ଟ୍ବେଣ୍ଟି-୨୦ରେ ଦ୍ରୁତତମ ୯୦୦୦ ରନ୍‌; କୋହଲି ଓ ଗେଲ୍‌ଙ୍କୁ ଟପିଲେ ବାବର

ନୂଆଦିଲ୍ଲୀ : ଚଳିତ ପାକିସ୍ତାନ ସୁପର ଲିଗ୍‌ରେ ଚମତ୍କାର ଫର୍ମରେ ଥିବା ପାକିସ୍ତାନ ଅଧିନାୟକ ତଥା ପେଶୱାର ଜାଲ୍‌ମୀର ନେତୃତ୍ବ ନେଉଥିବା ବାବର ଆଜମ ୧୦ ପାଳିରୁ ଗୋଟିଏ ଶତକ ଏବଂ ୫ ଅର୍ଦ୍ଧଶତକ ସହାୟତାରେ ୪୮୦ ରନ୍‌ କରିଛନ୍ତି। ସେ ୫୩ରୁ ଅଧିକ ହାରାହାରିରେ ସ୍କୋର୍‌ କରି ମୁଲ୍‌ତାନ ସୁଲ୍‌ତାନର ମହମ୍ମଦ ରିଜ୍‌ୱାନ (୫୧୬ ରନ୍‌)ଙ୍କ ପଛକୁ ଦ୍ବିତୀୟ ସର୍ବାଧିକ ସ୍କୋରର୍‌ ରହିଛନ୍ତି।

ଗତ ମଙ୍ଗଳବାର ଇସ୍‌ଲାମାବାଦ ୟୁନାଇଟେଡ୍‌ ବିପକ୍ଷ ଏଲିମିନେଟର-୧ରେ ୩୯ ବଲ୍‌ରୁ ୬୪ ରନ୍‌ କରିବା ଅବସରରେ ବାବର ଆଜମ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଦ୍ରୁତତମ ୯୦୦୦ ରନ୍‌ ପୂରଣ କରିଥିଲେ। ଏହି କ୍ରମରେ ସେ ଭାରତର ବିରାଟ କୋହଲି ଏବଂ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ବାବର ୯୦୦୦ ରନ୍‌ କରିବା ପାଇଁ ୨୪୫ ପାଳି ଖେଳିଥିଲା ବେଳେ ଗେଲ୍‌ ୨୪୯ ଏବଂ କୋହଲି ୨୭୧ ପାଳି ଖେଳିଥିଲେ। ଏହ‌ି ତିନି ଜଣଙ୍କ ପଛକୁ ଟ୍ବେଣ୍ଟି-୨୦ରେ ୯୦୦୦ ରନ୍‌ ପୂରଣ କରିସାରିଥିବା ତାଲିକାରେ ଦୁଇ ଅଷ୍ଟ୍ରେଲୀୟ ତାରକା ଡେଭିଡ ୱାର୍ଣ୍ଣର (୨୭୩ ପାଳି) ଏବଂ ଆରୋନ ଫିଞ୍ଚ୍‌ (୨୮୧ ପାଳି) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମରେ ରହିଛନ୍ତି।

ସମ୍ବନ୍ଧିତ ଖବର