ରାଜାଙ୍କୁ ଜ୍ଞାନ

ଜଣେ ରାଜା ଜ୍ଞାନ ଲାଭ କରିବା ଲାଗି ଜଣେ ପ୍ରସିଦ୍ଧ ଜେନ୍‌ ଗୁରୁଙ୍କ ପାଖରେ ପହଞ୍ଚିଲେ। ସେତେବେଳକୁ ଗୁରୁ ଗଛବୃଚ୍ଛ ସଫା କରିବା କାମ କରିବାକୁ ବାହାରିଥିଲେ। ରାଜା ପହଞ୍ଚି ନିଜ ଅଭିପ୍ରାୟ ଜଣାଇବାରୁ ଗୁରୁ କହିଲେ- ତାହା ହେଲେ ମୁଁ କ’ଣ କରୁଛି ଦେଖ।

ତା’ ପରେ ‌ଗୁରୁ ନିଜ କାମରେ ଲାଗିଲେ ଏବଂ ରାଜା ଦେଖିଲେ। ଦୀର୍ଘ କାଳ ଦେଖି ଦେଖି ବିରକ୍ତ ହୋଇ ରା‌ଜା ଗୁରୁଙ୍କୁ ଡାକିଲେ। କିନ୍ତୁ ମଜ୍ଜି ଯାଇଥିବା ଗୁରୁ ଶୁଣିପାରିଲେ ନାହିଁ। ଏବେ ରାଜା ତାଙ୍କୁ ଜୋରରେ ହଲାଇ ଦେବାରୁ ସେ ସଂବିତ୍‌ ଫେରି ପାଇଲେ। ରାଜା କହିଲେ- ଆପଣ ସଫାସଫି କାମରେ ଲାଗିଗଲେ ଯେ? ମୋତେ କିଛି ଜ୍ଞାନ ଦେଲେ ମୁଁ ଫେରିଯିବି।

ଗୁରୁ କହିଲେ- ଆଶ୍ଚର୍ଯ୍ୟ! ମୁଁ ସଫାସଫି କରୁଥିବା କଥା ତୁମେ ଏ ପର୍ଯ୍ୟନ୍ତ ଦେଖୁଛ। ଦେଖିପାରୁନାହଁ କେମିତି ମୁଁ ମୋ କାମରେ ଲୀନ ହୋଇଯାଇଛି! କାମ ହୋଇଚାଲିଛି, କିନ୍ତୁ ସେଥିରେ ମୋର ସତ୍ତା ନାହିଁ! ସେମିତି ତୁମେ ଦେଖିବା କାମରେ ଲୀନ ହୋଇଯାଅ। ତୁମେ ସେତିକି ହୋଇପାରୁନାହଁ ବୋଲି ବିରକ୍ତି ଲାଗୁଛି। ଆଉ ଯଦି ସତରେ ମନ ନ ଲାଗୁଛି, ତେବେ ଫେରି ଯାଆନ୍ତୁ। ଏବଂ ଏମିତି ଫେରନ୍ତୁ, ଯେମିତି ତା’ ଭିତରେ ଲୀନ ହୋଇଯିବେ! ଆପଣ କେବଳ ଫେରୁଥିବେ, ଆପଣଙ୍କ ମନ ଆଉ କେଉଁଠି ହେଲେ ନ ଥିବ!
ରାଜା ଉଠିଲେ, ଅଭିବାଦନ ଜଣାଇଲେ ଏବଂ କହିଲେ- ଏହା ତ ମୋ ଲାଗି ପରମ ଜ୍ଞାନ!

ସମ୍ବନ୍ଧିତ ଖବର