ରାଧିକା ଆପ୍ଟେଙ୍କୁ ଭାରତୀୟ ସିନେମାର ସବୁଠାରୁ ଦକ୍ଷ ଅଭିନେତ୍ରୀଙ୍କ ତାଲିକାରେ ଗଣାଯାଏ। ଏହା ପଛର ମୁଖ୍ୟ କାରଣ ହେଲା ରାଧିକା ଚିିରାଚରିତ ସଂଗୀତ ଓ ନୃତ୍ୟଭିତ୍ତିକ ସିନେମାରୁ ଦୂରେଇ ରହନ୍ତି ଏବଂ ଚିନ୍ତାଶୀଳ ହୋଇ ଉତ୍ତମ କାହାଣୀଭିତ୍ତିକ ଚରିତ୍ର ବାଛିଥାନ୍ତି। ବିଶେଷତଃ ଓଟିଟି ଷ୍ଟ୍ରିମିଂ ମଞ୍ଚରେ ତାଙ୍କର ଦଖଲ ରହିଆସିଥିବା ବେଳେ ‘ଅନ୍ଧାଧୁନ’ ଓ ‘ପ୍ୟାଡ୍ ମ୍ୟାନ୍’ ଚଳଚ୍ଚିତ୍ରରେ ତାଙ୍କର ପ୍ରସିଦ୍ଧି ଶୀର୍ଷରେ ପହଞ୍ଚିଥିଲା। ସେ ନିକଟରେ କହିଛନ୍ତି ଯେ ତାଙ୍କୁ ପ୍ରାୟ ସବୁ ପ୍ରକାର ଚଳଚ୍ଚିତ୍ରରେ ଅଭିନୟ ପାଇଁ ପ୍ରସ୍ତାବ ମିଳିଆସିଛି। ତେବେ ସେ ଜାଣିବୁଝି ଯେଉଁ ଗୋଟିଏ ଶ୍ରେଣୀର ଚଳଚ୍ଚିତ୍ରରୁ ଦୂରେଇ ରହିଛନ୍ତି ତାହା ହେଉଛି ‘ସେକ୍ସ କମେଡି’ ବା ଯୌନ ବ୍ୟଙ୍ଗ। ଅତୀତରେ ବ୍ୟଙ୍ଗ ନାମରେ ଅନେକ ଚଳଚ୍ଚିତ୍ରରେ ନାରୀଙ୍କୁ ଅତ୍ୟନ୍ତ ବିଦ୍ବେଷମୂଳକ ଭାବେ ପ୍ରଦର୍ଶିତ କରାଯାଇଛି ଏବଂ ସେଭଳି ଚଳଚ୍ଚିତ୍ରର ବ୍ୟଙ୍ଗ ରାଧିକାଙ୍କୁ ଅରୁଚିକର ମନେ ହୁଏ। ତାଙ୍କ ଅନୁସାରେ ସେଭଳି ଚଳଚ୍ଚିତ୍ର ମହିଳାଙ୍କ ପ୍ରତି ଅପମାନଜନକ। ସ୍ମରଣଯୋଗ୍ୟ ଯେ ‘ବଦଲାପୁର’ ଚଳଚ୍ଚିତ୍ରରେ ଅଭିନେତା ବରୁଣ ଧାଵନଙ୍କ ସହ ଏକ ଯୌନ ଉଦ୍ଦୀପକ ଦୃଶ୍ୟରେ ଦେଖାଦେବା ପରେ ରାଧିକାଙ୍କୁ ଯୌନ ବ୍ୟଙ୍ଗ ଚଳଚ୍ଚିତ୍ରରେ ଅଭିନୟ କରିବା ଲାଗି ଅନେକ ପ୍ରସ୍ତାବ ମିଳିବା ଆରମ୍ଭ ହୋଇଥିଲା। ସେସବୁ ଚଳଚ୍ଚିତ୍ରର ସଂଳାପ ଓ ଦୃଶ୍ୟ ମହିଳାଙ୍କ ପ୍ରତି ଅତ୍ୟନ୍ତ ଅପମାନସୂଚକ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ତେଣୁ ସେ ସେଗୁଡ଼ିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସିନେମା ଚୟନ ବେଳେ ତାଙ୍କର ଏକ ବଦ୍ଧମୂଳ ନୀତି ହେଉଛି ମହିଳାଙ୍କୁ ଯୌନ ବସ୍ତୁ ଭଳି ବ୍ୟବହାର କରାଯାଉଥିବା ସିନେମାରେ ସେ କଦାପି ଅଭିନୟ କରିବେ ନାହିଁ। ତେବେ ଏଥିରେ କିଛିଟା ବ୍ୟତିକ୍ରମ ରହିଛି। ୨୦୧୫ରେ ସେ ‘ହଣ୍ଟର୍’ ଶୀର୍ଷକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯାହା ଯୌନ ବ୍ୟଙ୍ଗ ଶ୍ରେଣୀରେ ଯିବ। ତେବେ କେଉଁ ପରିସ୍ଥିତିରେ ବ୍ୟଙ୍ଗ କରାଯାଉଛି ତାହା ଦର୍ଶକ ସ୍ପଷ୍ଟ ରୂପେ ଜାଣିପାରିବା ଦରକାର। ଯଦି ଚଳଚ୍ଚିତ୍ରରେ କେହି ନାରୀବିଦ୍ବେଷୀ ହୋଇଥାଏ, ତା’ହେଲେ ତା’ ମୁହଁରୁ ମହିଳାଙ୍କୁ ନେଇ ଯୌନ ବ୍ୟଙ୍ଗ ରାଧିକାଙ୍କ ଲାଗି ଗ୍ରହଣଯୋଗ୍ୟ। ଶେଷ ଥର ‘ବିକ୍ରମ ବେଦ’ ଚଳଚ୍ଚିତ୍ରରେ ସୈଫ ଅଲି ଖାଁଙ୍କ ଆଇନଜୀବୀ ପତ୍ନୀ ରୂପରେ ରାଧିକାଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିଥିଲା। ଆସନ୍ତା ନଭେମ୍ବର ୧୧ରେ ‘ନେଟ୍ଫ୍ଲିକ୍ସ’ ମଞ୍ଚରେ ରାଧିକାଙ୍କ ଅଭିନୀତ ‘ମୋନିକା, ଓ ମାଇଁ ଡାର୍ଲିଂ’ ଚଳଚ୍ଚିତ୍ର ମୁକ୍ତିଲାଭ କରିବ।