ଅନ୍ଧବିଶ୍ବାସର କରୁଣ ପରିଣତି: ଚେଙ୍କ ନେଇଥିବା ଶିଶୁର ମୃତ୍ୟୁ

ଚିକିତ୍ସା ସମୟରେ ଚାଲିଗଲା ଜୀବନ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ପୁଣି ଜଣେ ୨ ମାସର ଶିଶୁକୁ ଚେଙ୍କ ଦେବା ଘଟଣା ସାମ୍ନାକୁ ଆସିଛି। ଶିଶୁର ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଅନ୍ଧବିଶ୍ବାସ ଯୋଗୁଁ ଏକ ନିଷ୍ପାପ ଶିଶୁର ଜୀବନ ଚାଲିଯିବା ଘଟଣା ଚର୍ଚ୍ଚାର କେନ୍ଦ୍ର ପାଲଟିଛି।

ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ କୁସମଖୁଣ୍ଟା ଗ୍ରାମର ଲାଲାଧର ବଛାଙ୍କ ପତ୍ନୀ ଜନନୀ ବଛା ଗତ ଡିସେମ୍ବର ମାସରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ତାକୁ ୪ ମାସ ବେଳକୁ ଦେହ ଅସୁସ୍ଥ ହେଲା। କିଛି ଲୋକ ଶିଶୁକୁ କଲାଶିରା ହୋଇଛି ବୋଲି କହିବା ପରେ ଏଥି ଯୋଗୁଁ ଦେହ ଅସୁସ୍ଥ ରହୁଛି ବୋଲି ପରିବାର ଲୋକ ଭାବିଥିଲେ। ପରେ କିଛି ବ୍ୟକ୍ତି ଶିଶୁର ପେଟରେ ଚେଙ୍କ ଦେଲେ ସେ ଠିକ୍‌ ହୋଇଯିବ ବୋଲି କହିଥିଲେ। ପରିବାର ଲୋକ ଅନ୍ଧବିଶ୍ବାସରେ ପଡ଼ି ଶିଶୁଟିର ପେଟରେ ୫ଟି ଚେଙ୍କ ଦେଇଥିଲେ।

ତେବେ ଗୁରୁବାର ସକାଳୁ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାକୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣି ଭର୍ତ୍ତିକରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ନୂଆପଡ଼ା ଡିଏମ୍‌ଓ ସୁଧୀର ରଞ୍ଜନ ନାଏକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆଜି ସକାଳେ ବୋଡ଼େନ ବ୍ଲକର ଜଣେ ଶିଶୁ ଡାକ୍ତରଖାନାରେ ଭର୍ତ୍ତିହୋଇଥିଲା। ପରେ ରକ୍ତବାନ୍ତି ହୋଇ ତାର ମୃତ୍ୟୁ ହୋଇଥିଲା । ଶିଶୁର ପେଟରେ ୫ଟି ଚେଙ୍କ ଚିହ୍ନ ରହିଥିବାରୁ ପୁଲିସକୁ ଖବର ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି। ଏ ନେଇ ବୋଡ଼େନ ଥାନା ଅଧିକାରୀ କୁଳମଣି ବୁରୁଡ଼ାଙ୍କୁ ପଚାରିବାରୁ ପୁଲିସ୍ ଟିମ୍‌ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଯାଇଛନ୍ତି। ଏ ନେଇ ଏକ ମାମଲା ରୁଜୁ କରାଯାଇଛି। ଶୁକ୍ରବାର ଶବ ବ୍ୟବଚ୍ଛେଦ କରାଯିବ ଓ ରିପୋର୍ଟ ଆସିଲା ପରେ କାରଣ ଜଣାପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର