ମାର୍କେଟ୍ ୟାର୍ଡ ଖୋଲିବା ତାରିଖ ୧୩କୁ ଘୁଞ୍ଚିଲା, ରାଜ୍ୟସ୍ତରରେ ମିଲ୍‌ ଟ୍ୟାଗିଂ ନେଇ ଆଶଂକାରେ ଚାଷୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ରବି (ଡାଳୁଅ) ଧାନ ସଂଗ୍ରହ ପାଇଁ ମାର୍କେଟ୍ ୟାର୍ଡ ଖୋଲିବା ତାରିଖ ମେ’ ୯ରୁ ୧୩କୁ ଘୁଞ୍ଚା ଯାଇଛି। ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି (ଡିଏଲ୍‌ପିସି) ବୈଠକରେ ରାଜ୍ୟର ସର୍ବ ପ୍ରଥମ ଜିଲ୍ଲାଭାବେ ମେ’ ୯ରେ ମଣ୍ଡି ଖୋଲିବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ଏହାକୁ ୪ ଦିନ ଘୁଞ୍ଚା ଯାଇଥିବା ଜଣା ପଡ଼ିଛି। ୧୩ ତାରିଖ ଖୋଲିଲେ ବି ସମ୍ବଲପୁର ମଣ୍ଡି ଖୋଲିବାରେ ରାଜ୍ୟରେ ପ୍ରଥମ ହେବ। କିନ୍ତୁ ୧୩ ତାରିଖରେ ଖୋଲିବ କି ପୁଣି ଘୁଞ୍ଚିବ ତାହା ବି ଅନିଶ୍ଚିତ। କାରଣ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରି‌ଲିଫ୍ କମିସନର୍‌ଙ୍କ ପରାମର୍ଶ ଅନୁସାରେ ମଣ୍ଡି ଖୋଲିବାକୁ ସମୟକୁ ସାମାନ୍ୟ ବିଳମ୍ବିତ କରାଯାଇଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ (ସିଏସ୍‌ଓ) କହିଛନ୍ତି।

୧୩ ତାରିଖ ବେଳକୁ ସ୍ଥିତିରେ ସାମାନ୍ୟ ସୁଧାର ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଓ ସେଥି ପାଇଁ ସରକାରଙ୍କ ନିର୍ଦ୍ଦେଶରେ ମଣ୍ଡି ଖୋଲିବା ତାରିଖ ଘୁଞ୍ଚିଛି ବୋଲି ସେ କହିଛନ୍ତି। ହେଲେ ରବି ଧାନ କିଣାବିକା ସବୁବେଳେ ମେ’ ମାସର ପ୍ରଚଣ୍ଡ ଖରାରେ ହିଁ ହୋଇଥାଏ। ୧୩ ତାରିଖ ହେଉ କି ମେ’ ୩୧ ତାରିଖ ତାପମାତ୍ରା କେବେ ବି ୪୦ଂ ତଳକୁ ଖସିଯିବ ନାହିଁ। ଅନ୍ୟ ବର୍ଷରେ ବି ୪୫ଂ ତାତିରେ ଧାନ କିଣାବିକାର ନଜିର ରହିଛି। ତା’ହେଲେ ଗ୍ରୀଷ୍ମ ପ୍ରବାହକୁ ବାହାନା କରି ଧାନ ସଂଗ୍ରହ ଘୁଞ୍ଚାଯିବା ପଛରେ ରହସ୍ୟ କଣ ସେନେଇ ଚାଷୀଙ୍କ ମନରେ ସଂଦେହ ସୃଷ୍ଟି ହୋଇଛି। ମାର୍କେଟ୍‌ ଖୋଲିବା ୪ ଦିନ ଘୁଞ୍ଚିଗଲେ କୌଣସି ବଡ଼ ସମସ୍ୟା ହେବ ନାହିଁ। ଏହାକୁ ନେଇ ଚାଷୀମାନେ ଚିନ୍ତିତ ନୁହନ୍ତି। କିନ୍ତୁ ଏହା ପଛରେ ଚର୍ଚ୍ଚା ହେଉଥିବା ଅନ୍ୟ ଏକ ବିଷୟ ଏବେ ଚାଷୀଙ୍କ ପାଇଁ ଉଦ୍‌ବେଗର କାରଣ ପାଲଟିଛି।

