ଦୌଡ଼ ଦୁନିଆର ଉଜ୍ଜ୍ବଳ ଜ୍ୟୋତି: ଆନ୍ଧ୍ର ଝିଅ, ଓଡ଼ିଶା ଠିକଣା

ଅନୁରାଧା ଓ ଦୂତିଙ୍କ ପ୍ରେରଣା

ଭୁବନେଶ୍ବର (ସୁରେଶ ସ୍ବାଇଁ): ଆଥଲେଟିକ୍ସକୁ ‘ମଦର୍‌ ଅଫ୍‌ ଅଲ୍ ଗେମ୍ସ’ କୁହାଯାଉଥିଲେ ମଧ୍ୟ ଏହି ଖେଳରେ ଭାରତୀୟଙ୍କ ବିଶ୍ବସ୍ତରୀୟ ସଫଳତା ହାତଗଣତିରେ ସୀମିତ ରହିଛି। ବିଶେଷ କରି ଅଲିମ୍ପିକ୍ସ ଓ ବିଶ୍ବ ପ୍ରତିଯୋଗିତାରେ ଏହା ଅତି ନଗଣ୍ୟ। ଗତବର୍ଷ ଟୋକିଓ ୨୦୨୦ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ଜାଭଲିନ୍ ସ୍ବର୍ଣ୍ଣ ବିଜୟ ଥିଲା ସ୍ବାଧୀନ ଭାରତର ସର୍ବପ୍ରଥମ ଅଲିମ୍ପିକ୍ସ ଟ୍ରାକ୍‌ ଆଣ୍ଡ୍ ଫିଲ୍ଡ ପଦକ। ୧୯୦୦ ମସିହାର ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରିଟିସ୍ ଇଣ୍ଡିଆନ୍‌ ଭାବେ ନର୍ମାନ୍ ପ୍ରିଚାର୍ଡଙ୍କ ୨ ରୌପ୍ୟ ପଦକ (୨୦୦ ମିଟର୍ ଦୌଡ଼ ଓ ୨୦୦ ମିଟର୍ ବାଧାଦୌଡ଼) ସେ ପର୍ଯ୍ୟନ୍ତ ଥିଲା ଦୌଡ଼କୁଦର ବିରଳ ସଫଳତା। ନୀରଜ ଚୋପ୍ରାଙ୍କ ସ୍ବର୍ଣ୍ଣ ବିଜୟ ନିଶ୍ଚିତ ଭାରତୀୟ ଦୌଡ଼କୁଦ ଦୁନିଆକୁ ନୂଆ ଦିଶା ଦେଇଛି। ଟ୍ରାକ୍ ଆଣ୍ଡ୍ ଫିଲ୍ଡ ଇଭେଣ୍ଟରେ ଅଲିମ୍ପିକ୍ସ ପଦକ ଜିତିହେବାର ବିଶ୍ବାସ ଜାଗ୍ରତ କରିଛି ଭାରତୀୟ ଖେଳାଳିଙ୍କ ମଧ୍ୟରେ। ସମାନ ସମୟରେ ଜଣେ ଉଦୀୟମାନ‌ ରନର୍‌ ଜ୍ୟୋତି ୟାରାଜୀଙ୍କ ଆବିର୍ଭାବ ଏବେ କ୍ରୀଡ଼ା ପ୍ରଶିକ୍ଷକ ଓ ପ୍ରଶାସକଙ୍କ ପାଇଁ ବଡ଼ ସ୍ବପ୍ନ‌ ଦେଖିବାର ଭରସା ଦେଇଛି। ଗତ ମାସରେ ଜ୍ୟୋତି ପ୍ରଥମ ଭାରତୀୟ ଭାବେ ୧୦୦ ମିଟର୍ ବାଧାଦୌଡ଼ରେ ପ୍ରଥମ ସବ୍ ୧୩ ସେକେଣ୍ଡ୍‌ ପ୍ରଦର୍ଶନ କରିଛନ୍ତି। ଏହା ପୂର୍ବରୁ ଓଡ଼ିଶା ଅଲିମ୍ପିଆନ୍‌ ଅନୁରାଧା ବିଶ୍ବାଳଙ୍କ ଦୁଇ ଦଶନ୍ଧୀର କୀର୍ତ୍ତିମାନକୁ ଭାଙ୍ଗି ଚଳିତ ବର୍ଷର ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ବର୍ଷକ ଭିତରେ ୪ ଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି ଏହି ଆନ୍ଧ୍ରପ୍ରଦେଶ ଝିଅ। ଏବେ ଜ୍ୟୋତିଙ୍କ ନାମରେ ରହିଛି ୧୨.୮୨ ସେକେଣ୍ଡ୍‌ର ଜାତୀୟ କୀର୍ତ୍ତିମାନ (୨୦୨୨ ଜାତୀୟ ଓପନ୍ ଦୌଡ଼କୁଦ, ବେଙ୍ଗାଲୁରୁ)। ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କିନ୍ତୁ ରହିଛି ୧୨.୭୯ ସେକେଣ୍ଡ୍‌। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଜ୍ୟୋତିଙ୍କୁ ‘ସମ୍ବାଦ’ ଭେଟିବା ବେଳେ ସେ କହିଥିଲେ, ନିଜ ଖେଳ ଜୀବନ ଓ ଭବିଷ୍ୟତ ସ୍ବପ୍ନର କାହାଣୀ।

