ସମଲିଙ୍ଗୀ ଓ କିନ୍ନରଙ୍କ ସମର୍ଥନରେ ଆମେରିକା

ଦୋହା: ଆମେରିକାର ବିଶ୍ବକପ୍‌ ଦଳ ସମଲିଙ୍ଗୀ ଓ କିନ୍ନର ସମ୍ପ୍ରଦାୟଙ୍କୁ ସମର୍ଥନ ଜଣାଇଛନ୍ତି। ଦଳର ଅଭ୍ୟାସ ଶିବିର ଭିତରେ ରହିଥିବା ଲୋଗୋରେ ଇନ୍ଦ୍ରଧନୁ ରଙ୍ଗକୁ ସାମିଲ କରାଯାଇ ସେମାନେ ଏହି ସମ୍ପ୍ରଦାୟ ପ୍ରତି ସମର୍ଥନ କରୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଯଦିଓ କାତାରରେ ସମଲିଙ୍ଗୀ ସଂପର୍କକୁ‌ ବେଆଇନ କରିଦିଆଯାଇଛି, କିନ୍ତୁ ଏହି ଧାରାରେ ପରିବର୍ତ୍ତନ ଆଣିବାକୁ ଆମେରିକା ଦଳ ଏଭଳି ପଦକ୍ଷେପ ହାତକୁ ନେଇଛି। କାତାର ଭଳି ଦେଶରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହି ଉଦ୍ୟମ କରାଯାଇଥିବା ଦଳର ପ୍ରଶିକ୍ଷକ ଗ୍ରେଗ୍‌ ବେରହଲ୍‌ଟର କହିଛନ୍ତି। ସାମାଜିକ ସମସ୍ୟାଗୁଡ଼ିକ ଉପରେ ବିଶ୍ବ ସମାଜର ଦୃଷ୍ଟି ଆକର୍ଷଣ କରାଯିବା ଆବଶ୍ୟକ ରହିଛି।

କାତାରରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଛି। କିନ୍ତୁ ଏସବୁ କ୍ଷେତ୍ରରେ ଦେଶକୁ ଆହୁରି କିଛି କାମ କରିବାକୁ ହେବ ବୋଲି ସେ କହିଛନ୍ତି। ତେବେ ବିଶ୍ବକପ୍‌ ମ୍ୟାଚ୍‌ ବେଳେ ଆମେରିକା ଦଳର ଖେଳାଳିମାନେ ଏହି ବ୍ୟାଜ୍‌କୁ ପରିଧାନ କରିବେନି ବରଂ ଅଣକ୍ରୀଡ଼ା କାର୍ଯ୍ୟକ୍ରମରେ ଇନ୍ଦ୍ରଧନୁ ରଙ୍ଗରେ ପ୍ରସ୍ତୁତ ହୋଇଥିବା ସଚେତନତା ବ୍ୟାଜ୍‌କୁ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦିଆଯାଇଛି। ପ୍ରଥମ ଥର ଏହି ବିଶ୍ବକପ୍‌ ମଧ୍ୟପୂର୍ବ ଦେଶରେ ଆୟୋଜିତ ହେବାକୁ ଯାଉଥିବାରୁ ଯେକୌଣସି ଲିଙ୍ଗର ବ୍ୟକ୍ତିଙ୍କୁ ଏଠାରେ ସ୍ବାଗତ କରାଯିବ ବୋଲି କୁହାଯାଇଛି। କିନ୍ତୁ ସର୍ବସାଧାରଣରେ ପ୍ରଦର୍ଶନ କରିବା ଭଳି ଆଚରଣ ନକରିବାକୁ ଆୟୋଜକଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ଫୁଟବଲ୍‌ ଖେଳାଳିମାନେ ମଧ୍ୟ କାତାର ଆଇନରେ ସମଲିଙ୍ଗୀ ଓ କିନ୍ନରମାନଙ୍କ ସହିତ ମହିଳାମାନଙ୍କ ଅଧିକାରରେ ପାତରଅନ୍ତର କରାଯାଉଥିବାରୁ ଚିନ୍ତା ପ୍ରକଟ କରିଥିଲେ।

ସମ୍ବନ୍ଧିତ ଖବର