ପ୍ରେମିକାକୁ କର୍କଟ ରୋଗ ହେଇଥିବା ଜାଣି ପ୍ରେମିକ କଲା ଏଭଳି ଆଶ୍ଚର୍ଯ୍ୟ କଲା ଭଳି କାମ

ନୂଆଦିଲ୍ଲୀ: ଆପଣ ପ୍ରେମକୁ ନେଇ ବର୍ଣ୍ଣିତ ବିଭିନ୍ନ କାହାଣୀ ବା ଘଟିଥିବା ଘଟଣା ଭିନ୍ନଭିନ୍ନ ମାଧ୍ୟମରେ ଦେଖିଥିବେ ବା ଶୁଣିଥିବେ । ଏବେ ବି ସମୟର ଚକ ଯେତିକି ଯେତିକି ବୁଲୁଛି ପ୍ରେମକୁ ନେଇ ସେତିକି ସେତିକି ନୂଆନୂଆ ରୋମାଞ୍ଚ ଭରା କଥା ସାମ୍ନାକୁ ଆସୁଛି । ଆଜି ଆମେ ସେମିତି ଏକ ଘଟଣା ବିଷୟରେ ଆପଣଙ୍କୁ କହିବୁ। ଜଣେ ପ୍ରେମିକ ନିଜର ପ୍ରେମିକା ପାଇଁ କରିଥିବା କାମ ଏବେ ଚର୍ଚ୍ଚାରେ ରହିଛି। ବ୍ରିଟେନର ଏହି ଚର୍ଚ୍ଚିତ ପ୍ରେମୀଯୁଗଳଙ୍କ କାହାଣୀ ଯିଏ ଶୁଣୁଛି, ସିଏ ପ୍ରେମର ପ୍ରକୃତ ମାନେ କ’ଣ ତାହା ହୃଦବୋଧ କରିପାରୁଛି ।

ପ୍ରେମିକା କର୍କଟ ରୋଗର ଶିକାର ହୋଇଥିବା ଜାଣିବା ପରେ ତା’ର ହାତ ନଛାଡ଼ି ପ୍ରେମିକ ବିବାହ କରିବାକୁ ନିଷ୍ପତ୍ତିି ନେଇଥିଲା। ପ୍ରେମିକର ଏହି ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ମାତ୍ର ୯ଦିନ ମଧ୍ୟରେ ବିବାହର ଆୟୋଜନ କରିଥିଲେ ପ୍ରେମିକ। ସବୁଠାରୁ ବଡ଼କଥା ହେଉଛି ସେମାନେ ପରସ୍ପର ସହ ୩୩ ବର୍ଷ ରହିବା ପରେ ଦୁହେଁ ବିବାହ କରିଛନ୍ତି । ପୂର୍ବରୁ ବିବାହ କରିବା ପାଇଁ ଦୁହିଁଙ୍କୁ ସମୟ ମିଳିନଥିଲା। ହେଲେ ଦୁହେଁ ସାଥୀରେ ରହିଥିଲେ। ମହିଳାଙ୍କ ନାଁ ମାଇରି ମେକଫେଲ ହୋଇଥିବା ବେଳେ ପ୍ରେମିକଙ୍କ ନାଁ ଡେଭିଡ କିଟଲେ ବୋଲି ଜଣାପଡ଼ିଛି। ବିବାହ ବେଳକୁ ମାଇରିଙ୍କୁ ୬୬ବର୍ଷ ଓ କିଟଲେଙ୍କୁ ୬୫ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି।

ଦୁହିଁଙ୍କ ବିବାହ ଆସନ୍ତା ମେ’ ୧୫ରେ ହେବାର ଥିଲା। ହେଲେ ମାଇରୀଙ୍କ ରୋଗ ବିଷୟରେ ଜାଣିବା ପରେ କିଟଲେ ତୁରନ୍ତ ବିବାହ କରିବାକୁ ମନସ୍ଥ କଲେ। ଏବେ ଦୁହିଁଙ୍କ ବିବାହ ସରିଥିବା ବେଳେ ଦୁହିଁଙ୍କ କାହାଣୀ ଅନେକଙ୍କୁ ଅନୁପ୍ରାଣିତ କରିବ ବୋଲି ସୋସିଆଲ ମିଡିଆରେ ଲୋକେ କହିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର