ମଲୟାଲମ୍‌ ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ଇନୋସେଣ୍ଟ୍‌ଙ୍କ ଦେହାନ୍ତ

କୋଚି: ୭୫ ବର୍ଷିୟ ଜନପ୍ରିୟ ମଲୟାଲମ୍‌ ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ଇନୋସେଣ୍ଟ୍‌ଙ୍କର ରବିବାର ରାତିରେ କୋଚିସ୍ଥିତ ‘କୋଚି ଲେକ୍‌ସୋର୍‌ ହସ୍ପିଟାଲ୍‌’ରେ ଦେହାନ୍ତ ହୋଇଯାଇଥିବା କଥା ‘ପିଟିଆଇ’ ରିପୋର୍ଟ କରିଛି।

‘ଏଲ୍‌ଡିଏଫ୍‌’ ଟିକେଟ୍‌ରେ ବିଜୟୀ ହୋଇ ୧୬ତମ ଲୋକସଭାରେ ଚଲାକୁଡ଼ୀ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରିଥିବା ଇନୋସେଣ୍ଟ୍‌ଙ୍କର ରାତି ପ୍ରାୟ ୧୦.୩୦ରେ ଦେହାନ୍ତ ହୋଇଯାଇଥିବା କଥା ଡାକ୍ତରଖାନା ଜାରି କରିଥିବା ବିବୃତିରେ ଉଲ୍ଲେଖ କରିଛି।

ମାର୍ଚ ୩ ତାରିଖରୁ ଚିକିତ୍ସାଧୀନ ଥିବା ଇନୋସେଣ୍ଟ୍‌ଙ୍କର ରବିବାର ଦିନ ହୃଦ୍‌ଘାତ ହୋଇଥିଲା। କୋଭିଡ୍‌-୧୯ ଯୋଗୁଁ ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇଯାଇଥିବା ଇନୋସେଣ୍ଟ୍‌ଙ୍କର ଏକାଧିକ ଅଙ୍ଗ ବି ଅକାମି ହୋଇଯାଇଥିଲା ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ଅଛି।

ଇନୋସେଣ୍ଟ୍‌ଙ୍କୁ କର୍କଟ ରୋଗ ହୋଇଥିବା କଥା ୨୦୧୨ରେ ଜଣାପଡ଼ିଥିଲା। କର୍କଟ ରୋଗରୁ ଆରୋଗ୍ୟ ହୋଇଛନ୍ତି ବୋଲି ୩ ବର୍ଷ ପରେ ସେ ଘୋଷଣା କରିବା ସହିତ ‘ଲାଫ୍ଟର୍‌ ଇନ୍‌ ଦି କ୍ୟାନ୍‌ସର୍‌ ୱାର୍ଡ’ ନାମକ ପୁସ୍ତକରେ କର୍କଟ ରୋଗ ବିପକ୍ଷରେ ତାଙ୍କ ସଂଗ୍ରାମ କଥା ଲେଖିଥିଲେ।

Image Courtesy of FilmiBeat

ଦୀର୍ଘ ୧୮ ବର୍ଷ ଧରି ଇନୋସେଣ୍ଟ୍‌ ‘ଆସୋସିଏସନ୍‌ ଅଫ୍‌ ମଲୟାଲମ୍‌ ମୁଭି ଆକ୍ଟର୍ସ ଆସୋସିଏସନ୍‌’ର ଅଧ୍ୟକ୍ଷ ଥିଲେ। ସମାନ ଭାବେ ଗମ୍ଭୀର ଏବଂ ହାସ୍ୟରସ ଅଭିନୟ ପରିସ୍ଫୁଟନ କରିବାର ଦକ୍ଷତା ଯୋଗୁଁ ଇନୋସେଣ୍ଟ୍‌ ଦର୍ଶକମାନଙ୍କର ଆଦରଣୀୟ ହୋଇପାରିଥିଲେ। ମଲୟାଲମ୍‌, ତାମିଲ୍‌ ଓ କନ୍ନଡ଼ ଚଳଚ୍ଚିତ୍ର ଶିଳ୍ପରେ ସେ ଅନ୍ୟୂନ ୭୫୦ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ଉତ୍ତରାଧିକାରୀ ଭାବେ ତାଙ୍କର ପତ୍ନୀ ଏଲିସ୍‌, ପୁଅ ସନେଟ୍‌ ଓ ବୋହୂ ରେଶ୍‌ମୀ ଅଛନ୍ତି।

୧୯୭୨ରେ ମୁକ୍ତିଲାଭ କରିଥିବା ଏ. ବି. ରାଜ୍‌ଙ୍କ ‘ନୃତ୍ୟଶାଳା’ ଚଳଚ୍ଚିତ୍ର ହେଉଛି ଇନୋସେଣ୍ଟ୍‌ଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର।

ତାଙ୍କର ମୃତ୍ୟୁ ଯୋଗୁଁ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍‌ ଶୋକବ୍ୟକ୍ତ କରି ଲେଖିଛନ୍ତି: ଇନୋସେଣ୍ଟ୍‌ ସଦାସର୍ବଦା ବାମପନ୍ଥୀ ମନୋଭାବ ପରିପୋଷଣ କରୁଥିଲେ। ‘ଲେଫ୍‌ଟ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌’ର ଅନୁରୋଧକ୍ରମେ ସେ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବାରୁ କେରଳ ତାଙ୍କୁ କୃତଜ୍ଞାତାର ସହ ସ୍ମରଣ କରିବ। ନିର୍ବାଚନରେ ବିଜୟୀ ହେବା ପରେ ସେ ସଂସଦରେ କେରଳର ଦାବି ସବୁ ସ୍ପଷ୍ଟ ଭାବେ ଉତ୍ଥାପନ କରିଥିଲେ।

ଆଜି ସନ୍ଧ୍ୟାରେ ଇରିଞ୍ଜାଲାକୁଡ଼ାସ୍ଥିତ ସେଣ୍ଟ୍‌ ଟୋମାସ୍‌ କ୍ୟାଥେଡ୍ରାଲ୍‌ରେ ଆଜି ସନ୍ଧ୍ୟାରେ ତାଙ୍କ ମରଶରୀରକୁ କବର ଦିଆଯିବ।

ସମ୍ବନ୍ଧିତ ଖବର