୨୦୨୨-୨୩ରେ ୨. ୫ ଲକ୍ଷ ଟନ୍ ପିଆଜ ସଂଗ୍ରହ

ଭୁବନେଶ୍ବର: ଅତୀତର ସବୁ ରେକର୍ଡ ଭଙ୍ଗ କରି କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷରେ ଚାଷୀଙ୍କଠାରୁ ୨.୫ ଲକ୍ଷ ଟନ୍ ପିଆଜ ସଂଗ୍ରହ କରିଛନ୍ତି । ଭବିଷ୍ୟତରେ ଅଭାବ ସମୟର ଆବଶ୍ୟକତା ପୂରଣ କରିବାକୁ ଏହି ପିଆଜକୁ ମହଜୁଦ (ବଫର୍‌ ଷ୍ଟକ) ରଖାଯାଇଛି । ୨୦୨୧-୨୨ରେ କେନ୍ଦ୍ର ସରକାର ୨ଲକ୍ଷ ଟନ୍ ପିଆଜ ମହଜୁଦ ରଖିଥିଲେ । ଚଳିତବର୍ଷ ଏହାକୁ ଆଉ ୦.୫୦ଲକ୍ଷ ଟନ୍ ବଢ଼ାଇ ଦିଆଯାଇଛି । ଚଳିତ ରବି ଋତୁରେ ଅମଳ ହୋଇଥିବା ପିଆଜକୁ ସଂଗ୍ରହ କରି ସରକାର ଏହାର ମୂଲ୍ୟ ସ୍ଥିର ରଖିବାକୁ ଏହି ମହଜୁଦ ବ୍ୟବସ୍ଥା କରିଛନ୍ତି । ଜାତୀୟ ଭାରତୀୟ କୃଷି ସମବାୟ ବିପଣନ ସହଯୋଗ ମହାସଂଘ ବା ନାଫେଡ ସହାୟତାରେ କୃଷକ ଉତ୍ପାଦନ ସଂଗଠନ(ଏଫ୍‌ପିଓ) ମାଧ୍ୟମରେ ଏହି ପିଆଜ ସବୁ ସରକାର ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶ ଭଳି ପିଆଜ ଉତ୍ପାଦନକାରୀ ରାଜ୍ୟର ଚାଷୀଙ୍କଠାରୁ କିଣିଛନ୍ତି।

ଆସନ୍ତା ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ପିଆଜ ଉତ୍ପାଦନ ପ୍ରାୟତଃ କମ୍ ରହିବ । ଏହି ନିଅଣ୍ଟିଆ ସମୟରେ ମହଜୁଦ ରହିଥିବା ଏହି ପିଆଜକୁ ବିଭିନ୍ନ ରାଜ୍ୟ ଓ ସରକାରୀ ସଂସ୍ଥାଙ୍କୁ ଆବଶ୍ୟକତା ଅନୁସାରେ କେନ୍ଦ୍ର ଯୋଗାଇବା ସହିତ ଖୋଲା ବଜାରରେ ବିକ୍ରି ପାଇଁ ଯୋଗାଇ ଦିଆଯିବ। ନିଅଣ୍ଟିଆ ସମୟରେ ପିଆଜର ମୂଲ୍ୟ ଯେପରି ଅସ୍ୱାଭାବିକ ଭାବେ ଅତି ଅଧିକ ନ ରହେ ସେଥି ପାଇଁ ସରକାର ଦେଶର ବିଭିନ୍ନ ବଡ଼ ବଡ଼ ମଣ୍ଡି ଏବଂ ଅନ୍ୟାନ୍ୟ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସୁଲଭ ମୂଲ୍ୟରେ ପିଆଜ ଖୋଲା ବଜାରକୁ ଛାଡିବେ।

ପିଆଜ ଅମଳ ପରବର୍ତ୍ତୀ କ୍ଷତିକୁ ଯଥାସମ୍ଭବ ହ୍ରାସ କରିବାକୁ କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ ଟେକ୍‌ନୋଲୋଜି ବିକଶିତ କରିବାକୁ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କୁ ପ୍ରସ୍ତାବ ଦେବା ସହିତ ଏ କ୍ଷେତ୍ରରେ ଆଗେଇ ଆସିବାକୁ ଆହ୍ୱାନ ଜଣାଇଛି । ଏଥିରେ ପିଆଜର ପ୍ରାଥମିକ ପ୍ରକ୍ରିୟାକରଣ, ଭଣ୍ଡାରଣ ଓ ମୂଲ୍ୟ ବର୍ଦ୍ଧନକୁ ଗୁରୁତ୍ୱ ଦିଆଯାଇଛି । ଅମଳ ପରବର୍ତ୍ତୀ କ୍ଷତିକୁ କମାଇବା ପାଇଁ କି ପ୍ରକାର ସମ୍ଭାବ୍ୟ ଉପାୟ ଓ ଟେକ୍‌ନୋଲୋଜି ବାହାର କରାଯାଇପାରିବ ସେଥିପାଇଁ ଖାଉଟି କଲ୍ୟାଣ ବିଭାଗ ବିଦ୍ୟାର୍ଥୀ, ଗବେଷକ ଓ ଷ୍ଟାର୍ଟଅପଗୁଡିକ ସହ କଥାବାର୍ତ୍ତା କରୁଛି । ଏବେ ଯେଉଁ ଭଣ୍ଡାରଣ ଢାଞ୍ଚା ରହିଛି ତାହାର ବିକାଶ, ପ୍ରାକ୍ ଅମଳ ସ୍ତରର ଯତ୍ନ ଓ ନଷ୍ଟ ହେଉଥିବା ପିଆଜ ବର୍ଜ୍ୟବସ୍ତୁର ଉପଯୋଗ କରିବା ଉପରେ ଗବେଷଣା କରି ଉପାୟ ବାହାର କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର