ଭାରତର ଆଧିପତ୍ୟ; ୧୫ ଶୃଙ୍ଖଳାରୁ ଜିତିଛି ୯

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଶୃଙ୍ଖଳାକୁ ଦୁଇ କିଂବଦନ୍ତି ଆଲାନ୍‌ ବର୍ଡର ଓ ସୁନୀଲ ଗାଭାସ୍କରଙ୍କ ନାମରେ ନାମିତ କରାଯାଇଛି। ଯଦିଓ ଏହି ଦୁଇ ଦେଶ ମଧ୍ୟରେ ଟେଷ୍ଟ କ୍ରିକେଟ୍‌ ସଂପର୍କ ୧୯୪୭ ମସିହାରୁ ରହିଆସିଛି, କିନ୍ତୁ ୧୯୯୬ ମସିହାରୁ ‌ଉଭୟ ଦେଶଙ୍କ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଶୃଙ୍ଖଳାକୁ ବର୍ଡର-ଗାଭାସ୍କର ଟ୍ରଫି ନାମରେ ନାମିତ କରାଯାଇଛି। ଏହାପରଠୁ ଦୁଇ ଦଳ ପରସ୍ପର ସହିତ ୧୫ଟି ଟେଷ୍ଟ ଶୃଙ୍ଖଳା ଖେଳିସାରିଛନ୍ତି। ଯେଉଁଥିରୁ ଭାରତ ସର୍ବାଧିକ ୯ ଥର ବିଜେତା ହୋଇଥିଲା ବେଳେ ଅଷ୍ଟ୍ରେଲିଆ ୫ ଥର ଟ୍ରଫି ହାସଲ କରିଛି। ତେବେ ୨୦୦୩-୦୪ ବର୍ଷରେ ଖେଳାଯାଇଥିବା ଶୃଙ୍ଖଳା ଅମୀମାଂସିତ ରହିଥିଲା। ହେଲେ ଭାରତ ଏହା ପୂର୍ବ ସଂସ୍କରଣ (୨୦୦୦-୦୧)ରେ ବିଜେତା ହୋଇଥିବାରୁ ଟ୍ରଫିକୁ ନିଜ ପାଖରେ ରଖିଥିଲା। ଏବେ ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଅନ୍ତିମ ପର୍ଯ୍ୟାୟ ଆସନ୍ତା ୯ ତାରିଖରୁ ଆରମ୍ଭ ହେବ। ନାଗପୁର, ଦିଲ୍ଲୀ, ଧର୍ମଶାଳା ପରେ ଅହମଦାବାଦ୍‌ରେ ଶେଷ ଟେଷ୍ଟ ଖେଳାଯିବ। ଏହାପରଠୁ ଏହି ଶୃଙ୍ଖଳା ୫ ମ୍ୟାଚ୍‌ ବିଶିଷ୍ଟ ହୋଇଯିବ।

ପ୍ରାରମ୍ଭିକ ପର୍ଯ୍ୟାୟ
ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲା ୧୯୯୬ରେ ଭାରତରେ ହୋଇଥିଲା। ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମ୍‌ରେ ମାତ୍ର ଗୋଟିଏ ମ୍ୟାଚ୍‌ ବିଶି‌ଷ୍ଟ ଏହି ଶୃଙ୍ଖଳାକୁ ଭାରତ ଜିତି‌ଥିଲା ବେଳେ ପ୍ରଥମ ପାଳିରେ ପ୍ରଥମ ଶତକ ମାରିଥିବା ନୟନ ମୋଙ୍ଗିଆ ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଟ୍ରଫିର ଦ୍ବିତୀୟ ସଂସ୍କରଣ ୧୯୯୭-୯୮ରେ ପୁଣି ଥରେ ଭାରତରେ ହୋଇଥିଲା। ଏଥର ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ନେତୃତ୍ବାଧୀନ ଘରୋଇ ଦଳ ୨-୧ରେ ଜିତିଥିଲା। ଚେନ୍ନାଇ ଓ କୋଲକାତାରେ ସଚିନ ତେନ୍ଦୁଲକର ଓ ସେନ୍‌ ୱର୍ଣ୍ଣଙ୍କ ମଧ୍ୟରେ ବ୍ୟାଟ୍‌ ବଲ୍‌ର ଲଢେଇ ଦେଖିବାକୁ ମିଳିଥିଲା। ପ୍ରଥମ ଦୁଇ ମ୍ୟାଚ୍‌କୁ ଭାରତ ଜିତିବା ପରେ ବାଙ୍ଗାଲୋରରେ ଅଷ୍ଟ୍ରେଲିଆ ସାନ୍ତ୍ବନାମୂଳକ ବିଜୟ ପାଇଥିଲା।

ଅଷ୍ଟ୍ରେଲିଆରେ ପ୍ରଥମ ଥର ଆୟୋଜନ
ପ୍ରଥମ ଦୁଇ ସଂସ୍କରଣକୁ ଭାରତ ଆୟୋଜନ କରିବା ପରେ ୧୯୯୯-୨୦୦୦ରେ ଅଷ୍ଟ୍ରେଲିଆର ପାଳି ଥିଲା। ୩ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳା‌କୁ ଅଷ୍ଟ୍ରେଲିଆ ସଂପୂର୍ଣ୍ଣ ଭାବେ ମୂଳପୋଛ କରି ବଡ଼ ଜବାବ୍‌ ଦେଇଥିଲା। ସଚିନ୍ ତେନ୍ଦୁଲକରଙ୍କ ନେତୃତ୍ବରେ ଖେଳିବାକୁ ଯାଇଥିବା ଭାରତୀୟ ଦଳ ଆଡିଲେଡ୍‌, ମେଲବର୍ଣ୍ଣ ଓ ସିଡ୍‌ନିରେ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ଏହି ଶୃଙ୍ଖଳାରେ ବ୍ରେଟ୍‌ ଲି’ ପଦାର୍ପଣ କରିଥିଲା ବେଳେ ଗ୍ଲେନ୍‌ ମ୍ୟାକ୍‌ଗ୍ରାଙ୍କ ବିବାଦୀୟ ବାଉନ୍ସର ଚର୍ଚ୍ଚାର ବିଷୟ ପାଲଟିଥିଲା। ମ୍ୟାକ୍‌ଗ୍ରାଙ୍କ ଏକ ସଟ୍‌ପିଚ୍‌ ବଲ୍‌କୁ ଛାଡ଼ିଦେବା ପାଇଁ ସଚିନ୍‌ ଡକ୍‌ କରିଥିଲେ ବି ବଲ୍‌ ତାଙ୍କ କାନ୍ଧରେ ଆସି ବାଜିଥିଲା। ଏହାକୁ ଅମ୍ପାୟାର ଆଉଟ୍‌ ଦେବାରୁ ଏହା ଉପରେ ଆନ୍ତର୍ଜାତିକ କ୍ରିକେଟ୍‌ରେ ଅନେକ ଆଲୋଚନା ହୋଇଥିଲା।

ଭାରତ ପାଇଁ ଐତିହାସିକ ଟେଷ୍ଟ
ଭାରତ ଖେଳିଥିବା ସମସ୍ତ ଟେଷ୍ଟ ମ୍ୟାଚ୍‌ଗୁଡ଼ିକ ମଧ୍ୟରୁ ୨୦୦୧ରେ ବର୍ଡର-ଗାଭାସ୍କର ଟ୍ରଫିରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ମ୍ୟାଚ୍‌ ଇତିହାସରେ ଲିପିବଦ୍ଧ ହୋଇ ରହିଯାଇଛି। ଏହି ଭାରତୀୟ ଦଳ ଅଷ୍ଟ୍ରେଲିଆର ଲଗାତାର ୧୬ ଟେଷ୍ଟ ମ୍ୟାଚ୍‌ ବିଜୟ ଧାରାକୁ ଅଟକାଇଥିଲା ବେଳେ ଶୃଙ୍ଖଳାକୁ ୨-୧ରେ ଜିତିଥିଲା। ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ହେଲେ ଇଡେନ୍‌ ଗାର୍ଡେନ୍‌ରେ ହୋଇଥିବା ରୋମାଞ୍ଚକ ତଥା ଅବିଶ୍ବସନୀୟ ମ୍ୟାଚ୍‌ରେ ଭାରତ ଶୃଙ୍ଖଳା ବରାବର କରିଥିଲା। ହରଭଜନ ସିଂହଙ୍କ ହ୍ୟାଟ୍ରିକ୍‌ ୱିକେଟ୍‌ ସହିତ ଭିଭିଏସ୍‌ ଲକ୍ଷ୍ମଣଙ୍କ ୨୮୧ ରନ୍‌ର ବିଶାଳ ପାଳି ଏବଂ ଲକ୍ଷ୍ମଣ-ରାହୁଲ ଦ୍ରାବିଡ୍‌ଙ୍କ ମଧ୍ୟରେ ହୋଇଥିବା ୩୭୬ ରନ୍‌ ଭାଗୀଦାରି ଭାରତକୁ ଫଲୋଅନ୍‌ ପରେ ବଡ଼ ବିଜୟ ଦେଇଥିଲା। ଶେଷରେ ଚେନ୍ନାଇ ଟେଷ୍ଟକୁ ଜିତି ଭାରତ ଶୃଙ୍ଖଳା କବ୍‌ଜା କରିଥିଲା।

ଅମୀମାଂସିତ ସତ୍ତ୍ବେ ଟ୍ରଫି ଭାରତ ପାଖରେ ରହିଲା
ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ୨୦୦୩-୦୪ ସଂସ୍କରଣରେ ପ୍ରଥମ ଥର ପାଇଁ ଶୃଙ୍ଖଳାରେ ୪ ମ୍ୟାଚ୍‌ ଖେଳାଯାଇଥିଲା। କିନ୍ତୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲା ବେଳେ ଦୁଇଟି ଅମୀମାଂସିତ ରହିଥିଲା। ଫଳାଫଳ ଅମୀମାଂସିତ ରହିବାରୁ ପୂର୍ବ ସଂସ୍କରଣର ବିଜେତା ଭାରତ ହୋଇଥିବାରୁ ଟ୍ରଫି ଗାଙ୍ଗୁଲିଙ୍କ କବ୍‌ଜାରେ ରହିଥିଲା। ଏହି ଶୃଙ୍ଖଳାରେ ଜାହିର ଖାନ୍‌ ଓ ଅନୀଲ କୁମ୍ବଲେଙ୍କ ୫ ୱିକେଟ୍‌ ସଫଳତା ଏବଂ ରାହୁଲ ଦ୍ରାବିଡ୍‌ ଓ ସଚିନ୍‌ ତେନ୍ଦୁଲକରଙ୍କ ଦ୍ବିଶତକ ଆକର୍ଷଣୀୟ ଥିଲା। ଏପରିକି ଚତୁର୍ଥ ଟେଷ୍ଟରେ ଭାରତର ୭୦୫/୭ ଏହି ପ୍ରତିଯୋଗିତାରେ ସବୁଠୁ ଅଧିକ ରନ୍‌ ରହିଆସିଛି।

ଟ୍ରଫିର କଳା ଅଧ୍ୟାୟ
ଭାରତର ଟ୍ରଫି କବ୍‌ଜା ପରେ ଅଷ୍ଟ୍ରେଲିଆ ଆଉ ପଛରେ ରହିନଥିଲା। ୨୦୦୪-୦୫ରେ ଭାରତରେ ଅଷ୍ଟ୍ରେଲିଆ ୨-୧ରେ ଶୃଙ୍ଖଳା ଜିତିଥିଲା ବେଳେ ୩୫ ବର୍ଷର କୀର୍ତ୍ତିମାନ ଭାଙ୍ଗିଥିଲା। ୧୯୬୯-୭୦ରେ ଶେଷ ଥର ପାଇଁ ଅଷ୍ଟ୍ରେଲିଆ ଭାରତରେ ଟେଷ୍ଟ ଶୃଙ୍ଖଳା ଜିତିଥିଲା। ୨୦୦୭-୦୮ରେ ଅଷ୍ଟ୍ରେଲିଆ ପୁଣି ଥରେ ନିଜ ଘରେ ସମାନ ଫଳାଫଳ ଦେଇ ଲଗାତାର ଟ୍ରଫି ନିଜ ପାଖରେ ରଖିଥିଲା। ତେବେ ପର୍ଥର କଷ୍ଟସାଧ୍ୟ ପରିସ୍ଥିତିରେ ଭାରତର ବିଜୟ ଏବଂ ଅମ୍ପାୟାରଙ୍କ ବିବାଦୀୟ ନିଷ୍ପତ୍ତିକୁ ନେଇ ଏହି ବର୍ଷ ସବୁବେଳ ପାଇଁ ଟ୍ରଫିର କଳା ଅଧ୍ୟାୟ ହୋଇ ରହିଯାଇଛି। ଅମ୍ପାୟାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ସାରା ବିଶ୍ବରେ ସମାଲୋଚନା କରାଯାଇଥିଲା ବେଳେ ଅଷ୍ଟ୍ରେଲିଆ ଖେଳୁଆଡ଼ ମନୋଭାବ ନେଇ ଖେଳୁନଥିବା ‌ସଂକ୍ରାନ୍ତରେ ଅଭିଯୋଗ ଉଠିଥିଲା। ଏହି ଶୃଙ୍ଖଳାରେ ହରଭଜନ ସିଂହ ଓ ଆଣ୍ଡ୍ରିଉ ସାଇମଣ୍ଡନ୍ସଙ୍କ ମଧ୍ୟରେ ବର୍ଣ୍ଣବୈଷମ୍ୟ ବିବାଦ (ମଙ୍କିଗେଟ୍‌ ସ୍କାଣ୍ଡାଲ) ମଧ୍ୟ ଚର୍ଚ୍ଚାରେ ରହିଥିଲା।

ଭାରତର ଘରୋଇ ସ୍ମରଣୀୟ ସଂସ୍କରଣ
ସୌରଭ ଗାଙ୍ଗୁଲି ଓ ଅନିଲ କୁମ୍ବଲେ ଶେଷ ଥର ପାଇଁ ଧଳା ଜର୍ସି ପିରିଧାନ କରିଥିବାରୁ ଭାରତରେ ଆୟୋଜିତ ୨୦୦୮ ସଂସ୍କରଣ ସବୁବେଳେ ମନେରହିବ। ଏପରିକି ଏହି ସଂସ୍କରଣକୁ ଭାରତ ୨-୦ରେ ବିଜୟୀ ହୋଇ ଉଭୟଙ୍କୁ ଏକ ସ୍ମରଣୀୟ ବିଦାୟ ଜଣାଇଥିଲା। ସେହିପରି ୨୦୧୦ରେ ମୋହାଲି ଟେଷ୍ଟ ମଧ୍ୟ ଅନ୍ୟତମ ସ୍ମରଣୀୟ ମ୍ୟାଚ୍‌ ହୋଇଥିଲା। ପ୍ରଥମ ଟେଷ୍ଟର ଚତୁର୍ଥ ପାଳିରେ ୨୧୬ ରନ୍‌କୁ ପିଛା କରୁଥିଲା ବେଳେ ଭାରତ ଶୀଘ୍ର ୮ ୱିକେଟ୍‌ ହରାଇସାରିଥିଲା। ଜିତିବାକୁ ଆହୁରି ୯୨ ରନ୍‌ ଆବଶ୍ୟକ ହେଉଥିଲା ବେଳେ ଭିଭିଏସ୍‌ ଲକ୍ଷ୍ମଣଙ୍କ ସହ ପ୍ରଜ୍ଞାନ ଓଝା ଭାରତକୁ ୧ ୱିକେଟ୍‌ରେ ବିଜୟୀ କରାଇଥିଲେ। ବାଙ୍ଗାଲୋରରେ ହୋଇଥିବା ଦ୍ବିତୀୟ ଟେଷ୍ଟରେ ବି ଭାରତ ୭ ୱିକେଟ୍‌ରେ ବିଜୟୀ ହୋଇ ଶୃଙ୍ଖଳା ମୂଳପୋଛ (୨-୦) କରିଥିଲା।

ଲଗାତର ଘରୋଇ ଶୃଙ୍ଖଳା ମୂଳପୋଛ
୨୦୧୧-୧୨ ସଂସ୍କରଣକୁ ଅଷ୍ଟ୍ରେଲିଆ ‌ଆୟୋଜନ କରିଥିଲା ବେଳେ ୪-୦ରେ ଘରୋଇ ଦଳ ମୂଳପୋଛ କରିନେଇଥିଲା। ଅଧିନାୟକ ମାଇକେଲ୍‌ କ୍ଲାର୍କ ୪ ମ୍ୟାଚ୍‌ରୁ ୧୨୫.୨୦ ହାରରେ ୬୨୬ ରନ୍‌ କରି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଏପରିକି ତାଙ୍କ କ୍ୟାରିଅର୍‌ର ଶ୍ରେଷ୍ଠ ସ୍କୋର ୩୨୯ ରନ୍‌ ଏହି ଶୃଙ୍ଖଳାରେ ମାରିଥିଲେ। ତେବେ ଏହାପରବର୍ତ୍ତୀ ସଂସ୍କରଣ (୨୦୧୨-୧୩)ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଏହାର ପ୍ରତିଶୋଧ ନେଇ ସମାନ ୪-୦ରେ ଶୃଙ୍ଖଳାକୁ ନିଜ ନାମରେ କରିଥିଲା। ପ୍ରଥମ ମ୍ୟାଚ୍‌ରେ ଧୋନି ପ୍ରଥମ ଭାରତୀୟ ଟେଷ୍ଟ ଅଧିନାୟକ ଭାବେ ୨୨୪ ରନ୍‌ ସଂଗ୍ରହ କରି ସଚିନ୍‌ ତେନ୍ଦୁଲକରଙ୍କ କୀର୍ତ୍ତିମାନ ଭାଙ୍ଗିଥିଲେ।

ନେତୃତ୍ବ ପରିବର୍ତ୍ତନ, କୋହଲି ନୂଆ ଅଧିନାୟକ
ମୁଣ୍ଡରେ ବଲ୍‌ ବାଜି ଫିଲିପ୍‌ ହ୍ୟୁଗ୍ସଙ୍କ ମୃତ୍ୟୁ ହେବାର କିଛି ମାସ ପରେ ୨୦୧୪ ସଂସ୍କରଣ ଆରମ୍ଭ ହୋଇଥିଲା। ଅଷ୍ଟ୍ରେଲିଆରେ ଶୃଙ୍ଖଳା ଆୟୋଜିତ ହୋଇଥିବାରୁ ସମସ୍ତଙ୍କ ମୁହଁରେ ଦୁଃଖର ଚିତ୍ର ଦେଖାଦେଇଥିଲା। ତେବେ ଭାରତକୁ ୨-୦ରେ ହରାଇ ଅଷ୍ଟ୍ରେଲିଆ ଉକ୍ତ ବିଜୟକୁ ହ୍ୟୁଗ୍ସଙ୍କ ନାମରେ ସମର୍ପିତ କରିଥିଲା। ତୃତୀୟ ଟେଷ୍ଟ ଅମୀମାଂସିତ ରହିବା ପରେ ହଠାତ୍‌ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅବସର ଘୋଷଣା କରିଥିଲେ। ଏହାପରଠୁ ବିରାଟ କୋହଲିଙ୍କୁ ଭାରତୀୟ ଟେଷ୍ଟ ଦଳର ନୂଆ ଅଧିନାୟକ ମନୋନୀତ କରାଯାଇଥିଲା। ଏହାପରେ ୨୦୧୭ ମାର୍ଚ୍ଚରେ ଅଷ୍ଟ୍ରେଲିଆ ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବାକୁ ଭାରତ ଆସିଥିଲା ବେଳେ ଏହାକୁ କୋହଲିଙ୍କ ଦଳ ୨-୧ରେ ଜିତିଥିଲା।

ଭାରତର ଐତିହାସିକ ଶୃଙ୍ଖଳା ବିଜୟ
ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ୧୯୪୭-୪୮ ପରେ ପ୍ରଥମ ଏସୀୟ ଦଳ ଭାବେ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆ ମାଟିରେ ହରାଇ ଶୃଙ୍ଖଳା ଜିତିଥିଲା। ବଲ୍‌ ଟାମ୍ପରିଂ ମାମଲାରେ ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ୍‌ ୱାର୍ଣ୍ଣର ବର୍ଷେ ପାଇଁ ବାସନ୍ଦ ହୋଇଥିବାରୁ ଏମାନଙ୍କ ଅନୁପସ୍ଥିତିରେ ଘରୋଇ ଦଳ ଦୁର୍ବଳ ହୋଇଯାଇଥିଲା। ଯାହାର ସୁଯୋଗ ନେଇ ଭାରତ ଆଧିପତ୍ୟ ବିସ୍ତାର କରିଥିଲା। ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଶୃଙ୍ଖଳା ପୁଣି ଥରେ ଅଷ୍ଟ୍ରେଲିଆରେ ହୋଇଥିଲା ବେଳେ ଏଥର ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ପୁଣି ଥରେ ୨-୧ରେ ବିଜୟୀ ହୋଇ ଟ୍ରଫି ନିଜ ପାଖରେ ରଖିଥିଲା। ଏପରିକି ଗାବା (ବ୍ରିସବେନ୍‌)ରେ ଖେଳାଯାଇଥିବା ଏହି ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇ ୩୨ ବର୍ଷ ତଳର କୀର୍ତ୍ତିମାନ ଭାଙ୍ଗିଥିଲା। ଭାରତ ପ୍ରଥମ ଦଳ ଭାବେ ଗାବାରେ ଅଷ୍ଟ୍ରେଲିଆକୁ ପରାଜିତ କରିଥିଲା। ଏଥିପୂର୍ବରୁ ଆଡିଲେଡ୍‌ରେ ପ୍ରଥମ ପିଙ୍କ୍‌ ବଲ୍‌ ଟେଷ୍ଟରେ ଭାରତ ପରାଜିତ ହୋଇଥିଲା ବେଳେ ସର୍ବନିମ୍ନ ୩୬ ରନ୍‌ ସଂଗ୍ରହ କରିଥିଲା। ଏହି ଲଜ୍ଜାଜନକ ପରାଜୟ ପରେ ମେଲବର୍ଣ୍ଣରେ ଭାରତ ପ୍ରତ୍ୟାବର୍ତ୍ତନ କରି ବକ୍ସିଂ ଡେ’ ଟେଷ୍ଟକୁ ୮ ୱିକେଟ୍‌ରେ ଜିତିଥିଲା। ତୃତୀୟ ଟେଷ୍ଟ (ସିଡ୍‌ନି) ଅମୀମାଂସିତ ରହିଥିଲା।

ସମ୍ବନ୍ଧିତ ଖବର