ପୂର୍ବରୁ ମାର୍କେଟ୍ ୟାର୍ଡ ସହ ମିଲ୍‌ ଗୁଡ଼ିକୁ ଟ୍ୟାଗିଂ କରିବା କାମ ଜିଲ୍ଲା ପ୍ରଶାସନ କରୁଥିଲା। କିନ୍ତୁ ଟୋକନ୍ ଜାରି ଓ ଏକର ପିଛା ଧାନ କ୍ରୟର ପରିମାଣ ନିର୍ଣ୍ଣୟ ପରି ଏବେ ଟ୍ୟାଗିଂ ବ୍ୟବସ୍ଥା ବି ରାଜ୍ୟସ୍ତରରେ କରିବାକୁ ଉଦ୍ୟମ କରାଯାଉଛି। ଗତ ବର୍ଷ ବି ଏହା ରାଜ୍ୟସ୍ତରରେ କରିବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ବିଫଳ ହେବାରୁ ପୁଣି ଜିଲ୍ଲାକୁ ଦାୟିତ୍ବ ଦିଆ ଯାଇଥିଲା। କିନ୍ତୁ ଏଥର ୟାର୍ଡ ସହ ମିଲ୍‌ ଟ୍ୟାଗିଂ ପାଇଁ ପୁଣି ଭୁବନେଶ୍ବରରେ ପ୍ରୟାସ କରାଯାଉଛି। ଏହି କାରଣରୁ ମଣ୍ଡି ଖୋଲିବାରେ ବିଳମ୍ବ ହେଉଛି ବୋଲି ଚାଷୀ ମହଲରେ ଚର୍ଚ୍ଚା ହେଉଛି। ରାଜ୍ୟସ୍ତରରେ ମିଲ୍‌ ଟ୍ୟାଗିଂ କରାଗଲେ କେଉଁ ୟାର୍ଡରୁ କେଉଁ ମିଲ୍‌ର ଦୂରତା କେତେ ତାହାର କୌଣସି ଠିକଣା ରହିବ ନାହିଁ। ଏହାଛଡ଼ା ଚାଷୀ ମାନେ ଦୂର ଅଞ୍ଚଳର ଅଜଣା ମିଲ୍‌କୁ ଧାନ ନେଇ ଗଲେ କଟ୍‌ନିଛଟ୍‌ନିର ଆଶଂକା ବଢ଼ିଯିବ।

ନିରୀହ, ନିରକ୍ଷର ଓ ଗରିବ ଚାଷୀମାନେ ଅଧିକ ଶୋଷଣର ଶିକାର ହେବେ ବୋଲି ଆଲୋଚନା ହେଉଛି। ତେଣୁ ଯଦି ସରକାର ଏଭଳି କିଛି କରିବାକୁ ଯାଉଛନ୍ତି ତା‌’ହେଲେ ସେ ସଂପର୍କରେ ଚାଷୀଙ୍କ ସହ ଆଲୋଚନା କରନ୍ତୁ ଓ ମଣ୍ଡି ଖୋଲିବାର ଯଥେଷ୍ଟ ପୂର୍ବରୁ ତା’ର ସ୍ପଷ୍ଟ ଚିତ୍ର ଦିଅନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ବୋଲି ଚାଷୀ ମହଲରେ ଦାବି ହେଉଛି। ଏଭଳି ଆଶଂକାକୁ ସିଏସ୍‌ଓ କିନ୍ତୁ ଖଣ୍ଡନ କରିଛନ୍ତି। ମିଲ୍‌ ଟ୍ୟାଗିଂରେ ବିଳମ୍ବ କାରଣରୁ ମଣ୍ଡି ଖୋଲିବା ତାରିଖ ଘୁଞ୍ଚିଲା କି ବୋଲି ପଚାରିବାର ନା ସେଭଳି କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର