କାଜୁଆଲିଟିରୁ ବିଦା ହେଲେ ଡାକ୍ତର

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭୁଲ୍‌ ଇଞ୍ଜେକସନ୍‌ରୁ ରୋଗୀ ମୃତ୍ୟୁ ଘଟଣା

ଭୁବନେଶ୍ବର: ଗତକାଲି କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ଗଠିତ ହୋଇଥିବା ୨ଜଣିଆ କମିଟି ନିର୍ଦେଶକଙ୍କୁ ରିପୋର୍ଟ ଦାଖଲ କରିଛନ୍ତି। ଏହି ଘଟଣାରେ ପ୍ରଥମରେ ରୋଗୀଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ କାଜୁଆଲ୍‌ଟିରୁ ଅନ୍ୟତ୍ର ବିଦା କରି ଦିଆଯାଇଛି। ଏହାସହ ଘଟଣା ସହିତ ଜଡ଼ିତ ଅନ୍ୟ ଡାକ୍ତରଙ୍କୁ ଚେତାବନୀ ଦିଆଯାଇଛି।

ଅନ୍ୟଙ୍କୁ ଚେତାବନୀ
ମୃତ୍ୟୁ ସଂପର୍କିତ ରିପୋର୍ଟ ଦାଖଲ କଲେ ୨ଜଣିଆ କମିଟି

ରିପୋର୍ଟ ସଂପର୍କରେ ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ, ଧଉଳି ଥାନା ଅଧୀନ ଜଗନ୍ନାଥପୁର ପାଟଣା ଗାଁର ଦୁଃଶାସନ ସାହୁ(୫୧)ଙ୍କ ହସ୍ପିଟାଲରେ ଇସିଜି, ଏକ୍ସ-‌ରେ’ ସହ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିଲା। ରୋଗୀଙ୍କୁ କାଜୁଆଲ୍‌ଟି, ଭେଷଜ ଓ ଛାତିରୋଗ ବିଭାଗର ସମସ୍ତ ଡାକ୍ତର ପରୀକ୍ଷା କରିଛନ୍ତି। ରୋଗୀଙ୍କୁ ଘରକୁ ନେବା ଲାଗି ମଧ୍ୟ ହସ୍ପିଟାଲ ପକ୍ଷରୁ କୁହାଯାଇ ନ ଥିଲା। ହେଲେ ତାଙ୍କ ପରିବାର/ସଂପର୍କୀୟମାନେ ନିଜ ଆଡ଼ୁ ସେମାନଙ୍କୁ ଘରକୁ ନେଇଥିଲେ। ବାଟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ପୁଣିଥରେ କାଜୁଆଲଟିକୁ ଅଣାଯାଇଥିଲା। ହେଲେ ସେତେବେଳେକୁ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣାକୁ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଅତି ଗୁରୁତ୍ବର ସହ ନେଇଛନ୍ତି। ଘଟଣା ଦିନ ରୋଗୀଙ୍କୁ ଚିକିତ୍ସା କରିଥିବା କାଜୁଆଲ୍‌ଟି ଡାକ୍ତରଙ୍କୁ ଅନ୍ୟ ସ୍ଥାନକୁ ପଠାଇ ଦିଆଯାଇଛି। ଯେ‌ପର୍ଯ୍ୟନ୍ତ ହସ୍ପିଟାଲ କର୍ତୃପକ୍ଷ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନ ହୋଇଛନ୍ତି ତାଙ୍କୁ ପୁଣିଥରେ କାଜୁଆଲ୍‌ଟି ଡ୍ୟୁଟି ଦିଆଯିବ ନାହିଁ ବୋଲି ସୂଚନା ମିଳିଛି। ଏହାସହ ତାଙ୍କୁ କାରଣଦର୍ଶାଅ ନୋଟିସ୍ ଦିଆଯାଇଛି। ଅନ୍ୟ ୨ଜଣ ଡାକ୍ତରଙ୍କୁ ମଧ୍ୟ ଏଥିପାଇଁ ଚେତାବନୀ ଦିଆଯାଇଛି। ସେହିପରି ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ ଆଜି କାଜୁଆଲ୍‌ଟି ଓ ଅନ୍ୟ ଡାକ୍ତରଙ୍କୁ ନେଇ ଏକ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଛନ୍ତି।ଗତକାଲି ହସ୍ପିଟାଲରେ ଯେଉଁ ଅଭାବନୀୟ ଘଟଣା ଘଟିଲା ତାହାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ସତର୍କ ରହିବାକୁ ଡାକ୍ତରମାନଙ୍କୁ କୁହାଯାଇଛି।

ଅପରପକ୍ଷରେ ରୋଗୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ। ରିପୋର୍ଟ ଆସିବା ପରେ ୨ଜଣିଆ କମିଟି ଦେଇଥିବା ରିପୋର୍ଟର ଅନୁଶୀଳନ କରାଯାଇ ହସ୍ପିଟାଲ କର୍ତୃପକ୍ଷ ରାଜ୍ୟ ସରକାରଙ୍କୁ ସବିଶେଷ ରିପୋର୍ଟ ପ୍ରଦାନ କରିବେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରୋଗୀଙ୍କ ମିଓକାର୍ଡିଆଲ୍‌ ଇନଫାରକ୍ସନ୍(ଏମ୍‌ଆଇ) ବା ହୃଦ୍‌ଘାତ ହୋଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ପ୍ରାରମ୍ଭିକ ଅବସ୍ଥାରେ ଯଦିଓ ଏହା ଚିହ୍ନଟ ହୋଇପାରି ନାହିଁ। କିନ୍ତୁ ଯଦି ରୋଗୀଙ୍କୁ ହସ୍ପିଟାଲରେ ଆଡ୍‌ମିଟ୍‌ କରାଯାଇ ଇକୋ କିମ୍ବା ଅନ୍ୟ ପରୀକ୍ଷା କରାଯାଇଥାନ୍ତା ହୁଏତ ରୋଗୀ ବଞ୍ଚିପାରିଥାନ୍ତେ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି।

ଉଲ୍ଲେଖଯୋଗ୍ୟ, ଜଗନ୍ନାଥପୁରପାଟଣା ଗାଁର ଦୁଃଶାସନ ଛାତିରେ ଯନ୍ତ୍ରଣା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ଡାକ୍ତର ତାଙ୍କୁ ଔଷଧ ଓ ଇଞ୍ଜେକସନ୍ ଲେଖିଥିଲେ। ଏହା ସତ୍ତ୍ବେ ତାଙ୍କର ଯନ୍ତ୍ରଣା କମି ନ ଥିଲା। ବାଟରେ ଘରକୁ ଯିବା ସମୟରେ ଅଚେତ ହୋଇପଡ଼ିଥିଲେ। ପରିବାରଲୋକ ତାଙ୍କୁ ପୁଣିଥରେ ହସ୍ପିଟାଲ କାଜୁଆଲ୍‌ଟି ଆଣିଥିଲେ। ସେଠାରେ ଉପସ୍ଥିତ ଥିବା ଡାକ୍ତର ତାଙ୍କ ପ୍ରେସକ୍ରିପ୍ସନ୍ ନେଇଯିବା ସହ ଚିକିତ୍ସା ପରେ ଦିଆଯିବ ବୋଲି କହିଥିଲେ। ହେଲେ ଦୁଃଶାସନଙ୍କ ମୃତ୍ୟୁ ହୋଇ ଯାଇଥିଲା। ଭୁଲ୍‌ ଇଞ୍ଜେକସନ୍ ଦିଆଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର