ଆଗକୁ ମହାନଗର ନିଗମ ନିର୍ବାଚନ : ତୁରନ୍ତ ତଥ୍ୟ ଦେବାକୁ ତାଗିଦ୍‌ କଲେ ପୌର ନିର୍ଦ୍ଦେଶକ

ଫେବ୍ରୁଆରି ୨୦ ସୁଦ୍ଧା କେହି ତଥ୍ୟ ଦେଲେନି

ଭୁବନେଶ୍ୱର : ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ତିନି ମହାନଗର ନିଗମ ଭୁବନେଶ୍ୱର ମହାନଗର ନିଗମ, କଟକ ମହାନଗର ନିଗମ ଏବଂ ବ୍ରହ୍ମପୁର ମହାନଗର ନିଗମର ନିର୍ବାଚନ ହେବାର ସମ୍ଭାବନା ଅଛି। ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ହେଁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ରାଜ୍ୟ ନିର୍ବାଚନ କମିସନର ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନଜରରେ ରଖି ଫେବ୍ରୁଆରି ୨୦ତାରିଖ ସୁଦ୍ଧା ତିନିଟି ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ସବିଶେଷ ସୂଚନା ଦେବାକୁ ପୌର ନିର୍ଦ୍ଦେଶକ କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କୌଣସି ମହାନଗର ନିଗମର ତଥ୍ୟ ମିଳିଲାନି। ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ପୌର ନିର୍ଦ୍ଦେଶକ ତିନି ମହାନଗର ନିଗମ କମିସନରଙ୍କୁ ତାଗିଦ୍‌ କରିଛନ୍ତି। ଆଉ ତୁରନ୍ତ ସବିଶେଷ ତଥ୍ୟ ଦେବାକୁ କହିଛନ୍ତି।

ତିନି ମହାନଗର ନିଗମ କମିସନର ଫେବୃଆରି ୨୦ତାରିଖରେ ସେମାନଙ୍କର କେତୋଟି ଓ୍ଵାର୍ଡରେ ନିର୍ବାଚନ ହେବ, କେଉଁ ଓ୍ଵାର୍ଡରେ କେତେ ଜନସଂଖ୍ୟା, କେତେ ଭୋଟର, କେଉଁ କେଉଁ ଅଞ୍ଚଳକୁ ନେଇ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ହୋଇଛି, କେଉଁ ଆସନ ସଂରକ୍ଷିତ ଓ କେଉଁ ବର୍ଗଙ୍କ ପାଇଁ ହୋଇଛି, କେଉଁ ଓ୍ଵାର୍ଡ ଅଣସଂରକ୍ଷିତ ଅଛି ତାହାର ତାଲିକା ଦେବାକୁ କହିଥିଲେ। ହେଲେ ତିନିଟି ଯାକ ମହାନଗର ନିଗମର କମିସନର ଧାର୍ଯ୍ୟ ସମୟ ସୀମା ମଧ୍ୟରେ ତଥ୍ୟ ଦେଇପାରିନାହାନ୍ତି। ତେଣୁ ତୁରନ୍ତ ତଥ୍ୟ ଦାଖଲ କରିବାକୁ କୁହାଯାଇଛି।

ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏପ୍ରିଲ ୩୦ତାରିଖ ସୁଦ୍ଧା ପୌର ନିର୍ବାଚନ ସମ୍ପର୍କିତ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ରାଜ୍ୟ ନିର୍ବାଚନ କମିସନରଙ୍କୁ କୁହାଯାଇଛି। ଏଥିପାଇଁ ବିଭିନ୍ନ ତାରିଖ ବି ଧାର୍ଯ୍ୟ ହୋଇଛି। ମହାନଗର ନିଗମ କର୍ତ୍ତୃପକ୍ଷ ତଥ୍ୟ ଦେବା ପରେ ମାର୍ଚ୍ଚ ୧୨ତାରିଖରେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ କରିବା ସହ ସଂରକ୍ଷିତ, ଅଣସଂରକ୍ଷିତ ସିଟ୍‌ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨୧ସୁଦ୍ଧା ଲୋକଙ୍କ ଅଭିଯୋଗ/ପ୍ରସ୍ତାବ ଗ୍ରହଣ କରାଯିବ। ଏପ୍ରିଲ୍‌ ୩୦ ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର