ନାଏବ ସରପଞ୍ଚଙ୍କୁ ମାଡ୍‌ପିଟ୍, ମାଂସ ଦୋକାନୀ ଗିରଫ 

ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ଠାରେ ଏକ ମାଂସ ଦୋକାନୀ ଦ୍ୱାରା ତ୍ରିରଙ୍ଗା ପତାକା ପ୍ରତି ହୋଇଥିବା ଅସମ୍ମାନ ଘଟଣାକୁ ନେଇ ଗୁରୁବାର ଲଖନପୁରରେ ଘଟିଥିବା ଏକ ଘଟଣାରେ ସ୍ଥାନୀୟ ପଞ୍ଚାୟତର ନାଏବ ସରପଞ୍ଚଙ୍କୁ ମାଡ଼ପିଟ କରିଥିବା ଅଭିଯୋଗରେ ଲଖନପୁର ପୁଲିସ ବେହେରାଗୁଡ଼ାର ଜଣେ ମାଂସ ଦୋକାନୀକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାଂସ ଦୋକାନୀ ହେଉଛି ଉତ୍ତରପ୍ରଦେଶ ପ୍ରତାପଗଡ଼ ଜିଲ୍ଲା ଭାଗବତଗଞ୍ଜର ମହମ୍ମଦ ସାହେବାନ ଓରଫ ଚାନ୍ଦ(୨୮)।

ଗୁରୁବାର ମଧ୍ୟାହ୍ନରେ ଲଖନପୁର ଗ୍ରାମ ନ୍ୟାୟାଳୟ ସମ୍ମୁଖରେ ଥିବା ଏକ ହୋଟେଲରେ ନାଏବ ସରପଞ୍ଚ ଈଶ୍ୱର ବନଛୋର ଓ ପିକୋଲ ୱାର୍ଡ ସଭ୍ୟ ଭବାନୀ କିଷାନ ବିଭିନ୍ନ ଲୋକଙ୍କ ସହ ବନ୍ଧବାହାଲ ଘଟଣା ସମ୍ପର୍କରେ ଚର୍ଚ୍ଚା କରୁଥିଲେ। ଏହି ସମୟରେ ଉକ୍ତ ହୋଟେଲରେ ଖାଉଥିବା ମାଂସ ଦୋକାନୀ ଚାନ୍ଦ ହଠାତ୍‌ ଉତ୍ତେଜିତ ହୋଇ ଉକ୍ତ ଘଟଣାକୁ ନେଇ ନାଏବ ସରପଞ୍ଚ ଓ ୱାର୍ଡ ସଭ୍ୟଙ୍କୁ ମାଡ଼ପିଟ କରିବା ସହ ସେମାନଙ୍କ ସାର୍ଟ ଫାଡ଼ି ଦେଇଥିଲା ଓ ଛୁରି ବାହାର କରି ଉଭୟଙ୍କୁ ମାରିବାକୁ ମଧ୍ୟ ଉଦ୍ୟମ କରିଥିଲା। ପରେ ସେଠାରେ ଅନେକ ଲୋକ ଜମା ହୋଇ ମାଂସ ଦୋକାନୀ ଚାନ୍ଦକୁ ଛଡ଼ା ଛଡ଼ି କରି ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ନାଏବ ସରପଞ୍ଚ ଶ୍ରୀ ବନଛୋରଙ୍କ ଅଭିଯୋଗ ଆଧାରରେ ଲଖନପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ। ପୁଲିସ ଅଭିଯୁକ୍ତ ଚାନ୍ଦକୁ ଗିରଫ କରି ଝାରସୁଗୁଡ଼ା ଏସ୍‌ଡିଜେଏମ୍‌ କୋର୍ଟକୁ ଶୁକ୍ରବାର ଚାଲାଣ କରାଯାଇଥିବା ଥାନା ଆଇଆଇସି ଇଗ୍ନେସ ବାର୍ଲା ସୂଚନା ଦେଇଛନ୍ତି। ଅଭିଯୁକ୍ତ ଚାନ୍ଦ ଜଣେ ଅପରାଧୀ ମାନସିକତାର ବ୍ୟକ୍ତି ଏବଂ ଏଭଳି ଘଟଣାରେ ତା ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ରୁଜୁ ହୋଇଥିବା ମାମଲାରେ ଅତୀତରେ ସେ ଜେଲ ମଧ୍ୟ ଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର