ଶ୍ରୀଲଙ୍କାରେ ସାମ୍ପ୍ରଦାୟିକ ଦଙ୍ଗା ଅଣାୟତ୍ତ:୧୦ ଦିନ ପାଇଁ ଜରୁରୀ ପରିସ୍ଥିତି ଘୋଷଣା

ନୂଆଦିଲ୍ଲୀ : ଭାରତ ମହାସାଗରର ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କା ଏବେ ଅଶାନ୍ତ ହୋଇଉଠିଛି। ସମଗ୍ର ଦେଶରେ ସାଂପ୍ରଦାୟିକ ହିଂସା ବ୍ୟାପିବାରୁ ସରକାର ୧୦ ଦିନ ପାଇଁ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି। ରାଜଧାନୀ କଲୋମ୍ବୋ ସମେତ ସମସ୍ତ ଜିଲ୍ଲା ମୁଖ୍ୟାଳୟଗୁଡ଼ିକ ସେନା ଛାଉଁଣି ପାଲଟିଯାଇଛି । ଗତ କିଛିବର୍ଷ ଧରି ଶ୍ରୀଲଙ୍କାରେ ସିଂହଳି ବୌଦ୍ଧ ଧର୍ମାବଲମ୍ବୀ ଏବଂ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ଲାଗି ରହିଥିବା ବିବାଦର ନିଆଁ ଏବେ ଉଗ୍ର ରୂପ ନେଇଛି। ବିଗତ ୩ ଦିନ ଭିତରେ ଶତାଧିକ ସ୍ଥାନରେ ହିଂସା ଯୋଗୁଁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି ।
ଶ୍ରୀଲଙ୍କାର କଠୋର ବୌଦ୍ଧ ଧର୍ମାବଲମ୍ବୀମାନେ ଅଭିଯୋଗ ଆଣିଛନ୍ତି ଯେ ମୁସଲିମ ସମ୍ପ୍ରଦାୟର ଲୋକେ ବୌଦ୍ଧଧର୍ମର ଲୋକଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଛନ୍ତି। ଏଥିପାଇଁ ଭୟ ଓ ପ୍ରଲୋଭନ ଦ୍ୱାରା ସେମାନେ ଅରାଜକତା ସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ କରାଯାଇଛି। ଇସଲାମ ଧର୍ମ ଗ୍ରହଣ କରିବାପାଇଁ ରାଜି ହେଉନଥିବା ପରିବାରଗୁଡ଼ିକୁ ଆତଙ୍କିତ କରି ରଖାଯାଉଥିବାରୁ ଏହା ବିରୋଧରେ ରାଷ୍ଟ୍ରବ୍ୟାପୀ ବିରୋଧ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି । ଅନେକ ବୌଦ୍ଧ ପ୍ରତ୍ନତାତ୍ତ୍ୱିକ ସ୍ଥଳ ଧ୍ୱଂସ କରିବାରେ ମୁସ୍‌ଲିମ୍‌ କଠୋରପନ୍ଥୀଙ୍କ ହାତ ଥିବା ଅଭିଯୋଗ ହୋଇଛି । ସଂଖ୍ୟାଗରିଷ୍ଠ ସିଂହଳୀ ବୌଦ୍ଧଧର୍ମାବଲମ୍ବୀ ଏବଂ ସଂଖ୍ୟାଲଘୁ ମୁସଲିମ ସମ୍ପ୍ରଦାୟ ଏହାକୁ କେନ୍ଦ୍ର କରି ହିଂସାରେ ମାତିଥିବାରୁ ସରକାରଙ୍କ ପାଇଁ ଜଟିଳ ସମସ୍ୟା ସୃଷ୍ଟି ହୋଇଛି।

ହିଂସା ଯୋଗୁଁ ପରିବହନ, ଶିକ୍ଷା ଏବଂ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି । କେନ୍ଦ୍ରୀୟ ଜିଲ୍ଲା କ୍ୟାଣ୍ଡିରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ପ୍ରବଳ ସଂଘର୍ଷ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ସୁରକ୍ଷା ବାହିନୀ ଶତାଧିକ ଲୋକଙ୍କୁ ଅଟକ ରଖିଥିବା ବେଳେ ହିଂସା ନିୟନ୍ତ୍ରଣ ପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି । ବିଶୃଙ୍ଖଳ ଜନତାମାନେ କ୍ୟାଣ୍ଡିରେ ଜଣେ ମୁସଲିମ୍‌ ବ୍ୟକ୍ତିଙ୍କ ଦୋକାନରେ ନିଅାଁ ଲଗାଇ ଦେବାଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ସ୍ପର୍ଶକାତର ଅଂଚଳରେ କର୍ଫ୍ୟୁ ଜାରି ହୋଇଛି । ଦଙ୍ଗା ନିୟନ୍ତ୍ରଣ ପାଇଁ ଆଜି ଏକ ସ୍ୱତନ୍ତ୍ର କ୍ୟାବିନେଟ୍‌ ବୈଠକରେ ରାଷ୍ଟ୍ରରେ ୧୦ ଦିନ ପାଇଁ ଜରୁରୀ ସ୍ଥିତି ଘୋଷଣା କରାଯାଇଛି। ଗତ ସପ୍ତାହରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଏବଂ ପରସ୍ପରର ଧାର୍ମିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ଯୋଗୁଁ ସାଂପ୍ରଦାୟିକତାର ନିଆଁ ବ୍ୟାପିଥିବା ତଦନ୍ତରୁ ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ଶ୍ରୀଲଙ୍କାର ୨୧ ନିୟୁତ ଜନସଂଖ୍ୟା ମଧ୍ୟରୁ ପାଖାପାଖି ଏକ ତୃତୀୟାଂଶ ବୌଦ୍ଧଧର୍ମାବଲମ୍ବୀ ହୋଇଥିବାବେଳେ ମୁସଲିମମାନେ ଉକ୍ତ ଜନସଂଖ୍ୟାର ମାତ୍ର ୧୦ ପ୍ରତିଶତ ।

ସମ୍ବନ୍ଧିତ ଖବର