ଆନ୍ଧ୍ର ଝିଅ, ଓଡ଼ିଶା ଠିକଣା
ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ବାପୁଜୀନଗର ହେଉଛି ଜ୍ୟୋତିଙ୍କ ଘର। ଜନ୍ମ ୧୯୯୯ ଅଗଷ୍ଟ ୨୮ ତାରିଖରେ। ପିତା ୱାଇ ସୂର୍ଯ୍ୟନାରାୟଣ ଜଣେ ସୁରକ୍ଷା କର୍ମୀ ଏବଂ ମା’ କୁମାରୀ ଏକ ଘରୋଇ ଡାକ୍ତରଖାନାରେ ସାମୟିକ ସଫେଇ କର୍ମଚାରୀ। ଏକ ଦରିଦ୍ର ପରିବାରରେ ପିଲାଦିନେ ଅନେକ ବାଧାର ସମ୍ମୁଖୀନ ହୋଇଥିବା ଜ୍ୟୋତି ଶେଷରେ ଦୁର୍ବଳତାକୁ ସାମର୍ଥ୍ୟରେ ପରିଣତ କରିଛନ୍ତି। ମାତ୍ର ୨୩ ବର୍ଷ ବୟସରେ ସଫଳ ବାଧାଦୌଡ଼ାଳି ଭାବେ ଏବେ ଭାରତୀୟ ଦୌଡ଼କୁଦ ଦୁନିଆରେ ପରିଚିତା ହୋଇଛନ୍ତି। ଆଗକୁ ଲମ୍ବା ପଥ ରହିଥିଲେ ବି ଜ୍ୟୋତି ଯେ ଭାରତର ଭବିଷ୍ୟତ ଏହା ସଭିଏଁ ସ୍ବୀକାର କରୁଛନ୍ତି। ଏହି ଆନ୍ଧ୍ର ତରୁଣୀ ଏବେ କିନ୍ତୁ ଓଡ଼ିଶାକୁ ନୂଆ ଘର କରିଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ ହୋଇଛି ତାଙ୍କ ନୂଆ ଠିକଣା। ଏଠାରେ ଥିବା ରି‌ଲାଏନ୍ସ ଫାଉଣ୍ଡେସନ୍‌ ଓଡ଼ିଶା ଆଥଲେଟିକ୍ସ ହାଇ ପର୍‌ଫର୍ମାନ୍ସ ସେଣ୍ଟରରେ ଗତ ୩ ବର୍ଷ ହେବ ରହି ନିଜ ଖେଳ ଜୀବନକୁ ଶାଣିତ କରୁଛନ୍ତି। ଭୁବନେଶ୍ବର ଆସିବା ପରଠାରୁ ଜ୍ୟୋତିଙ୍କ ଖେଳ ଜୀବନ ବି ଊର୍ଧ୍ବ ମୁଖା ହୋଇଛି। ଆହତ ସମସ୍ୟା ଓ କୋଭିଡ୍‌ କଟକଣା ସତ୍ତ୍ବେ ଜ୍ୟୋତିଙ୍କ ଶକ୍ତି ଓ ସାମର୍ଥ୍ୟ ଅଧିକ ଗତିଶୀଳ ହୋଇଛି। ‘‘ଓଡ଼ିଶା ଏଚ୍‌ପିସି ମୋତେ ନୂଆ ପରିଚୟ ଦେଇଛି। ଏଠାରେ ଗୋଟିଏ ସ୍ଥଳରେ ରହିବା, ତାଲିମ ନେବା, ଅଭ୍ୟାସ କରିବା, ପ୍ରତିଯୋଗିତାରେ ଭାଗ ନେବାର ବ୍ୟବସ୍ଥା ଅଭିଭୂତ। ବିଗତ ୨ ବର୍ଷ ହେବ ମୁଁ ଢେର ଅଗ୍ରଗତି କରିଛି। ସମୟରେ ସୁଧାର ଆସିଛି, ଜାତୀୟ ରେକର୍ଡକୁ ବାରମ୍ବାର ପଛକୁ ପକାଇଛି।

ରିଲାଏନ୍ସ ଫାଉଣ୍ଡେସନ୍ ଓ ଓଡ଼ିଶା ସରକାରଙ୍କ ମୁକ୍ତ ସମର୍ଥନ ମୋତେ ବିଶେଷ ପ୍ରଭାବିତ କରିଛି, ଏଥିପାଇଁ ଚିର କୃତଜ୍ଞ ରହିବି।’’ ବୋଲି ଜ୍ୟୋତି କହିଛନ୍ତି। ୨୦୧୫ରେ ଆନ୍ଧ୍ରପ୍ର‌ଦେଶ ଅନ୍ତଃଜିଲ୍ଲା ପ୍ରତିଯୋଗିତାରୁ ମିଳିଥିବା ଏହି କଚ୍ଚା ପ୍ରତିଭା ଏବେ ୭ ବର୍ଷ ଭିତରେ ଢେର ଆଗକୁ ଚାଲିଯାଇଛନ୍ତି। ୨୦୨୦ରେ ମୁଦାବିଦ୍ରୀ (କର୍ଣ୍ଣାଟକ) ଅନ୍ତବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ୧୩.୦୩ ‌ସେକେଣ୍ଡ୍‌ ଏବଂ ୨୦୨୨ କୋଝିକୋଡ ଫେଡେରେସନ୍‌ କପ୍‌ରେ ୧୩.୦୯ ସେକେଣ୍ଡ୍‌ ସମୟକୁ ସ୍ବୀକୃତି ମିଳିନଥିଲେ ମଧ୍ୟ ଜ୍ୟୋତି ନିଜକୁ ବାରମ୍ବାର ପ୍ରମାଣିତ କରି ସାରିଛନ୍ତି।

ଅନୁରାଧା ଓ ଦୂତିଙ୍କ ପ୍ରେରଣା
ଅଲିମ୍ପିଆନ୍‌ ଅନୁରାଧା (ବିଶ୍ବାଳ) ଦିଦି, ଦୂତି (ଚାନ୍ଦ) ଦିଦି ଓ ଗାୟତ୍ରୀ (ଗୋବିନ୍ଦରାଜ) ଦିଦିଙ୍କ ପ୍ରେରଣା ଓ ସମର୍ଥନ ମୋତେ ସହାୟକ‌ ହୋଇଛି। ଅନୁରାଧା ଦିଦିଙ୍କ କୀର୍ତ୍ତିମାନ ଟପିବା ପୂର୍ବରୁ ଓ ପରେ ସେ ମୋତେ ଉତ୍ସାହିତ କରିଛନ୍ତି ଓ ଅଭିନନ୍ଦନ ଜଣାଇଛନ୍ତି। ଗୋପୀଚାନ୍ଦ ଏକାଡେମିରେ ଦୂତି ଚାନ୍ଦଙ୍କ ସହ ସମୟ କାଟିବା ବେଳେ ସେ ମଧ୍ୟ ମୋ‌ତେ ଅଧିକ ଉତ୍ସାହିତ କରିଥିଲେ ବୋଲି କହିଥିଲେ ଜ୍ୟୋତି। ସୂଚନାଯୋଗ୍ୟ, ଦୂତିଙ୍କ ଜାତୀୟ ପ୍ରଶିକ୍ଷକ ଏନ୍ ରମେଶଙ୍କଠାରୁ ଖେଳ ଶିଖି ଆଗକୁ ବଢ଼ିଛନ୍ତି ଜ୍ୟୋତି। ଏବେ ରିଲାଏନ୍ସ ଫାଉଣ୍ଡେସନ୍‌ ଓଡ଼ିଶା ଆଥ୍‌ଲେଟିକ୍ସ ଏଚ୍‌ପିସିରେ ବ୍ରିଟିସ୍ ପ୍ରଶିକ୍ଷକ ତଥା ପୂର୍ବତନ ୪୦୦ ମିଟର୍ ବାଧାଦୌଡ଼ାଳି ଜେମ୍ସ ହିଲିୟର୍‌ ହେଉଛନ୍ତି ତାଙ୍କ ପ୍ରଶିକ୍ଷକ। ୨୦୨୦ କୋଭିଡ୍ ପୂର୍ବରୁ ଓଡ଼ିଶାରେ ଅନୁଷ୍ଠିତ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ଜ୍ୟୋତି ଅଦ୍ୟାବଧି ୪ ଅନ୍ତର୍ଜାତୀୟ ପଦକ ମଧ୍ୟ ଜିତି ସାରିଛନ୍ତି। ସାଇପ୍ରସ୍‌, ଲାଫବରୋ, ହ୍ୟାରି ସ୍କଲଟିଂ ଅର୍ନ୍ତଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ସେଠାରେ ଜାତୀୟ କୀର୍ତ୍ତିମାନକୁ ଯଥାକ୍ରମେ ୧୩.୧୩ ସେକେଣ୍ଡ, ୧୩.୧୧ ସେକେଣ୍ଡ୍‌, ୧୩.୦୯ ସେକେଣ୍ଡ୍‌ରେ ପହଞ୍ଚାଇଥିଲେ। ଇଫାମ ଆଉଟଡୋର୍‌ ଅନ୍ତର୍ଜାତୀୟରେ ରୌପ୍ୟ ପଦକ ହାସଲ କରିଛନ୍ତି। ୭ଟି ଜାତୀୟ ଜୁନିଅର୍‌ ପଦକ, ୫ଟି ଜାତୀୟ ସିନିଅର୍‌ ପଦକ, ୨ଟି ବିଶ୍ବବିଦ୍ୟାଳୟ ପଦକ ସହ ଚଳିତ ବର୍ଷ ବମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିଛନ୍ତି। ‘୧୦୦ ମିଟର୍ ହର୍ଡଲ୍ସରେ ଜ୍ୟୋତି ନିଶ୍ଚିତ ଭାରତର ଭବିଷ୍ୟତ।

ଏବେ ଆସନ୍ତାବର୍ଷର ଏସୀୟ କ୍ରୀଡ଼ା ଉପରେ ନଜର ରଖିବା ଉଚିତ୍। ମୁଁ ୨୦୦୨ ବୁସାନ୍‌ ଏସିଆଡ୍‌ରେ ଚତୁର୍ଥରେ ରହି ପଦକରୁ ବଞ୍ଚିତ‌ ହୋଇଥିଲି। ଜ୍ୟୋତି ଏହି ସ୍ବପ୍ନ ସାକାର କଲେ ମୁଁ ଖୁସି ହେବି’ ବୋଲି ଅଲିମ୍ପିଆନ୍‌ ଅନୁରାଧା ବିଶ୍ବାଳ ‘ସମ୍ବାଦ’କୁ କହିଛନ୍ତି। ଗତ ମାସରେ ଅନୁଷ୍ଠିତ ୩୬ତମ ଜାତୀୟ କ୍ରୀଡ଼ାରେ ଜ୍ୟୋତି ୨ ସ୍ବର୍ଣ୍ଣ ପଦକ ଜିତିଥିଲେ। ୧୦୦ ମିଟର୍‌ ଦୌଡ଼ (୧୧.୫୧ ସେକେଣ୍ଡ୍‌) ଏବଂ ୧୦୦ ମିଟର୍ ବାଧାଦୌଡ଼ (୧୨.୭୯ ସେକେଣ୍ଡ-ଜାତୀୟ ରେକର୍ଡ)ରେ ଏହି ସଫଳତା ପାଇଛନ୍ତି। ୧୦୦ ମିଟର୍‌ରେ ସେ ଶ୍ରାବଣୀ ନନ୍ଦ ଓ ହିମା ଦାସଙ୍କୁ ପଛରେ ପକାଇଥିଲେ। ଜ୍ୟୋତି ଯଦି ତାଙ୍କ ନିରଂତର ଅଗ୍ରଗତିକୁ ଜାରି ରଖନ୍ତି ତେବେ ଆସନ୍ତା ବର୍ଷର ଏସୀୟ କ୍ରୀଡ଼ା ପଦକ ଏବଂ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ଅଧିକ ଦୂର ହେବ ନାହିଁ ବୋଲି ବିଶ୍ବାସ କରାଯାଉଛି।

ସମ୍ବନ୍ଧିତ ଖବର