ରୁଶଦି ଆକ୍ରମଣ ମାମଲା : କାର୍ଯ୍ୟକ୍ରମର ଉପସ୍ଥାପକ ପ୍ରଥମେ ଭାବିଥିଲେ କେହି ଜଣେ ମଜା କରୁଛି

ନ୍ୟୁୟର୍କ : ପ୍ରସିଦ୍ଧ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ଲେଖକ ସଲମାନ ରୁଶଦିଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ  ଏହି ଘଟଣାକୁ ନେଇ କେତେକ ନୂଆ କଥା ସାମନାକୁ ଆସିଛି ।

ଉକ୍ତ ଘଟଣାଦିନ ମଞ୍ଚ ଉପରେ ଥିବା କାର୍ଯ୍ୟକ୍ରମର ଉପସ୍ଥାପକ ତଥା  ସ୍ବେଚ୍ଛାସେବୀ ସଂସ୍ଥା ସିଟି ଅଫ ଆସିଲମର ଅଧ୍ୟକ୍ଷ ହେନେରି ରିଜ୍ କହିଛନ୍ତି ଯେ ସେ ପ୍ରଥମେ କଣ ଚାଲିଛି କିଛି ବୁଝିପାରିନଥିଲେ । ତାପରେ ଭାବିଥିଲେ ଯେ କେହି ଜଣେ ମଜା କରିବାକୁ ଏସବୁ କରୁଛି । କିନ୍ତୁ ଯେତେବେଳେ ରକ୍ତ ବାହାରିଲା ସେତେବେଳେ ସେ ଉକ୍ତ ଭୟଙ୍କର ଘଟଣାକୁ ବୁଝିପାରିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ସକାଳେ ବୁକର ପୁରସ୍କାର ଜିତିଥିବା ରୁଶଦି ଚୌତୌକ୍ବା ପ୍ରତିଷ୍ଠାନରେ ଭାଷଣ ଦେଉଥିବାବେଳେ ଏହି ଘଟଣା ଘଟିଥିଲା । ହାଦି ମଟାର ନାମକ ନ୍ୟୁଜର୍ସିର ଏକ ବ୍ୟକ୍ତି ମଞ୍ଚରେ ଚଢି ତାଙ୍କୁ ଛୁରୀ ଭୁସିଥିଲା । ସେ ଇରାନର ସମର୍ଥକ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଉପସ୍ଥାପକ ହେନେରି ରିଜ ମଧ୍ୟ ଆହତ ହୋଇଥିଲେ ।

ତେବେ ଏବେ ସଲମାନ ରୁଶଦିଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି ଓ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଛି । ଏହା ସହିତ ସେ କଥା କହିବା ଆରମ୍ଭ କରିଛନ୍ତି । ତେବେ ସଂପୂର୍ଣ୍ଣ ସୁଧାର ହେବାକୁ ଆହୁରି ଅନେକ ସମୟ ଲାଗିଯିବ ବୋଲି ତାଙ୍କ ପୁଅ ଜାଫର କହିଛନ୍ତି ।

 

 

ସମ୍ବନ୍ଧିତ ଖବର