ବଲିଉଡ୍‌ ସିନେମାରେ କରିସ୍ମା ଦେଖାଇବାକୁ ଅପେକ୍ଷା କରିଛନ୍ତି ଅଙ୍କିତା

ସୋନି ଲାଇଭ୍‌ ଟିଭିର ଓଟିଟି ୱେବ୍‌ ଧାରାବାହିକ ‘ଦି ହ୍ବିସଲ୍‌ବ୍ଲୋଅର’ରେ ନିର୍ବାହ କରିଥିବା ଡକ୍ଟର ପ୍ରଜ୍ଞା ଚରିତ୍ର ପାଇଁ ସୁପରିଚିତ ଅଭିନେତ୍ରୀ ଅଙ୍କିତା ଶର୍ମାଙ୍କର ମନରେ ଏକ ଅବସୋସ ରହିଯାଇଛି। ବିଭିନ୍ନ ଟିଭି ଧାରାବାହିକରେ ଦର୍ଶକଙ୍କ ମନରେ ସେ ଏକ ସ୍ବତନ୍ତ୍ର ଛାପ ଛାଡ଼ିପାରିବାରେ ସକ୍ଷମ ହୋଇଥିଲେ ହେଁ ସିନେ ଦର୍ଶକଙ୍କ ପାଇଁ ସେ ଜଣେ ଅନାମଧେୟ ତାରକା। ଯଦିଓ ଦୀର୍ଘ ନଅ ବର୍ଷ ତଳେ ‘ଉଦିକ’ ଓ ‘ବାଜ’ ପରି ଦୁଇଟି ପଞ୍ଜାବୀ ଫିଲ୍ମରେ ଅଭିନୟ କରିବାର ସୁଯୋଗ ତାଙ୍କୁ ମିଳିଥିଲା, ତେବେ ସେ ସେଭଳି ଲୋକପ୍ରିୟତା ସାଉଁଟି ପାରିନଥିଲେ। ଫଳସ୍ବରୂପ, ସେବେଠାରୁ ସିନେଜଗତରେ ତାଙ୍କ ହାତ ଖାଲି ପଡ଼ିଛି। ଯଦିଓ ଟିଭି ଓ ୱେବ ଧାରାବାହିକରେ ସେ ସାମୟିକ ଭାବେ ମନକୁ ଆଶ୍ବସ୍ତ କରୁଛନ୍ତି, ତେବେ ଫିଲ୍ମ ଦୁନିଆରେ ନିଜର ପ୍ରଦର୍ଶନ ପରଷିବା ପାଇଁ ସେ ବ୍ୟାକୁଳତାର ସହ ଅପେକ୍ଷା କରି ରହିଛନ୍ତି।

ଚଣ୍ଡୀଗଡ଼ଠାରେ ୧୯୯୫ ମେ ୩୧ ତାରିଖରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିବା ଅଙ୍କିତା ୨୦୧୪ରେ ଏନ୍‌ଟିଭି ଦ୍ବାରା ପ୍ରଯୋଜିତ ବାସ୍ତବଧର୍ମୀ ଟିଭି ଧାରାବାହିକ ‘ଟିକେଟ୍‌ ଟୁ ବଲିଉଡ୍‌’ ଜିତିଲା ପରେ ସେ ଅଭିନୟ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ସ୍ବପ୍ନ ଦେଖିଥିଲେ। ସୁଯୋଗକୁ ତହିଁ ପରବର୍ଷ ତାଙ୍କୁ ଜିଟିଭି ଦ୍ବାରା ପ୍ରଯୋଜିତ ଧାରାବାହିକ ‘ଲାଜବନ୍ତୀ’ରେ ଶୀର୍ଷକ ଭୂମିକା ନିର୍ବାହର ସୁଯୋଗ ମିଳିଥିଲା। ଏଥିରେ ତାଙ୍କୁ ଶ୍ରେଷ୍ଠ ଯୋଡ଼ି (ସିଦ୍ଧ ମକ୍କାରଙ୍କ ସହ) ଭାବେ ‘ଜୀ ରିସ୍ତେ’ ସମ୍ମାନ ମିଳିଥିଲା। ଏହି ଆଶାନୁରୂପ ପ୍ରାରମ୍ଭିକ ସଫଳତା ତାଙ୍କ ପାଇଁ ପରବର୍ତ୍ତୀ ଧାରାବାହିକ ‘ୟେ ଵାଦା ରହା’ରେ ଏକ ପ୍ରମୁଖ ଭୂମିକା ସୁରକ୍ଷିତ କରିଦେଇଥିଲା। ପରବର୍ତ୍ତୀ ଧାରାବାହିକ ‘ଏକ ଶ୍ରୀଙ୍ଗାର ସ୍ବାଭିମାନ’ରେ ତାଙ୍କର ଅନୁରୂପ ଶୀର୍ଷକ ଭୂମିକା ଆଶାତୀତ ଲୋକପ୍ରିୟତା ଆଣିଦେଇଥିଲା।

ଏହି ଅବସରରେ ‘ବିଗ୍‌ ବସ୍‌-୧୦’ ଓ ‘ରାଇଜିଂ ଷ୍ଟାର’ ପରି ବାସ୍ତବଧର୍ମୀ ଧାରାବାହିକରେ ତାଙ୍କର ଅତିଥି ଭୂମିକା ମଧ୍ୟ ଦର୍ଶକମାନଙ୍କୁ ମୁଗ୍‌ଧ କରିପାରିଥିଲା। ପରବର୍ତ୍ତୀ ଧାରାବାହିକ ‘ଶଶୁରାଲ ସିମର କା’, ‘ଦିଲ ସେ ଦିଲ ତକ’ ଓ ‘ଲାଲ୍‌ ଇସ୍କ’ରେ ଭିନ୍ନ ଭିନ୍ନ ଚରିତ୍ର ଦ୍ବାରା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇପାରିଥିଲେ ହେଁ ଗତ ଚାରି ବର୍ଷ ହେଲା ତାଙ୍କୁ ସେଭଳି ଆଉ ଟିଭିରେ ଦେଖିବାକୁ ମିଳୁନାହିଁ। ଅପରପକ୍ଷେ, ସେ ଅଧୁନା ୱେବ୍‌ ଧାରାବାହିକରେ ନିଜ ପ୍ରଶଂସକମାନଙ୍କୁ ଆପ୍ୟାୟିତ କରିବାର ପ୍ରୟାସ ଜାରି ରଖିଛନ୍ତି। ଗତବର୍ଷ ତାଙ୍କ ଅଭିନୀତ ୱେବ୍‌ ଧାରାବାହିକ ‘ରଙ୍ଗ୍‌ ୱେ’ ଆଶାନୁରୂପ ଲୋକପ୍ରିୟ ହୋଇପାରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର