାଦକ ଡ. ଗୌରହରି ଦାସ ଭାଗ ନେଇଛନ୍ତି।

ଭାରତର ଅନ୍ୟ ପ୍ରସିଦ୍ଧ ଲେଖକଲେଖିକାଙ୍କ ଭିତରେ ଅଛନ୍ତି ସୁଧା ମୂର୍ତ୍ତି, ଅଳକା ସାରୋଅଗି, ବିକ୍ରମ ସମ୍ପଥ, ଇ.ଏନ୍ ନନ୍ଦକୁମାର, ଆନନ୍ଦ ନୀଲକାନ୍ତନ, ହନିଫ କ୍ୟୁରେସି ଏବଂ ବିଜୟ କୁମାର ସିଂହ ପ୍ରମୁଖ। ଭାରତରୁ ଯାଇଥିବା ଲେଖକମାନଙ୍କ ସହ ରାଜସ୍ଥାନର ଲୋକନୃତ୍ୟ ଦଳ ମଧ୍ୟ ଏହି ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ଭାଷାର ୬୫ପ୍ରକାଶକଙ୍କ ଦ୍ବାରା ପ୍ରକାଶିତ ୪୦୦ରୁ ଊର୍ଦ୍ଧ୍ବ ପୁସ୍ତକ ପ୍ରଦର୍ଶିତ ହେବ। ଉଦ୍‌ଘାଟନ ଉତ୍ସବରେ ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଜାଭେଦ ଅସରଫ ଏହି କାର୍ଯ୍ୟକ୍ରମର ମୁଖ୍ୟ ବ୍ୟବସ୍ଥାପକ ସଂସ୍ଥା ନ୍ୟାସନାଲ ବୁକ୍‌ ଟ୍ରଷ୍ଟର ଅଧ୍ୟକ୍ଷ ଗୋବିନ୍ଦ ପ୍ରସାଦ ଶର୍ମା ଓ ନିର୍ଦ୍ଦେଶକ ଯୁବରାଜ ମଲ୍ଲିକଙ୍କ ସହ ବହୁ ବିଶିଷ୍ଟବ୍ୟକ୍ତି ଯୋଗଦେବେ। କୋଭିଡ୍ ପରବର୍ତ୍ତୀ ପୃଥିବୀର ସ୍ବାସ୍ଥ୍ୟ ଓ ଆୟୁର୍ବେଦ ସମ୍ପର୍କ‌ରେ ପତଞ୍ଜଳି ଯୋଗାଶ୍ରମର ଆଚାର୍ଯ୍ୟ ବାଲକ୍ରିଷ୍ଣ ଏବଂ ଫ୍ରାନ୍ସରେ ଅବସ୍ଥାପିତ ପରିବେଶ ବିଶେଷଜ୍ଞମାନେ ଯୋଗଦେବେ।

ଏହି ଅବସରରେ ଭାରତୀୟ ଭାଷାରୁ ଫରାସୀ ଓ ଫରାସୀ ଭାଷାରୁ ଭାରତୀୟ ଭାଷାକୁ ଅନୁବାଦ ସହ କିଶୋର ସାହିତ୍ୟ, ସାମାଜିକ ଗଣମାଧ୍ୟମର ଭୂମିକା, ମାହାତ୍ମା ଗାନ୍ଧୀ ଏବଂ ରବୀନ୍ଦ୍ରନାଥ ଟାଗୋରଙ୍କ ସାହିତ୍ୟ ଉପରେ ସ୍ବତନ୍ତ୍ର ଆଲୋଚନାମାନ ହେବ। ଏହି ପ୍ରତିନିଧି ଦଳ ୨୬ତାରିଖରେ ଭାରତ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଏନ୍‌ବିଟି ଯୁଗ୍ମ ନିର୍ଦ୍ଦେଶକ ଅମିତ କୁମାର ସିଂହ ଓ ପ୍ୟାରିସ ପୁସ୍ତକ ପ୍ରଦର୍ଶନୀ ଦାୟିତ୍ବରେ ଥିବା ଅଧିକାରୀ କୁମାର ବିକ୍ରମ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର