ବିଶ୍ବବିଜେତା ଇଂଲଣ୍ଡ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଜିତିଲା ଅଷ୍ଟ୍ରେଲିଆ

ସିଡ୍‌ନି : ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ଦିନିକିଆ ଶୃଙ୍ଖଳାର ୨ଟି ଯାକ ମ୍ୟାଚ୍‌ ଇଂଲଣ୍ଡ ହାରିଯାଇଛି। ଗୁରୁବାର ପ୍ରଥମ ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତିଥିବା ଘରୋଇ ଅଷ୍ଟ୍ରେଲିଆ ଶନିବାର ଦ୍ବିତୀୟ ଦିନିକିଆକୁ ୭୨ ରନ୍‌ରେ ଜିତି ନେଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ୨-୦ରେ ଆଗୁଆ ଜିତିନେଇଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଷ୍ଟିଭେନ ସ୍ମିଥ୍‌ (୯୪), ମାର୍ନସ ଲବୁସାନେ (୫୮) ଓ ମିଚେଲ ମାର୍ଶ (୫୦) ଙ୍କ ଅର୍ଦ୍ଧଶତକ ବଳରେ ୮ ୱିକେଟ୍‌ ହରାଇ ୨୮୦ ରନ୍‌ କରିଥିଲା। ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ ୩ ଏବଂ ‌କ୍ରିସ ୱକ୍ସ ଓ ଡେଭିଡ ୱିଲି ୨ ୱିକେଟ୍‌ ଲେଖାଏଁ ନେଇଥି‌‌ଲେ। ଜବାବରେ ଇଂଲଣ୍ଡ ୩୮.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୦୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବିନା ରନ୍‌ରେ ଗୋଟିଏ ଓଭର ମଧ୍ୟରେ ୨ ୱିକେଟ୍‌ ହରାଇ ଆରମ୍ଭରୁ ଝୁଣ୍ଟି ଥିଲା ଏହି ବିଶ୍ବବିଜେତା। ମିଚେଲ୍‌ ଷ୍ଟାର୍କ ମେଡେନ୍‌ ସହ ଇଂଲଣ୍ଡକୁ ଏହି ଯୁଗଳ ଝଟ୍‌କା ଦେଇଥିଲେ।

ଏହାପରେ ଫିଲ୍‌ ସଲ୍ଟ (୨୩) ଙ୍କୁ ‌ଜୋସ୍‌ ହାଜେଲଉଡ୍‌ ଆଉଟ୍‌‌ କରିଦେବାରୁ ଭ୍ରମଣକାରୀ ଦଳ ୩୪/୩ରେ ସଂଘର୍ଷ କରିଥିଲା। ହେଲେ ଜେମ୍ସ ଭିନ୍‌ସ ଏବଂ ସାମ ବିଲିଙ୍ଗ୍ସ ଚତୁର୍ଥ ୱିକେଟ୍‌ରେ ୧୨୨ ରନ୍‌ର ଭାଗୀଦାରି ତୋଳି ଦଳୀୟ ସ୍କୋର୍‌ ଦେଢ଼ ଶହ ପାରି କରିଥିଲେ। ହେଲେ ଭିନ୍‌ସ (୬୦) ଏବଂ ବିଲିଙ୍ଗ୍ସ (୭୧) ଆଉଟ୍‌ ହେବା ପରେ ଇଂଲଣ୍ଡ ଲଗାତାର ୱିକେଟ୍‌ ହରାଇ ପରାଜୟ ବରଣ କରିଥିଲା। ଷ୍ଟାର୍କ ଏବଂ ଆଦାମ ଜାମ୍ପା ୪ ୱିକେଟ୍‌ ଲେଖାଏଁ ନେଇଥିଲା ବେଳେ ହାଜେଲଉଡ୍‌ ୨ ୱିକେଟ୍‌ ଅକ୍ତିଆର କରିଥିଲେ। ଷ୍ଟାର୍କ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଅଷ୍ଟ୍ରେଲିଆ ୫୦ ଓଭରରେ ୨୮୦/୮ (ଷ୍ଟିଭ୍‌ ସ୍ମିଥ୍‌-୯୪, ମାର୍ନସ ଲବୁସାନେ-୫୮, ମିଚେଲ ମାର୍ଶ-୫୦, ଆଦିଲ ରସିଦ-୩/୫୭, କ୍ରିସ ୱକ୍ସ-୨/୪୨, ଡେଭିଡ୍‌ ୱିଲି-୨/୪୪)। ଇଂଲଣ୍ଡ ପାଳି ୩୮.୫ ଓଭରରେ ୨୦୮/୧୦ (ସାମ ବିଲିଙ୍ଗ୍ସ-୭୧, ଜେମ୍ସ ଭିନ୍‌ସ-୬୦, ମିଚେଲ ଷ୍ଟାର୍କ-୪/୪୭, ଆଦାମ ଜାମ୍ପା-୪/୪୫, ଜୋସ ହାଜେଲଉଡ୍‌-୨/୩୩)।

ସମ୍ବନ୍ଧିତ ଖବର