୬ ରାଜ୍ୟର ଉପନିର୍ବାଚନ: ୪ ଆସନରେ ବିଜେପି ବିଜୟୀ

ଟିଆରଏସ, ଆରଜେଡି ଏବଂ ଶିବ‌ସେନା ଉଦ୍ଧବ ଗୋଷ୍ଠୀ ଗୋଟିଏ ଲେଖାଏଁ ଆସନରେ ବିଜୟୀ

ନୂଆଦିଲ୍ଲୀ: ଦେଶର ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଗତ ୩ ତାରିଖରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜେପି ୪ଟି ଆସନରେ ବିଜୟ ଲାଭ କରିଛି। ସେହି ଆସନଗୁଡ଼ିକ ହେଲା ହରିୟାଣାର ଆଦମପୁର, ବିହାରର ଗୋପାଳଗଞ୍ଜ, ଉତ୍ତର ପ୍ରଦେଶର ଗୋଲା ଗୋକର୍ଣ୍ଣନାଥ ଏବଂ ଓଡ଼ିଶାର ଧାମନଗର। ତେଜସ୍ବୀ ଯାଦବଙ୍କ ଆରଜେଡି ବିହାରର ମୋକମା ଆସନରେ ବିଜୟୀ ହୋଇଛି। କେସିଆରଙ୍କ ଟିଆରଏସ ମୁନୁଗୋଡ଼େ ଆସନରେ ବିଜୟୀ ହୋଇଥିବାବେଳେ ମହାରାଷ୍ଟ୍ରର ଅନ୍ଧେରୀ (ଇଷ୍ଟ)ରେ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିହାରର ମୋକମା ବିଧାନସଭା ଆସନରେ ଆରଜେଡିର ନୀଲମ ଦେବୀ ବିଜୟୀ ହୋଇଥିବାବେଳେ ଗୋପାଳଗଞ୍ଜରେ ବିଜେପିର କୁସୁମ ଦେବୀ ବିଜୟୀ ହୋଇଛନ୍ତି। ମୋକମାରେ ନୀଲମ ଦେବୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପିର ସୋନମ ଦେବୀଙ୍କୁ ୧୬ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି। ଅନ୍ୟପକ୍ଷରେ ଗୋପାଳଗଞ୍ଜ ଆସନରେ ବିଜେପିର କୁସୁମଦେବୀ ଆରଜେଡିର ମୋହନ ଗୁପ୍ତାଙ୍କୁ ପରାଜିତ କରିଛନ୍ତି। କୁସୁମ ଦେବୀଙ୍କୁ ୭୦,୦୩୨ ଭୋଟ ମିଳିଥିବାବେଳେ ଆରଜେଡିର ମୋହନ ଗୁପ୍ତାଙ୍କୁ ୬୮୨୪୩ ଭୋଟ ମିଳିଛି।

ଉତ୍ତରପ୍ରଦେଶର ଗୋଲା ଗୋକର୍ଣ୍ଣନାଥ ବିଧାନସଭା ଆସନରେ ବିଜେପି ନିଜ ଗଡ଼ ବଜାୟ ରଖିଛି। ଏଠାରେ ବିଜେପି ପ୍ରାର୍ଥୀ ଅମନ ଗିରି ବିଜୟୀ ହୋଇଛନ୍ତି। ସେ ସପା ପ୍ରାର୍ଥୀ ବିନୟ ତିୱାରୀଙ୍କୁ ରେକର୍ଡ ବ୍ୟବଧାନରେ ପରାଜିତ କରିଛନ୍ତି। ଅମନ ଗିରିଙ୍କ ବାପାଙ୍କ ମୃତ୍ୟୁ ପରେ ଏଠାରେ ବିଧାନସଭା ଉପନିର୍ବାଚନ ହୋଇଥିଲା। ମହାରାଷ୍ଟ୍ରର ଅନ୍ଧେରୀ (ଇଷ୍ଟ) ଆସନରେ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ପ୍ରାର୍ଥୀ ଋତୁଜା ଲଟକେ ବିଜୟୀ ହୋଇଛନ୍ତି। ଏଠରେ ତାଙ୍କ ଦିବଂଗତ ସ୍ବାମୀ ବିଧାୟକ ଥିଲେ। ୨୦୨୨ ମେ ମାସରେ ଋତୁଜାଙ୍କ ସ୍ବାମୀଙ୍କ ମୃତ୍ୟୁପରେ ଏଠାରେ ଉପନିର୍ବାଚନ ହୋଇଥିଲା। ତେଣୁ ଶିବସେନା ଉଦ୍ଧବ ଗୋଷ୍ଠୀ ଏଠାରେ ବିଜୟୀ ହୋଇଛନ୍ତି। ଏହି ଆସନରେ ବିଜେପି-ଶିବସେନା ସିନ୍ଦେ ଗୋଷ୍ଠୀ ପକ୍ଷରୁ ପ୍ରାର୍ଥୀ ଦିଆଯାଇନଥିଲା। ତେଲେଙ୍ଗାନାର ମୁନୁଗୋଡ଼େ ଆସନରେ କେସିଆରଙ୍କ ଦଳ ଟିଆରଏସର କେ.ଶକୁନ୍ତଳା ପ୍ରଭାକର ରେଡ୍ଡୀ ବିଜୟୀ ହୋଇଛନ୍ତି। ଟିଆରଏସ ପ୍ରାର୍ଥୀ ୧୧୬୬୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବିଜେପିର କୋମାଟିରେଡ୍ଡୀ ରାଜ ଗୋପାଳ ରେଡ୍ଡୀଙ୍କୁ ସେ ପରାଜିତ କରିଛନ୍ତି। ପୂର୍ବରୁ ଏହି ଆସନ କଂଗ୍ରେସ ପାଖରେ ଥିଲା। ହରିୟାଣାର ଆଦମପୁର ଆସନରେ ବିଜେପିର ଭବ୍ୟ ବିଷ୍ଣୋଇ ବିଜୟୀ ହୋଇଛନ୍ତି। ପୂର୍ବରୁ ଏହି ଆସନ କଂଗ୍ରେସ ପାଖରେ ରହିଥିଲା। ଓଡ଼ିଶାର ଧାମନଗରରେ ବିଜେପିର ସୂର୍ଯ୍ୟବଂଶୀ ସୂରଜ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅବନ୍ତୀ ଦାସଙ୍କୁ ୯ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି।

ସମ୍ବନ୍ଧିତ ଖବର