ଉଭୟ ବର୍ଗ ଶୀର୍ଷରେ ପିଏସ୍‌ପିବି

ଜାତୀୟ ଦଳଗତ ଚେସ୍‌

ଭୁବନେଶ୍ୱର: କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଏବଂ ସର୍ବଭାରତୀୟ ଚେସ ସଂଘ ମିଳିତ ଆନୁକୂଲ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟରେ ଚାଲିଥିବା ୩୮ତମ ଜାତୀୟ ଦଳଗତ ଚେସ୍‌ ପ୍ରତିଯୋଗିତାର ଉଭୟ ଓପନ୍‌ ଓ ମହିଳା ବର୍ଗରେ ପେଟ୍ରୋଲିୟମ୍‌ ସ୍ପୋର୍ଟସ ପ୍ରମୋସନ୍‌ ବୋର୍ଡ (ପିଏସ୍‌ପିବି) ଶୀର୍ଷରେ ରହିଛି। ଓପନ୍‌ ବର୍ଗରେ ପଞ୍ଚମ ରାଉଣ୍ଡ୍‌ ସୁଦ୍ଧା ୧୦ ପଏଣ୍ଟ୍‌ ପାଇ ପିଏସ୍‌ପିବି ଦଳ ପ୍ରଥମ ସ୍ଥାନରେ ରହିଥିବାବେଳେ ଆର୍‌ଏସ୍‌ପିବି ୯ ପଏଣ୍ଟ୍‌ ସହ ଦ୍ୱିତୀୟରେ ରହିଛି। ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ, ବେଙ୍ଗଲ୍‌ ଏବଂ ଏଲ୍‌ଆଇସି ସମାନ ୮ ପଏଣ୍ଟ୍‌ ପାଇ ମିଳିତ ତୃତୀୟରେ ରହିଛନ୍ତି। ମହିଳ ବର୍ଗରେ ଚତୁର୍ଥ ରାଉଣ୍ଡ୍‌ ସୁଦ୍ଧା ପିଏସ୍‌ପିବି ୮ ପଏଣ୍ଟ୍‌ ପାଇ ଶୀର୍ଷରେ ଥିବାବେଳେ ଏୟାରପାର୍ଟ ଓ ଏଲଆଇସି ସମାନ ୬ ପଏଣ୍ଟ ସହ ମିଳିତ ଦ୍ୱିତୀୟରେ ରହିଛନ୍ତି। କିଟ୍‌ ଦଳ ୫ ପଏଣ୍ଟ୍‌ ସନହ ଚତୁର୍ଥରେ ରହିଛି। ରବିବାର ମହିଳା ବର୍ଗରେ କିଟ୍‌ ୪-୦ରେ ଏକତରଫା ଭାବେ କର୍ଣ୍ଣାଟକକୁ ପରାସ୍ତ କରିଥିଲା। ସାଇନା ସଲୋନିକା, ଅପରାଜିତା ଗୋଚ୍ଛିକାର, ସ୍ମାରକୀ ମହାନ୍ତି, ଶ୍ରୀବିନ୍ଦା ରାଉତ ନିଜ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସହଜରେ ହରାଇ ଦେଇଥିଲେ। ଓଡ଼ିଶା ଦଳ କିନ୍ତୁ ୧-୩ରେ ଏଲଆଇସିଠାରୁ ହାରିଥିଲା। ଓପନ୍‌ ବର୍ଗରେ କିନ୍ତୁ କିଟ୍‌ ଦଳ ୦-୪ରେ ଏୟାରପୋର୍ଟ ଅଥରିଟି ନିକଟରୁ ହାରିଯାଇଥିଲା। ଓଡ଼ିଶା ଏ ଦଳ କିନ୍ତୁ ୩-୧ରେ ମହାରାଷ୍ଟ୍ରକୁ ପରାସ୍ତ କରି ଦେଇଥିଲା। ବୈଭବ ମିଶ୍ର, ରାଜେଶ ନାୟକ ଜିତିଥିବାବେଳେ ରାକେଶ ନାୟକ, ସମ୍ବିତ ପଣ୍ଡା ନିଜ ଗେମ୍‌ ଅମୀମାଂସିତ ରଖିଥିଲେ।

ସମ୍ବନ୍ଧିତ ଖବର