ୱିଲିୟମ୍‌ ଓ କେଟ୍‌ଙ୍କୁ ‘ୱେଲ୍‌ଜ୍‌’ର ଯୁବରାଜ ଓ ଯୁବରାଣୀ ନାମିତ କଲେ ରାଜା ଚାର୍ଲସ୍‌

ଲଣ୍ଡନ୍‌: ଶୁକ୍ରବାର ଦିନ ବ୍ରିଟେନ୍‌ର ରାଜା ତୃତୀୟ ଚାର୍ଲସ୍‌ ଜ୍ୟେଷ୍ଠପୁତ୍ର ୱିଲିୟମ୍‌ ଏବଂ ଜ୍ୟେଷ୍ଠା ପୁତ୍ରବଧୂ କେଟ୍‌ଙ୍କୁ ‘ୱେଲ୍‌ଜ୍‌’ର ଯୁବରାଜ ଓ ଯୁବରାଣୀ ଉପାଧି ପ୍ରଦାନ କରିଛନ୍ତି। ପୂର୍ବରୁ ଏହି ଚାର୍ଲସ୍‌ ଓ ତାଙ୍କ ଦିବଂଗତା ପତ୍ନୀ ଡଏନା ଏହି ଉପାଧି ଧାରଣ କରିଥିଲେ।

ସୂଚନାଯୋଗ୍ୟ, ଯୁବରାଜ ଚାର୍ଲସ୍‌ଙ୍କୁ ବିବାହ କରିବା ପରଠାରୁ ‘ୱେଲ୍‌ଜ୍‌’ର ଯୁବରାଣୀ ଡାଏନା ଗଣମାଧ୍ୟମରେ ସଦାସର୍ବଦା ଚର୍ଚ୍ଚିତା ବ୍ୟକ୍ତିତ୍ବ ଥିଲେ। ଚାର୍ଲସ୍‌ଙ୍କ ଠାରୁ ବିବାହ ବିଚ୍ଛେଦ ହେବାର ୫ ବର୍ଷ ପରେ, ୧୯୯୭ରେ ମାତ୍ର ୩୬ ବର୍ଷ ବୟସରେ ସେ କାର୍‌ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ବିଶ୍ବବ୍ୟାପୀ ଜନତା ଶୋକାଭିଭୂତ ହୋଇପଡ଼ିଥିଲେ।

ରାଜ ପରିବାରସୂତ୍ରରୁ ଜଣାପଡ଼ିଛି ଯେ, ଏହି ଉପାଧି ସହିତ ବିଜଡ଼ିତ ଇତିହାସକୁ କେଟ୍‌ ଖୁବ୍‌ ପ୍ରଶଂସା କରିଛନ୍ତି। କିନ୍ତୁ, ‘ୱେଲ୍‌ଜ୍‌’ର ଯୁବରାଣୀ ଭାବେ ସେ ଆପଣା ବିବେକ ଅନୁଯାୟୀ କାର୍ଯ୍ୟ କରିବେ।

Image Courtesy of NDTV

ଗୁରୁବାର ଦିନ ମାତା ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁ ପରେ ଜାତି ଉଦ୍ଦେଶ୍ୟରେ ପ୍ରଦତ୍ତ ତାଙ୍କର ପ୍ରଥମ ଉଦ୍‌ବୋଧନରେ ଚାର୍ଲସ୍‌ କହିଛନ୍ତି ଯେ, ତାଙ୍କର ଉତ୍ତରାଧିକାରୀ ୱିଲିୟମ୍‌କୁ ‘ୱେଲ୍‌ଜ୍‌’ର ଯୁବରାଜ କରି ସେ ଆନନ୍ଦିତ। ୧୯୫୮ ମସିହାରୁ ଚାର୍ଲସ୍‌ ଏହି ଉପାଧି ଧାରଣ କରିଆସୁଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣେ କ୍ୟାଥେରାଇନ୍‌ଙ୍କ (କେଟ୍‌) ସହିତ ଆମ ‘ୱେଲ୍‌ଜ୍‌’ର ଯୁବରାଜ ଓ ଯୁବରାଣୀ ଜାତୀୟ ବିଚାରବିମର୍ଶକୁ ପ୍ରେରଣା ଦେବା ସହ ତା’ର ନେତୃତ୍ବ ନେଇ ପାରିବେ। ଏହାଛଡ଼ା, ଗୁରୁତ୍ବପୂର୍ଣ୍ଣ ସହାୟତା ପ୍ରଦାନ କରିବା ପାଇଁ ଉପେକ୍ଷିତ ପ୍ରସଙ୍ଗକୁ ରାଜନୈତିକ ସ୍ଥଳକୁ ଆଣିବାରେ ସହାୟତା କରିବେ।

ଅଳ୍ପ କିଛି ବର୍ଷ ହେବ ୪୦ ବର୍ଷ ବୟସ୍କ ୱିଲିୟମ୍ ଓ କେଟ୍‌ସ୍‌ ରାଜ ପରିବାରରେ ଗରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛନ୍ତି। ସେମାନଙ୍କର ତିନି ପିଲାଙ୍କୁ ଧରି ନିୟମିତ ଭାବେ ସର୍ବସାଧାରଣରେ ଦେଖା ଦେବା ସହିତ ବିଭିନ୍ନ ରାଜକୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ‘ପ୍ଲାଟିନମ୍‌ ଜୁବିଲି’ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର