ଭାରତରେ କାର ବିକ୍ରି ଯୋଜନାକୁ ସ୍ଥଗିତ ରଖିଲେ ଏଲନ ମସ୍କ, ସରକାରଙ୍କ ସହ କଥାବାର୍ତ୍ତା ବିଫଳ

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଇଲେକ୍ଟ୍ରିକ କାର ବିକ୍ରି କରିବା ଯୋଜନାକୁ ସ୍ଥଗିତ କରିଦେଇଛି ଏଲନ ମସ୍କଙ୍କ କମ୍ପାନି ଟେସଲା । ଭାରତ ସରକାରଙ୍କ ସର୍ତ୍ତାବଳୀ ସହ ଏକମତ ନହେବା ପରେ ଟେସଲା ଏହି ନିଷ୍ପତ୍ତି ନେଇଛି । କମ୍ପାନି ଏବେ ଦକ୍ଷିଣ ପୂର୍ବ ଏସିଆ ବିଶେଷକରି ଇଣ୍ଡୋନେସିଆ ବଜାର ଉପରେ ନଜର ପକାଇଛି । ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ କହିଛନ୍ତି ଯେ ତାଙ୍କ ଦେଶରେ ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ଟେସଲା, ଫୋର୍ଡ ଓ ଅନ୍ୟ କେତେକ କମ୍ପାନି ସହ ଆଲୋଚନା ଚାଲିଛି ।

ଗତ ମାସରେ ଏଲନ ମସ୍କ କହିଥିଲେ ଯେ, ତାଙ୍କ କମ୍ପାନିକୁ ଭାରତରେ କାର ବିକ୍ରି ଓ ସର୍ଭିସିଂ ପାଇଁ ପ୍ରଥମେ ଅନୁମତି ଦିଆଯାଉ ଓ ତାପରେ ଉତ୍ପାଦନ କେନ୍ଦ୍ର ସ୍ଥାପନ ବିଷୟରେ ନିଷ୍ପତ୍ତି ନିଆଯିବ । କିନ୍ତୁ ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଥିଲା ଯେ ଭାରତରେ ବିକ୍ରି କରିବାକୁ ହେଲେ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ହେବ । ଚୀନରେ ଟେସଲାର ଉତ୍ପାଦନ କେନ୍ଦ୍ର ରହିଛି । ଚୀନରେ ନିର୍ମିତ କାର ଭାରତରେ ବିକିବାକୁ ଚାହୁଁଥିଲା ଟେସଲା । ଏଥିପାଇଁ ଆମଦାନୀ ଟିକସରେ ବି ରିହାତି ଚାହୁଁଥିଲା ଏହି କମ୍ପାନି । ଆମଦାନୀ ଟିକସକୁ ୧୦୦ ପ୍ରତିଶତକୁ ହ୍ରାସ କରି ୪୦ ପ୍ରତିଶତ କରିବାକୁ ଟେସଲା ଲବି କରୁଥିଲା । କିନ୍ତୁ ଭାରତ ସରକାର ଏଥିପାଇଁ ରୋକଠୋକ ମନା କରିଦେଇଥିଲେ ।  ଭାରତରେ ପ୍ରବେଶ ଅନୁମତି ନ ମିଳିବା ପରେ ଟେସଲା ପାଇଁ ଭାରତ ସରକାରଙ୍କ ନିକଟରେ ଲବି କରୁଥିବା ଜଣେ ବରିଷ୍ଠ ଅଧିକାରୀ ମନୁଜ ଖୁରାନାଙ୍କୁ ବିଦା କରିଦେଇଛନ୍ତି ଏଲନ ମସ୍କ ।

ସମ୍ବନ୍ଧିତ ଖବର