ପ୍ଲାଟଫର୍ମରେ ପଶିଗଲା ମାଲଗାଡ଼ି: କୋରେଇ ଷ୍ଟେସନରେ ୧୪ଟି ୱାଗନ ଲାଇନ୍‌ଚ୍ୟୁତ, ୩ ମହିଳା ମୃତ, ୪ ଆହତ

ଯାତ୍ରୀ ବିଶ୍ରାମାଗାର ଉପରକୁ ମାଡ଼ିଗଲା ୱାଗନ, ଷ୍ଟେସନ ଛାରଖାର, ଅଳ୍ପକେ ବର୍ତ୍ତିଲେ ବହୁଯାତ୍ରୀ

ଯାଜପୁର / କୋରେଇ : ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ସୋମବାର ସକାଳେ ମାଲବାହୀ ଟ୍ରେନ୍‌ର ୧୪ଟି ୱାଗନ ଲାଇନଚ୍ୟୁତ ହୋଇ ଯାତ୍ରୀ ବିଶ୍ରାମାଗାର ଓ ଟିକେଟ୍ କାଉଣ୍ଟର ଉପରେ ମାଡ଼ି ଯାଇଛି। ଫଳରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଆହତ ହୋଇଛନ୍ତି। ୱାଗନ ଧକ୍କାରେ ଭୁଶୁଡ଼ି ପଡ଼ିଥିବା ବିଶ୍ରାମାଗାର ଛାତତଳେ ଏମାନେ ଚାପି ହୋଇଯାଇଥିଲେ। ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ‌ଡାକ୍ତରଖାନାକୁ ନିଆଯାଇଥିଲା। ଦୁର୍ଘଟଣା ପରେ କୋଲକାତା-ଚେନ୍ନାଇ ପୂର୍ବତଟ ରେଳପଥ ଦିନତମାମ ବନ୍ଦ ରହିଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ମରାମତି କାର୍ଯ୍ୟ ଜାରି ରହିଛି। ଲାଇନ୍‌ଚ୍ୟୁତ ହୋଇଥିବା ୱାଗନ ଗୁଡ଼ିକୁ ହଟାଇବାରେ ଏକାଧିକ ମେସିନ ନିୟୋଜିତ ହୋଇଛି।

ଖୋର୍ଦ୍ଧା ଡିଭିଜନର ଡିଆରଏମ୍‌ ଏମ୍‌ ଚୌଧୁରୀ ଓ ଜିଏମ୍‌ ରୂପ ନାରାୟଣ ସୋନକରଙ୍କ ସମେତ ସୁରକ୍ଷା ବିଭାଗର ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଲାଇନ ଦେଇ ସମସ୍ତ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି। ୮ଟି ଟ୍ରେନକୁ ବାତିଲ କରଯାଇଥିବା ବେଳେ ୧୨ଟି ଟ୍ରେନର ରୁଟରେ ପରିବର୍ତ୍ତନ କରାଯାଇଛି। ଆଜି ରାତି ସୁଦ୍ଧା ଏହି ଲାଇନରେ ଟ୍ରେନ ଚଳାଚଳ ସ୍ବ‌‌ାଭାବିକ ହୋଇଯିବ ବୋଲି ରେଳବାଇ ବିଭାଗ ପକ୍ଷରୁ କୁହାଯାଇଛି।

ସୋମବାର ସକାଳ ପ୍ରାୟ ୬ଟା ୪୫ରେ ଏହି ଦୁର୍ଘଟଣା ଘଟିଥିଲା। ବାଲେଶ୍ବର-ଭୁବନେଶ୍ବର ମେମୁ ଟ୍ରେନ୍‌ରେ ଯିବାପାଇଁ କିଛି ଯାତ୍ରୀ ବିଶ୍ରାମାଗାରରେ ଅପେକ୍ଷା କରିଥିଲା ବେଳେ ଡାଙ୍ଗୁଆପଶିରୁ ଛତ୍ରପୁର ଯାଉଥିବା ଏହି ମାଲଗାଡ଼ି ଲାଇନଚ୍ୟୁତ ହୋଇଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଟ୍ରେନ୍ ଇଞ୍ଜିନ ପଛକୁ ଥିବା ଏକ ୱାଗନ୍‌ର ଡୋର୍‌ ଖୋଲାଥିଲା। ତାହା ବୈତରଣୀରୋଡରୁ ବିଦ୍ୟୁତ ଖୁଣ୍ଟରେ ବାଡ଼େଇ ହୋଇ ଆସୁଥିଲା। ଡ୍ରାଇଭର ସମ୍ଭବତଃ ବ୍ରେକ ଦେବାରୁ ଏହି ଦୁର୍ଘଟଣା ଘଟିଲା। ୧୪ଟି ୱାଗନ ଲାଇନଚ୍ୟୁତ ହୋଇ ଷ୍ଟେସନର ବିଶ୍ରାମାଗାର, ଫୁଟ୍ ଓଭରବ୍ରିଜ୍‌, ଟିକେଟ୍ କାଉଣ୍ଟରକୁ ଜୋର୍‌ରେ ଧକ୍କା ଦେଇ ଓଲଟିପଡ଼ିଥିଲା। ଏହାପଛରେ ଥିବା ଅବଶିଷ୍ଟ ୨୬ଟି ୱାଗନ ରେଳ ଧାରଣାରେ ଅଟକି ରହିଛି।

ଦୁର୍ଘଟଣା ଖବର ପ୍ରଚାରିତ ହେବାପରେ କୋରେଇ ଷ୍ଟେସନ ଅଞ୍ଚଳ ଲୋକାରଣ୍ୟ ହୋଇଯାଇଥିଲା। ଅଳ୍ପ ସମୟ ମଧ୍ୟରେ‌ ରେଳ ବିଭାଗ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ପଦାଧିକାରୀଙ୍କ ସମେତ ଆର୍‌ପିଏଫ୍‌, ଜିଆରପି ଓ ଯାଜପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହିତ ଅଚଳ ହୋଇପଡ଼ିଥିବା ରେଳସେବାକୁ ସ୍ବାଭାବିକ କରିବା ପାଇଁ ଲାଗି ପଡ଼ିଥିଲେ। ଘଟଣାସ୍ଥଳରେ ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲିକ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡ଼ାଇ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ମୋ କଲେଜ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ
ଅକାଶ ଦାସନାୟକ, ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଦଳେଇ, ଯାଜପୁର ଏସ୍‌ପି ରାହୁଲ ପି.ଆର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

ଦୁର୍ଘଟଣାରେ ପାଣିକୋଇଲି ଥାନା ଓଚିନ୍ଦା (ତାଜପୁର)ର ପାର୍ବତୀ ବିନ୍ଧାଣୀ ଓ କଣ୍ଢେଇ ପ୍ରାଣ ହରାଇଛନ୍ତି। ମା’ ଓ ଭଉଣୀଙ୍କୁ ହରାଇ ମ୍ରିୟମାଣ ହୋଇପଡ଼ିଛନ୍ତି କାହ୍ନୁ ବିନ୍ଧାଣୀ । ଭଉଣୀଙ୍କ ଏମ୍‌ଆର୍‌ଆଇ (ପରୀକ୍ଷା) କରିବା ପାଇଁ ସେମାନେ କଟକ ବଡ଼ ଡାକ୍ତରଖାନା ଯାଉଥିଲେ। ସେମାନଙ୍କ ସହିତ ଭିଣୋଇ ବଳରାମ ବିନ୍ଧାଣୀ ଓ ଭଣଜା ବିଶ୍ବଜିତ ମଧ୍ୟ ଯାଉଥିଲେ। ଷ୍ଟେସନରେ ମା’ ପାର୍ବତୀ ଓ ଭଉଣୀ କଣ୍ଢେଇ ଅପେକ୍ଷା କରିଥିବା ବେଳେ ଅଢ଼େଇ ବର୍ଷର ଭଣଜାକୁ ନେଇ ବଳରାମ ପାଖରେ ଥିବା ଏକ ଦୋକାନକୁ ଯାଇଥିଲେ। ଠିକ୍‌ ଏହିସମୟରେ ଦୁର୍ଘଟଣା ଘଟିଥିଲା। ଏଥିରେ ବଳରାମ ଓ ଭଣଜା ବିଶ୍ବଜିତ୍‌ ମଧ୍ୟ ଆହତ ହୋଇଛନ୍ତି। ସେହିପରି କୋରେଇ ଥାନା ସାଦକପୁର ପଞ୍ଚାୟତ ଫାଜଲପୁର(ଶଙ୍ଖପାରି) ଗ୍ରାମର ସେକ୍‌ ମୋଇଉଦ୍ଦିନଙ୍କ ପତ୍ନୀ ଅବଜୁନ ବିବି(୫୫)ଙ୍କ ମୃତ୍ୟୁ ଘଟିଛି। ଅବଜୁନ ବିବି ବାଲେଶ୍ବର-ଭୁବନେଶ୍ବର ମେମୁ ଟ୍ରେନ୍‌ରେ ବୈରୀଠାରେ ଥିବା ତାଙ୍କ ଭଉଣୀ ଘରକୁ ଯିବାପାଇଁ ଅପେକ୍ଷା କରିଥିଲେ। ଏହି ଦୁର୍ଘଟଣାରେ ଆହତମାନେ ହେଲେ, ରମେଶ ଜେନା, ମାଧବାନନ୍ଦ ବାରିକ। ଉଦ୍ଧାର ପ୍ରକ୍ରିୟାରେ ସାମିଲ୍‌ ହୋଇଥିବା ଜଣେ କର୍ମଚାରୀ ସେକ୍‌ ସଚିନ ବି ଆହତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର