ଜାଭଲିନ୍‌ ଦିବସରେ କିଶୋର, ଧନଲକ୍ଷ୍ମୀ ବିଜେତା

ଭୁବନେଶ୍ବର: ବର୍ଷକ ତଳେ ଆଜିର ଦିନରେ (ଅଗଷ୍ଟ ୭) ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ନୂଆ ଇତିହାସ ରଚିଥିବା ବେଳେ ରବିବାର ଦେଶବ୍ୟାପୀ ଜାଭଲିନ୍‌ ଦିବସ ପାଳିତ ହୋଇଛି। ଏହି କ୍ରମରେ ଓଡ଼ିଶା ଦୌଡ଼କୁଦ ସଂଘ ଏବଂ କିଟ୍‌ ମିଳିତ ଆନୁକୂଲ୍ୟରେ କିଟ୍‌ ଆଥଲେଟିକ୍ସ ଷ୍ଟାଡିୟମ୍‌ରେ ଏକ ରାଜ୍ୟସ୍ତରୀୟ ଜାଭଲିନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୬୩ ଜଣ ଭାଗ ନେଇଥିବା ଏହି ପ୍ରତିଯୋଗିତାରେ ପୁରୁଷରେ କଟକର କିଶୋର କୁମାର ଜେନା ବିଜେତା ହୋଇଥିବା ବେଳେ ଖୋର୍ଧାର ଦୀପଙ୍କର ବେହେରା ଓ ପୋଷ୍ଟାଲ୍‌ର ଚିନ୍ମୟ ରଂଜନ ଜେନା ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ମହିଳାରେ କଟକର ଧନମତି ଖେସ୍‌, ଜଗତସିଂହପୁରର ପ୍ରିୟଦର୍ଶିନୀ ସାହୁ, ଭୁବନେଶ୍ବରର ମୈତ୍ରେୟୀ ପାରୁଲକର ପ୍ରଥମ ୩ ସ୍ଥାନରେ ରହିଥିଲେ।

ଉଦ୍‌ଯାପନୀ ଉତ୍ସବରେ କିଟ୍‌ କ୍ରୀଡ଼ା ବିଭାଗ ମହା ନିର୍ଦେଶକ ଗଗନେନ୍ଦୁ ଦାଶ, ଓଡ଼ିଶା ଦୌଡକୁଦ ସଂଘ ସଭାପତି ଶ୍ରୀନିବାସ ପଟ୍ଟନାୟକ, ସମ୍ପାଦକ ଆଶୀର୍ବାଦ ବେହେରା ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଯୁଗ୍ମ ସମ୍ପାଦକ ଅଶୋକ ସାହୁ, ଉପ ସଭାପତି ନଳିନୀ ଦାସ, କୋଷାଧ୍ୟକ୍ଷ ରବି ପ୍ରତିହାରୀଙ୍କ ସହିତ ଧୀରେନ ପଲାଇ, ଅର୍‌ଏନ୍ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ୩ ସ୍ଥାନ ଦଖଲକାରୀଙ୍କୁ ଯଥାକ୍ରମେ ୨୦, ୧୦ ଓ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର