ଲକ୍‌ଡାଉନ୍ ବଢ଼ାଉଛି ବେକାରି : ଚାକିରି ହରାଇଲେ୨.୭ କୋଟି ଯୁବକଯୁବତୀ

ନୂଆଦିଲ୍ଲୀ: କରୋନା ସଙ୍କଟର ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ଦେଶରେ ବେକାରିଙ୍କ ସଂଖ୍ୟା ବଢ଼ାଇଛି। ଗତ ଏପ୍ରିଲ୍‌ରେ ଦେଶର ୨.୭ କୋଟି ଯୁବକଯୁବତୀଙ୍କ ଚାକିରି ଚାଲିଯାଇଛି। ସେଣ୍ଟର୍‌ ଫର୍‌ ମନଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍‌ଆଇଇ) ଏହି ସୂଚନା ଦେଇଛି। କୋଡ଼ିଏରୁ ତିରିଶ ବର୍ଷ ବୟସର ଅଧିକାଂଶ ଯୁବକଯୁବତୀ ନିଯୁକ୍ତି ହରାଇଥିବା ଜଣାପଡ଼ିଛି।

ସିଏମ୍‌ଆଇଇର ସାପ୍ତାହିକ ରିପୋର୍ଟ ଅନୁଯାୟୀ, ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟର କଟକଣାକୁ କିଛିଟା କୋହଳ କରାଯିବା ପରେ ବେକାର ହୋଇଯାଇଥିବା ଲୋକଙ୍କ ସଂଖ୍ୟା କମିଛି। ଲକ୍‌ଡାଉନ୍ ସମୟରେ ବେକାରି ହାର ୨୭.୧ ପ୍ରତିଶତକୁ ବୃଦ୍ଧି ପାଇଥିଲା। ମେ’ ୧୦ ସୁଦ୍ଧା ଏହି ହାର ୨୪ ପ୍ରତିଶତକୁ ହ୍ରାସ ପାଇଛି। ଅର୍ଥାତ ବେକାର ହୋଇ ବସି ରହିଥିବା କିଛି ଲୋକ ପୁଣି କର୍ମକ୍ଷେତ୍ରରୁ ଫେରିବାରୁ ବେକାରି ହାର କମିଛି। ସେହିପରି ଶ୍ରମ ବଜାରରେ ଭାଗ ନେଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଏହି ସମୟରେ ୩୭.୬ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶର ବିଭିନ୍ନ ସ୍ଥାନରେ କଳ କାରଖାନାଗୁଡ଼ିକ ଖୋଲୁଥିବାରୁ ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲକ୍‌ଡାଉନ୍ ସମୟରେ ଶ୍ରମ ବଜାରରେ ଶ୍ରମିକଙ୍କ ଅଂଶଗ୍ରହଣ ହାର ୩୬.୨ ପ୍ରତିଶତକୁ ହ୍ରାସ ପାଇଥିଲା। ନିଯୁକ୍ତି ହାର ମଧ୍ୟ ଏହି ସମୟରେ ୨୬.୪ ପ୍ରତିଶତରୁ ବୃଦ୍ଧି ପାଇ ୨୮.୬ ପ୍ରତିଶତ ହୋଇଛି।ଦେଶରେ ନିଯୁକ୍ତି ହରାଇଥିବା ଯୁବପିଢ଼ିଙ୍କ ମଧ୍ୟରୁ ୧୧ ପ୍ରତିଶତଙ୍କ ବୟସ ୨୦-୨୪ ବର୍ଷ ଭିତରେ ରହିଛି।

ସମ୍ବନ୍ଧିତ ଖବର