ଜାକିର ନାଏକକୁ ଭାରତ ଅଣାଯିବ ! ଓମାନରୁ ହୋଇପାରେ ପ୍ରତ୍ୟାର୍ପଣ

ନୂଆଦିଲ୍ଲୀ :  ବିବାଦୀୟ ଇସଲାମିକ ପ୍ରଚାରକ ଜାକିର ନାଏକଙ୍କୁ ଓମାନରୁ ଭାରତକୁ ପ୍ରତ୍ୟାର୍ପଣ କରାଯାଇପାରେ । ମାର୍ଚ୍ଚ ୨୩ରୁ ନାଏକ ଓମାନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଭାରତୀୟ ଗୁଇନ୍ଦା ଏଜେନ୍ସି ତାଙ୍କୁ ହେପାଜତକୁ ନେବା ପାଇଁ ଓମାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି । ଗୁଇନ୍ଦା ସୂତ୍ରରୁ ଉଦ୍ଧାର କରି ଏକ ଭାରତୀୟ ଗଣମାଧ୍ୟମ ଏହି ରିପୋର୍ଟ ପ୍ରକାଶ କରିଛି ।

ଓମାନରେ ଦୁଇଟି ଭାଷଣ ଦେବା ପାଇଁ ନାଏକଙ୍କୁ ନିମନ୍ତ୍ରଣ କରାଯାଇଛି। ରମଜାନ ମାସର ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୨୩ ତାରିଖରେ ଓମାନର ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ  ତାଙ୍କର ପ୍ରଥମ ପ୍ରବଚନ ଆୟୋଜନ କରାଯାଇଛି । ସେହିପରି ମାର୍ଚ୍ଚ ୨୫ ତାରିଖ ସନ୍ଧ୍ୟାରେ ସୁଲତାନ କାବୁସ୍ ବିଶ୍ୱବିଦ୍ୟାଳୟରେ ଦ୍ବିତୀୟ ପ୍ରବଚନ ଅନୁଷ୍ଠିତ ହେବ ।

ଓମାନରେ ଥିବା ଭାରତୀୟ ଦୂତାବାସ ସେଠାକାର ପୁଲିସ ସହ ଯୋଗାଯୋଗରେ ରହି ସେମାନଙ୍କୁ ସ୍ଥାନୀୟ ଆଇନ ଅନୁଯାୟୀ ଅଟକ ରଖିବା ପରେ ସେମାନଙ୍କୁ ଭାରତ ଆଣିବା ପାଇଁ ଉଦ୍ୟମ କରୁଛି । ସେମାନଙ୍କ ଅନୁରୋଧ କ୍ରମେ ସ୍ଥାନୀୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ହେପାଜତକୁ ନେବାର ଦୃଢ଼ ସମ୍ଭାବନା ରହିଛି ବୋଲି ଭାରତୀୟ ଗୁଇନ୍ଦା ଏଜେନ୍ସି ସୂତ୍ରରୁ ପ୍ରକାଶ ।

ଭାରତରେ ତା ବିରୋଧରେ ଘୃଣା ସୃଷ୍ଟିକାରୀ ଭାଷଣ, ବେଆଇନ ଅର୍ଥ କାରବାର ଆଦି ଅଭିଯୋଗରେ ମାମଲା ରୁଜ୍ଜୁ ହୋଇଛି । ସେ ଗତ ୨୦୧୭ରେ ଭାରତରୁ ଫେରାର ହୋଇ ମାଲେସିଆରେ ରହୁଛି । ତା’ ଦ୍ବାରା ସ୍ଥାପିତ ପିସ୍ ଟିଭିକୁ ଭାରତ, ବ୍ରିଟେନ, ଶ୍ରୀଲଙ୍କା ସମେତ କେତେକ ଦେଶରେ  ନିଷିଦ୍ଧ କରାଯାଇଛି ।

ସମ୍ବନ୍ଧିତ ଖବର