ଭାତରେ ମାରଣ!

ଅନେକ ବିଚକ୍ଷଣ ବିଦ୍ବାନ ସେମାନଙ୍କ ବିବେଚନାରେ କିଭଳି ସାଧାରଣ ଜ୍ଞାନର ଅଭାବ ପ୍ରଦର୍ଶନ କରିଥାଆନ୍ତି, ତାହାର ଏକ ସଦ୍ୟ ଦୃଷ୍ଟାନ୍ତ ହେଉଛି ୟୁକ୍ରେନ ଓ ରୁଷିଆ ମଧୢରେ ଯୁଦ୍ଧର ପ୍ରାରମ୍ଭ କାଳରେ ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ବରେ ରୁଷିଆ ଉପରେ ଲଗା ଯାଇଥିବା ଅତ୍ୟନ୍ତ କଠୋର ଆର୍ଥିକ କଟକଣା ପରିପ୍ରେକ୍ଷୀରେ କରାଯାଇଥିବା ପୂର୍ବାନୁମାନ ଯେ ଏହା ଦ୍ବାରା ରୁଷିଆର ଅର୍ଥନୀତି ଅଚିରେ ସ˚ପୂର୍ଣ୍ଣ ଭୂଲୁଣ୍ଠିତ ହୋଇଯିବ। ଉଲ୍ଲେଖ ଥାଉ କି ଏକ ଅର୍ଥନୈତିକ ଶକ୍ତି ରୂପେ ମଳିନ ପଡ଼ି ସାରିଥିବା ରୁଷିଆ କୋଭିଡ୍‌ ଉପରାନ୍ତ ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଥିବା ବେଳେ ଯୁଦ୍ଧ ଜନିତ ବିଶାଳ ବ୍ୟୟ ଏବ˚ ଏକ ବ୍ୟାପକ ଆର୍ଥିକ କଟକଣାର ବୋଝକୁ ସହ୍ୟ କରିପାରିବ ନାହିଁ ବୋଲି ଏକ ଧାରଣାର ବଶବର୍ତ୍ତୀ ଏହି ବିଜ୍ଞମାନେ ହୋଇଥିବେ। କିନ୍ତୁ, ଏହାର ବିପରୀତରେ ସ˚ପ୍ରତି ଯାହା ଦେଖିବାକୁ ମିଳୁଛି, ତାହା ହେଲା ପାଞ୍ଚ ମାସ ପାଞ୍ଚ ଦିନର ଦୀର୍ଘ ଓ ଅତ୍ୟନ୍ତ ବ୍ୟୟ ବହୁଳ ଯୁଦ୍ଧ ସତ୍ତ୍ବେ ରୁଷିଆର ଅର୍ଥନୀତି ପୂର୍ବରୁ ଆକଳନ କରାଯାଉଥିବା ଭଳି ସ˚କୋଚନର ଶିକାର ହେବା ପରିବର୍ତ୍ତେ ଉନ୍ନତ ପ୍ରଦର୍ଶନ କରୁଛି; ଓଲଟି ଯୁକ୍ତରାଷ୍ଟ୍ର ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମୁଦ୍ରାସ୍ଫୀତି ଓ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛନ୍ତି। ଏବ˚ କେବଳ ଏତିକି ନୁହେଁ, ଆଉ କିଛି ଦିନ ପରେ ହାଡ଼ଭଙ୍ଗା ୟୁରୋପୀୟ ଶୀତ ଋତୁର ଅସ୍ପଷ୍ଟ ପଦଧ୍ବନି ଶୁଭିବାକୁ ଯାଉଥିବା ବେଳେ ଏକ ଉତ୍କଟ ଶକ୍ତି ସ˚କଟର ଆଶଙ୍କା ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ମେରୁହାଡ଼ରେ ଶୀତଳ ପ୍ରବାହର ସ˚ଚାର ମଧ୍ୟ କଲାଣି। ଏହାକୁ ଅନେକ ପର୍ଯ୍ୟବେକ୍ଷକ ୟୁକ୍ରେନ୍‌ ସମର୍ଥକ ଗୋଷ୍ଠୀ ଉପରେ ରୁଷିଆର ଏକ ବିଜୟ ବୋଲି ଅଭିହିତ କରୁଥିବା ଶୁଣିବାକୁ ମିଳିଲାଣି।

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରେ ଯୁକ୍ତରାଷ୍ଟ୍ର ଆମେରିକା ଏବ˚ ୟୁରୋପୀୟ ଦେଶଗୁଡ଼ିକ ପକ୍ଷରୁ ସେଠାରେ ଥିବା ରୁଷିଆର ବିଭିନ୍ନ ବ୍ୟାଙ୍କ ଏବ˚ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ଅଚଳ କରି ଦିଆଯିବା ସହିତ ସଘନ ବାଣିଜ୍ୟ କଟକଣାମାନ ଜାରି କରାଯାଇଥିଲା। ସୁତରା˚, ବିଜ୍ଞ ପର୍ଯ୍ୟବେକ୍ଷକମାନେ ଧରି ନେଇଥିଲେ ଯେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ଗ୍ୟାସ ରପ୍ତାନି କରି ନ ପାରି ରୁଷିଆ ତାର ଆୟର ଏକ ମୁଖ୍ୟ ସ୍ରୋତକୁ ହରାଇବ, ଯାହା ତାକୁ ଅବିଳମ୍ବେ ନତମସ୍ତକ ହେବାକୁ ବାଧୢ କରିବ। ପ୍ରକାଶ ଥାଉ କି ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ଶକ୍ତିର ଉତ୍ସ ରୂପେ ଆବଶ୍ୟକ ଗ୍ୟାସ୍‌ର ୪୦ ପ୍ରତିଶତ ରୁଷିଆ ଯୋଗାଇ ଥାଏ ଏବ˚ ସର୍ବାଧିକ ସମୃଦ୍ଧ ୟୁରୋପୀୟ ରାଷ୍ଟ୍ର ଜର୍ମାନି ହେଉଛି ରୁଷୀୟ ଗ୍ୟାସ୍‌ର ବୃହତ୍ତମ କ୍ରେତା। କିନ୍ତୁ, ସେମାନେ ସମ୍ଭବତଃ ଯାହା ପାଶୋରି ଯାଇଥିଲେ, ତାହା ହେଲା ରୁଷୀୟ ଗ୍ୟାସ୍‌ର ଯୋଗାଣରେ ବ୍ୟାଘାତ ଘଟିଲେ ତାହା ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ମଧୢ ଉତ୍କଟ ଶକ୍ତି ସ˚କଟ ସୃଷ୍ଟି କରି ପରିସ୍ଥିତିକୁ ଅଣାୟତ୍ତ କରି ଦେଇପାରେ। ତେଣୁ ଯୁଦ୍ଧ ପ୍ରାରମ୍ଭରୁ ଦେଖିବାକୁ ମିଳିଥିଲା ଗୋଟିଏ ପଟେ ଆର୍ଥିକ କଟକଣା ଲାଗୁ କରାଯାଉଥିବା ବେଳେ ଅନ୍ୟ ପଟେ ରୁଷିଆରୁ ଗ୍ୟାସ୍‌ ପାଇବା ଲାଗି ଜର୍ମାନି ସମେତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ବ୍ୟାକୁଳତା। ସୁତରାଂ, ଶକ୍ତି କ୍ଷେତ୍ର ଲାଗି ରୁଷିଆ ଉପରେ ୟୁରୋପର ‘ନିର୍ବିକଳ୍ପ ନିର୍ଭରଶୀଳତା’ ନେଇ ରୁଷିଆ ଅବଗତ ହୋଇଥିଲା, ଯାହାକୁ ଆୟୁଧ କରି ବର୍ତ୍ତମାନ ରୁଷିଆ ଏକ ‘ଗେମ୍‌ ଚେ˚ଜର‌୍‌’ ଭୂମିକାରେ ଆବିର୍ଭୂତ। ଯଦିଓ, ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲ୍‌ଡିମିର ଜେରଲେନ୍‌ସ୍କି ଏହାକୁ ରୁଷିଆର ‘ଗ୍ୟାସ୍‌ ଵାର‌୍‌’ ବା ‘ଗ୍ୟାସ୍‌ ବ୍ଲାକ୍‌ମେଲି˚’ ବୋଲି ଅଭିହିତ କରିଛନ୍ତି; କିନ୍ତୁ ଏହି ପରିପ୍ରେକ୍ଷୀରେ ଜନ୍‌ ଲାୟିଲଙ୍କ ସେହି ପ୍ରସିଦ୍ଧ ଉକ୍ତିକୁ ଆଧାର କରି ଜେରଲେନ୍‌ସ୍କିଙ୍କୁ ପ୍ରଶ୍ନ କରାଯାଇପାରେ ଯେ ସମର ଏବ˚ ପ୍ରେମରେ ସବୁ କିଛି ନ୍ୟାୟ ସ˚ଗତ ନୁହେଁ କି?

ଉଲ୍ଲେଖଯୋଗ୍ୟ ଯେ ରୁଷିଆରୁ ଜର୍ମାନିକୁ ଗ୍ୟାସ ଯୋଗାଣ କରୁଥିବା ‘ନର୍ଡ‌୍‌ ଷ୍ଟ୍ରିମ୍‌-୧’ ପାଇପ୍‌ ଲାଇନ୍‌ରେ ଯୁଦ୍ଧ ପୂର୍ବ ପର୍ଯ୍ୟନ୍ତ ଶତ ପ୍ରତିଶତ ସାମର୍ଥ୍ୟରେ ଗ୍ୟାସ ଯୋଗାଣ କରାଯାଉଥିଲା, ଯାହାର ପରିମାଣ ବାର୍ଷିକ ୫.୫ ବିଲିଅନ ଘନ ମିଟର; ଏବ˚ ଯାହା ଯୁଦ୍ଧ ପରବର୍ତ୍ତୀ କଟକଣା କାଳରେ ପ୍ରଥମେ ୪୦ ପ୍ରତିଶତକୁ ଏବ˚ ବର୍ତ୍ତମାନ ୨୦ ପ୍ରତିଶତକୁ ହ୍ରାସ ପାଇଛି। ଏହାର କାରଣ ରୂପେ ଗ୍ୟାସ ଯୋଗାଣକାରୀ ରୁଷୀୟ ରାଷ୍ଟ୍ରାୟତ୍ତ କ˚ପାନି ‘ଗାଜପ୍ରମ୍‌’ ପକ୍ଷରୁ ଏକ ଅଚଳ ଟର୍ବାଇନ୍‌କୁ ଦାୟୀ କରାଯାଇଛି, ଯାହାର ନିର୍ମାତା ପ୍ରସିଦ୍ଧ ଜର୍ମାନ ଉଦ୍ୟୋଗ ‘ସିମେନ୍‌ସ’, ଏବଂ ଯାହାର ମରାମତି କଟକଣା କାରଣରୁ ସମ୍ଭବ ହୋଇ ପାରୁନାହିଁ। କହିବା ବାହୁଲ୍ୟ ଯେ ଏହା ଏକ ଆଳ ମାତ୍ର, ଏବ˚ ଏଥିରେ ଥିବା ଇଙ୍ଗିତଟି ସ୍ପଷ୍ଟ। ଏହା ପୁଣି ଆହୁରି ପ୍ରା˚ଜଳ ହୋଇଥାଏ, ଯେତେବେଳେ ଜର୍ମାନି ପକ୍ଷରୁ ଏକ ନୂଆ ଟର୍ବାଇନ୍‌ ତତ୍‌କ୍ଷଣାତ୍‌ ପ୍ରେରଣ କରାଯିବା ଲାଗି ଅତ୍ୟନ୍ତ ଜରୁରୀକାଳୀନ ଭିତ୍ତିରେ ସମସ୍ତ ପ୍ରୟାସ କରାଯାଇଥିବା ସତ୍ତ୍ବେ ସେ ଦିଗରେ ରୁଷିଆ ପ୍ରତିକ୍ରିୟାଶୂନ୍ୟ ରହେ। ଏହାର ଅର୍ଥ ରୁଷିଆ ଏହା ଦ୍ବାରା ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଉପରେ ଓଲଟା ଚାପ ପ୍ରୟୋଗ କରିବାକୁ ଉଦ୍ୟତ।

ଏହି ପରିପ୍ରେକ୍ଷୀରେ ଉଦ୍‌ବେଗଜନକ ହେଲା ଏଭଳି ଏକ ସ˚କଟ କାଳରେ ଏକତା ପ୍ରଦର୍ଶନ ଲାଗି ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ଦୃଢ଼ ସ˚କଳ୍ପ ମଧୢ ଇତିମଧୢରେ ନିଷ୍ପ୍ରଭ ପଡ଼ିଯାଇଛି, ଯହିଁରେ ଦେଖିବାକୁ ମିଳିଛି ଯେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ଶକ୍ତି ମନ୍ତ୍ରୀମାନଙ୍କର ଏକ ଜରୁରୀ ବୈଠକରେ ରାଷ୍ଟ୍ରଗୁଡ଼ିକ ସ୍ବେଚ୍ଛାକୃତ ଭାବେ ଗ୍ୟାସ୍‌ ବ୍ୟବହାରରେ ୧୫ ପ୍ରତିଶତ ହ୍ରାସ ଘଟାଇବା ନେଇ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନ୍ତର୍ବିରୋଧର ସମ୍ମୁଖୀନ ହୋଇଛି, ଯେଉଁଠି ବିଭିନ୍ନ କାରଣ ଦର୍ଶାଇ ପୋଲାଣ୍ତ, ହଙ୍ଗେରି, ସ୍ପେନ୍‌, ପର୍ତ୍ତୁଗାଲ ଓ ସାଇପ୍ରସ ଭଳି ଅନେକ ରାଷ୍ଟ୍ର ଏଥିରେ ଅସମ୍ମତ ହୋଇଛନ୍ତି। କେବଳ ସେତିକି ନୁହେଁ, ଆଉ ଏକ ବାସ୍ତବତା ହେଲା, ଗ୍ୟାସ ବ୍ୟବହାରରେ କଟକଣା ଦ୍ବାରା କେବଳ ସାଧାରଣ ନାଗରିକ ଯେ ଅସୁବିଧାରେ ସମ୍ମୁଖୀନ ହେବେ, ତାହା ନୁହେଁ, ଅନେକ ଗ୍ୟାସ୍‌ ଚାଳିତ ବିଦ୍ୟୁତ୍‌ କେନ୍ଦ୍ର ଓ ଅନ୍ୟାନ୍ୟ ଉଦ୍ୟୋଗ ମଧୢ ଅଚଳ ହୋଇ ଯାଇ ସମସ୍ୟାକୁ ଅତ୍ୟନ୍ତ ଉତ୍କଟ କରି ପକାଇବେ। ଏହି ସ˚କଟର ମୁକାବିଲା କରିବା ଲାଗି ଏକ ଦୁର୍ବଳ ବିକଳ୍ପ ହେଉଛି ନରେଵ ବା ଆଜରବାଇଜାନରୁ ଗ୍ୟାସ୍‌ ଯୋଗାଣ, କିନ୍ତୁ ଏହି ରାଷ୍ଟ୍ର ଦ୍ବୟ ରୁଷିଆ ଦ୍ବାରା ସୃଷ୍ଟ ଗ୍ୟାସ ଶୂନ୍ୟତାକୁ ଭରଣା କରିବାକୁ ଅସମର୍ଥ। ଆଉ ଏକ ବିକଳ୍ପ ଯୁକ୍ତରାଷ୍ଟ୍ର ଆମେରିକାରୁ ଗ୍ୟାସ ଆମଦାନି। କିନ୍ତୁ ଆମେରିକା ସହିତ ୟୁରୋପର ଗ୍ୟାସ୍‌ ପାଇପ ଲାଇନ ସ˚ଯୋଗର ଅନୁପସ୍ଥିତି କାରଣରୁ ତରଳୀକୃତ ଗ୍ୟାସ୍‌ର ପରିବହନ ସମୁଦ୍ର ପଥରେ କରାଯାଇପାରେ; କିନ୍ତୁ ତାହା ଅତ୍ୟନ୍ତ ବ୍ୟୟ ସାପେକ୍ଷ ହୋଇଥିବା ଦୃଷ୍ଟିରୁ ଏହି ବିକଳ୍ପ ମଧୢ ମୂଲ୍ୟହୀନ ହୋଇପଡ଼େ। ସୁତରା˚, ଗ୍ୟାସ ସ˚କଟ ଅବ୍ୟାହତ ରହିଲେ ଯେ ଅଚିରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଏକ ହାହାକାରମୟ ପରିସ୍ଥିତି ସୃଷ୍ଟି ହେବ, ତାର ଆଶଙ୍କା ଅଧିକ।

କଥିତ ଅଛି ଯେ ବର୍ଗୀମାନେ ଆକ୍ରମଣ କଲା ବେଳେ ଅଭ୍ୟନ୍ତରସ୍ଥ ଗାଁ ଗଣ୍ତାକୁ ଯାଇ ଧ୍ବ˚ସଲୀଳା ସ˚ଘଟିତ କରିବାକୁ ସମୟ ଅପଚୟ ବୋଲି ମନେ କରୁଥିଲେ; ବର˚ ସେମାନେ ଯାତ୍ରା ପଥରେ ପଡୁଥିବା ସମସ୍ତ ଶସ୍ୟ କ୍ଷେତ୍ରରେ ଅଗ୍ନି ସ˚ଯୋଗ କରି ଚାଲି ଯାଉଥିଲେ, ଯାହା ସେ ଅଞ୍ଚଳରେ ଖାଦ୍ୟାଭାବ ଜନିତ ମୃତ୍ୟୁର କାରଣ ହେଉଥିଲା। ‘ହାତରେ ନ ମାରି ଭାତରେ ମାରିବା’ ଭଳି ଅଭିବ୍ୟକ୍ତିର ସୃଷ୍ଟି ଏଥିରୁ ହୋଇଥିବ ଅବା! ସେହି ଦୃଷ୍ଟିରୁ ବିଚାର କଲେ କୌଣସି ରାଷ୍ଟ୍ର ଉପରେ ଆର୍ଥିକ କଟକଣା ଜାରି କରିବା ତାକୁ ଭାତରେ ମାରିବା ତୁଲ୍ୟ ଏକ ଉଦ୍ୟମ ବୋଲି କୁହାଯାଇପାରେ। କିନ୍ତୁ ରୁଷିଆ କ୍ଷେତ୍ରରେ ଏହା ସଫଳ ହେବା ପରିବର୍ତ୍ତେ ଦେଖିବାକୁ ମିଳିଛି ଯେ ଓଲଟି ରୁଷିଆ ପୃଥିବୀର ଏକ ବିଶାଳ ଅ˚ଶକୁ ହାତରେ ନୁହେଁ, ବର˚ ଭାତରେ ମାରିବା ଲାଗି ଉଦ୍‌ଗ୍ରୀବ।

ସମ୍ବନ୍ଧିତ ଖବର