ଦୂତିଙ୍କୁ ୨୭ ପୂରିଲା

ଭୁବନେଶ୍ବର : ଡବଲ୍ ଅଲିମ୍ପିଆନ୍‌ ତଥା ଅର୍ଜୁନ ପୁରସ୍କାର ବିଜୟିନୀ ଦୂତି ଚାନ୍ଦଙ୍କୁ ଶନିବାର ୨୭ ବର୍ଷ ପୂରିଯାଇଛି। ଅନେକ ସଂଘର୍ଷ, ବିବାଦ, ବିଦ୍ରୋହକୁ ଅତିକ୍ରମ କରିଥିବା ଦୁଃସାହସୀ ଦୂତି ଦେଶର ଏକ ନମ୍ବର ଧାବିକା ‌ହେବା ସହ ଦୁଇ ଥର ୨୦୧୬ ଏବଂ ୨୦୨୦ ଅଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ବ କରିଥିଲେ। ଶୁକ୍ରବାର ଭୁବନେଶ୍ବର ପଟିଆସ୍ଥିତ ନିଜ ବାସଭବନରେ ଦୂତି ୨୭ତମ ଜନ୍ମଦିନକୁ ନିରାଡ଼ମ୍ବର ଭାବେ ପାଳନ କରିଥିବା ବେଳେ ରାଜ୍ୟ ଖେଳ ଦୁନିଆର ବହୁ ଚିହ୍ନା ଚେହେରା ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ। ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ପହଞ୍ଚି ଦୂତିଙ୍କୁ ଆଶୀର୍ଦାବ କରିଥିଲେ।

ଦୂତିଙ୍କ ପିତା ଚକ୍ରଧର, ମା’ ଆକୁଞ୍ଜି, ଜୀବନସାଥୀ ମୋନାଲିସାଙ୍କ ସହ ପରିବାରର ବହୁ ସଦସ୍ୟ ଉପସ୍ଥିତ ଥିଲେ। ସାମାଜିକ ଗଣମାଧ୍ୟମରେ ମଧ୍ୟ ଦୂତିଙ୍କ ନିକଟକୁ ଶୁକ୍ରବାର ଶୁଭେଚ୍ଛାର ସୁଅ ଛୁଟିଥିଲା। ଫେସବୁକ୍‌ରେ ଦୂତିଙ୍କୁ ୧୪୦୦ରୁ ଊର୍ଧ୍ବ ପ୍ରଶଂସକ ପସନ୍ଦ କରିଥିବା ବେଳେ ୬୪୫ ଜଣ ଶୁଭେଚ୍ଛା ବାର୍ତା ‌ଲେଖିଥିଲେ। ୧୧ ଜଣ ଦୂତିଙ୍କ ଜନ୍ମଦିନ ଫଟୋଭରା ଶୁଭେଚ୍ଛାକୁ ସେୟାର କରିଥିଲେ। ସୂଚନାଯୋଗ୍ୟ, ଫେସବୁକ୍‌ରେ ଦୂତିଙ୍କର ୮୫,୯୦୧ ଅନୁଗାମି ରହିଥିବା ବେଳେ ୪୨୦୦ରୁ ଊର୍ଧ୍ବ ବଂଧୁ ଅଛନ୍ତି। ଯାଜପୁରର ଚକା ଗୋପାଳପୁରରୁ ବାହାରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଦୂତି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ‘ସମ୍ବାଦ’ ପରିବାର ପକ୍ଷରୁ ମଧ୍ୟ ଦୂତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର