ଖଣି ପାଇଁ ଗ୍ରାମସଭା, ଜନଶୁଣାଣି ପ୍ରହସନ, ଜମିହରାଙ୍କ ମତକୁ  ଉପେକ୍ଷା, ସରକାର ହାତରେ  ଚୂଡ଼ାନ୍ତ ନିଷ୍ପତ୍ତି

ଜମି ଅଧିଗ୍ରହଣ, ବିସ୍ଥାପନ ନୀତିର ଖୋଲା ଉଲ୍ଲଂଘନ 

ସୁନ୍ଦରଗଡ଼: ଖଣି, କଳକାରଖାନା ବା କୌଣସି ପ୍ରକଳ୍ପରେ  ଆବଶ୍ୟକ ହେଉଥିବା  ଜମି ଅଧିଗ୍ରହଣ ପାଇଁ ସ୍ବତନ୍ତ୍ର ନୀତିନିୟମ ରହିଛି। ଏଥିପାଇଁ ଏକ ବିଶେଷ ପଦ୍ଧତିକ୍ରମରେ ଗ୍ରାମସଭା, ସାମାଜିକ ପ୍ରଭାବ ଆକଳନ ଏବଂ ବିସ୍ଥାପନ ନୀତି ଅନୁଯାୟୀ କ୍ଷତିପୂରଣ, ପୁନର୍ବାସ ଓ ଥଇଥାନ ସମ୍ପର୍କରେ ଜନଶୁଣାଣି କରି ଜମିହରା ବା ବିସ୍ଥାପିତଙ୍କ ପୂର୍ଣ୍ଣ ସହମତି ପରେ ଜମି ଅଧିଗ୍ରହଣ କରିବାକୁ ବ୍ୟବସ୍ଥା ରହିଛି। ଆଦିବାସୀ ଅଧ୍ୟୁଷିତ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ଜମି ଅଧିଗ୍ରହଣ ନୀତି ଆହୁରି କଡ଼ା। ଏସବୁ ଅଞ୍ଚଳରେ ଖଣି, ଶିଳ୍ପ ପାଇଁ ପ୍ରଥମେ ପ୍ରଭାବିତ ଲୋକଙ୍କ ଅନୁମତି ବାଧ୍ୟତାମୂଳକ। ଲୋକେ ଅନୁମତି ଦେବା ପରେ ଜମି ଅଧିଗ୍ରହଣ ସମ୍ପର୍କିତ ଅନ୍ୟ ସବୁ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇପାରିବ।

ପଞ୍ଚମ ଅନୁସୂଚୀ ଅଞ୍ଚଳରେ  ଗ୍ରାମସଭାକୁ ପ୍ରଭୂତ୍ବ ବା ସର୍ବମାନ୍ୟ କ୍ଷମତା ପ୍ରଦାନ କରାଯାଇଛି। କିନ୍ତୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ଼ରେ ଏସବୁ ନୀତିକୁ  ସରକାର ଓ ତାଙ୍କ ଅଧୀନସ୍ଥ ପ୍ରଶାସନ ଫୁ’ କରି ଦେଇଥିବା ଅଭିଯୋଗ ହୋଇଛି। ଏଠାରେ ଜମି ଅଧିଗ୍ରହଣ ସଂକ୍ରାନ୍ତୀୟ ନିଷ୍ପତ୍ତିରେ ଜମି ହରାଙ୍କ ମତକୁ ଉପେକ୍ଷା କରାଯାଉଛି ଏବଂ ସରକାର, ପ୍ରଶାସନ ହିଁ ସର୍ବମାନ୍ୟ କ୍ଷମତାର ଅଧିକାରୀ  ସାଜି ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଉଛନ୍ତି।    ହେମଗିର ଅଞ୍ଚଳର ଏମସିଏଲ, ଏନଟିପିସି, ଓସିପିଏଲ କୋଇଲା ଖଣି ଠାରୁ  କୁତ୍ରା ଅଞ୍ଚଳର ଜେଏସଡବ୍ଲ୍ୟୁ ଶିବା ସିମେଣ୍ଟ, ରାଜଗାଙ୍ଗପୁର ଓସିଏଲ ଲାଞ୍ଜିବେର୍ଣ୍ଣା ଚୂନପଥର ଖଣି, କୋଇଡ଼ାର ଲୁହାପଥର ଓ ଲହୁଣୀପଡ଼ା କପଣ୍ଡସ୍ଥିତ କାଇ ଇଣ୍ଟରନ୍ୟାସନାଲର ଗ୍ରିନ୍ ଫିଲ୍ଡ ପ୍ରକଳ୍ପ ଯାଏ ସବୁଠି ସେହି ସମାନ ଚିତ୍ର। ପ୍ରଭାବିତ ବା ବିସ୍ଥାପିତଙ୍କ ମତକୁ ଉପେକ୍ଷା କରି ଜୋର୍ କରି ଜମି ଅଧିଗ୍ରହଣ କରି ନିଆଯାଇଥିବା ବା ନେବାକୁ ଥିବା ବେଳେ  ଜନଶୁଣାଣି ଏକ ପ୍ରକାର ପ୍ରହସନ ପାଲଟିଥିବା ଚର୍ଚ୍ଚା ହେଉଛି।

କିଛି ଦିନ ତଳେ କପଣ୍ଡଠାରେ  କାଇ ଇଣ୍ଟରନ୍ୟାସନାଲ କମ୍ପାନିର ଗ୍ରିନ୍ ଫିଲ୍ଡ ପ୍ରକଳ୍ପ ପାଇଁ ଅନୁଷ୍ଠିତ ପରିବେଶ ମଞ୍ଜୁରୀ ଜନଶୁଣାଣିରେ ପ୍ରଭାବିତ ଲୋକଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଥିଲା। ଜନଶୁଣାଣି ପ୍ରଭାବିତ ଗାଁଠାରୁ ୭ କିଲୋମିଟର ଦୂରରେ ଆୟୋଜିତ ହୋଇଥିଲା। ଏହା ସତ୍ତ୍ବେ କପଣ୍ଡ, ନୂଆଁଗାଁ, ପଟାଝରଣ ସମେତ ପ୍ରଭାବିତ ଗାଁର ୫ଶହ ଗ୍ରାମବାସୀ ଏଥିରେ ସାମିଲ ହେବା ପାଇଁ ଆସିଥିଲେ। କମ୍ପାନି ବିରୋଧୀ ଲୋକଙ୍କୁ ପୁଲିସ ଶୁଣାଣି ସ୍ଥଳକୁ ପ୍ରବେଶ କରାଇନଦେଇ ଗେଟ ବନ୍ଦ କରିଦେଇଥିଲା। ଏହାକୁ ନେଇ ସ୍ଥାନୀୟ ଅଧିବାସୀ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ। ଏହାକୁ ନେଇ ପୁଲିସ ସେମାନଙ୍କ ସହିତ ଠେଲାପେଲା କରି ଶତାଧିକ ଲୋକଙ୍କୁ ଜନଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ଗୁରୁଣ୍ଡିଆ ଥାନାରେ ଅଟକ ରଖିଥିବା କପଣ୍ଡ ଜଙ୍ଗଲ ସୁରକ୍ଷା ସମିତିର ଦୈତାରୀ ମାହନ୍ତ, ଜୟନ୍ତ ମାହନ୍ତ, ଭାନୁମତି ମାହନ୍ତ, ଏମ୍ରିନସିୟା ଜୋଜ ପ୍ରମୁଖ ଅଭିଯୋଗ କରିଥିଲେ। ସେହିପରି ରାଜଗାଙ୍ଗପୁର ଓସିଏଲ୍ର ଲାଞ୍ଜିବେର୍ଣ୍ଣା ଚୂନପଥର ଖଣି ପାଇଁ ଆବଶ୍ୟକ ଜମି ଓ ଘରବାଡ଼ି ଅଧିଗ୍ରହଣ ଜନଶୁଣାଣିରେ ବିସ୍ଥାପିତଙ୍କ ମତକୁ ଉପେକ୍ଷା କରାଯାଇଛି।

କୁକୁଡ଼ା,  ଅଲଣ୍ଡା, କେଶ୍ରାମାଲ ପଞ୍ଚାୟତ ଗ୍ରାମସଭାଗୁଡ଼ିକ ପ୍ରସ୍ତାବିତ ଚୂନପଥର ଖଣି ପାଇଁ  ଅନୁମତି ଦେଇ ନଥିବା ଓ ଗତ ୨୦୨୦ ଜାନୁଆରି ୨୬ରେ ପ୍ରଭାବିତ ଖଟଙ୍ଗ, କୁକୁଡ଼ା ପଞ୍ଚାୟତର କୁକୁଡ଼ା, ବିହାବନ୍ଧ,  କେଶରାମାଲର ରାଏବେର୍ଣ୍ଣା ଓ କେଶରାମାଲ  ସମେତ ଅନ୍ୟ ପଞ୍ଚା ୟତଗୁଡ଼ିକରେ ପ୍ରଶାସନ ପକ୍ଷରୁ ଆହୁତ ଗ୍ରାମସଭାରେ  ଜମି ଅଧିଗ୍ରହଣ ପ୍ରସ୍ତାବକୁ ଲୋକେ ପୂର୍ଣ୍ଣମତରେ ଖାରଜ କରି  କରିବା  ସହ ସାମାଜିକ ପ୍ରଭାବ ଆକଳନ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି ଦେଇଥିବା ପ୍ରକାଶ। ଏହା ସତ୍ତ୍ବେ ଏଠାରେ ପ୍ରଶାସନ ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି-୨୦୦୬ ଅନୁଯାୟୀ ଜନଶୁଣାଣି କରିବାକୁ ଆଗେଇ ଆସିଥିଲା।   ବିସ୍ଥାପିତ ଲୋକେ ପ୍ରବଳ ବିରୋଧ କରି ପ୍ରଶାସନକୁ ଗାଁ ମୁଣ୍ଡରୁ ଫେରାଇ ଦେଇଥିଲେ। ଜିଲ୍ଲାର ମନ୍ଦିରା ଡ୍ୟାମ୍ ସମେତ ଅନ୍ୟ ପ୍ରକଳ୍ପରେ  ବିସ୍ଥାପିତ ଆଦିବାସୀ ଦୁର୍ଦ୍ଦଶା ଭୋଗୁଥିବା ବେଳେ ଖଣି ଓ କଳକାରଖାନାରେ  ପୁନର୍ବାସ, ଥଇଥାନ, କ୍ଷତିପୂରଣ, ନିଯୁକ୍ତି ନାମରେ ଫମ୍ପା ପ୍ରତିଶ୍ରୁତିର ଅନେକ ପ୍ରମାଣ ଥିବା ପ୍ରକାଶ କରି କୌଣସି ମତେ ପୂର୍ବପୁରୁଷର ଭିଟାମାଟି ଓ ଯୁଗ ଯୁଗ ଧରି ଜୀବିକା ଦେଉଥିବା ଜମିକୁ ନଛାଡ଼ିବା ଓ ଆବଶ୍ୟକ ପଡ଼ିଲେ ଏଥିପାଇଁ ଜୀବନ ଦେବାକୁ ପ୍ରସ୍ତୁତ ବୋଲି ବିସ୍ଥାପିତ ଚରମ ନିଷ୍ପତ୍ତି ଶୁଣାଇଥିଲେ।

ଏହିକ୍ରମରେ  ରାଜଗାଙ୍ଗପୁର ବିଧାୟକ ଡ. ରାଜନ ଏକ୍କା ପ୍ରଶାସନ ଆଗରେ କିଛି ବୈଧାନିକ ପ୍ରଶ୍ନ ଉଠାଇଥିଲେ।  ଜମି ଅଧିଗ୍ରହଣ ନୀତିର ସଠିକ ଅନୁପାଳନ ହେଉ ନଥିବା, ବିଶେଷ କରି ପ୍ରକଳ୍ପ ପାଇଁ ଗ୍ରାମସଭାର ଅନୁମତି ନଥିବା ଓ ଲୋକେ  ପ୍ରସ୍ତାବକୁ ପୂର୍ଣ୍ଣମତେ ଖାରଜ କରି ଦେଇଥିବା ସତ୍ତ୍ବେ ଜମି ନେବାକୁ ପ୍ରଶାସନ କାହିଁକି ଆଗେଇ ଆସୁଛି ବୋଲି ପ୍ରଶ୍ନ କରିଥିଲେ।  ବିଧାୟକଙ୍କ ଆଗରେ ପ୍ରଶାସନ ଯେଉଁ ଉତ୍ତର  ରଖିଛି, ତାହା ଯେତିକି ବିସ୍ମୟକର, ସରଳ ଆଦିବାସୀ ବିସ୍ଥାପିତଙ୍କ ପାଇଁ ସେତିକି ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କୁହାଯାଇପାରେ। ଖଣି, ଶିଳ୍ପାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣ ସଂକ୍ରାନ୍ତରେ ଗ୍ରାମସଭା, ଜନଶୁଣାଣି ଗୋଟିଏ ଗୋଟିଏ ସରକାରୀ ପ୍ରକ୍ରିୟା। ଏଥିପାଇଁ ବିସ୍ଥାପିତଙ୍କ ଅନୁମତି କି ସହମତି ନୁହେଁ, ସେମାନଙ୍କୁ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜମି ଏବଂ କ୍ଷତିପୂରଣ, ପୁନର୍ବାସ ଓ  ଥଇଥାନ ସମ୍ପର୍କରେ  ଅବଗତ କରିବାକୁ ଜନଶୁଣାଣି କରାଯାଇଥାଏ। ଲୋକେ ଜନଶୁଣାଣିକୁ ନଆସିଲେ  କି ମତ ନରଖିଲେ, ତାହା ସେମାନଙ୍କ ସମ୍ମତି ବୋଲି  ଧରି ନିଆଯାଏ। ପ୍ରକୃତରେ ଜମି ଅଧିଗ୍ରହଣ ପାଇଁ ସରକାର ପ୍ରଥମେ ଯେଉଁ ବିଜ୍ଞପ୍ତି ପ୍ରକାଶ କରନ୍ତି, ତାହା ହିଁ ଚୂଡ଼ାନ୍ତ ବୋଲି ଜଣେ ଅଧିକାରୀ କହିଥିଲେ।  ଏଠାରେ ସାଧାରଣରେ ପ୍ରଶ୍ନ ଉଠିଛି,  ଖଣି ଶିଳ୍ପ ପାଇଁ  ବିସ୍ଥାପିତଙ୍କ ସହମତି ଥାଉ କି ନଥାଉ, ଯଦି ଜମି ଅଧିଗ୍ରହଣ କରିନେବା ନିଶ୍ଚିତ। ତାହେଲେ ଜନଶୁଣାଣିର ଏ ପ୍ରହସନ କାହିଁକି  ?

ସମ୍ବନ୍ଧିତ ଖବର