କେବେଠୁ ଏ ମାନ୍ଦାବସ୍ଥା?

୨୦୧୮-୧୯ରେ ଗାଡ଼ି ବିକ୍ରି ବହୁତ ଭଲ ରହିଥିଲା। ପ୍ରାୟ ସବୁ ପ୍ରକାର ଗାଡ଼ିର ବିକ୍ରି ବଢ଼ିଥିଲା। ୨୦୧୮ର ଏପ୍ରିଲ୍‌ରୁ ଜୁନ୍ ଭିତରେ ୧୮% ବୃଦ୍ଧି ସହ ୭୦ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି ହୋଇଥିଲା। ସେହି ସମୟରେ କାର୍ ବିକ୍ରି ୨୦%, ବାଣିଜ୍ୟିକ ଯାନ ବିକ୍ରି ୫୧.୫୫% ଓ ଦୁଇଚକିଆ ଯାନ ବିକ୍ରି ୧୬% ବଢ଼ିଥିଲା। ତେବେ ୨୦୧୮ ଜୁଲାଇରେ ପ୍ରଥମ ଥର ଲାଗି କାର୍‌ ବିକ୍ରିରେ ହ୍ରାସ ଘଟିଥିଲା। ୨୦୧୭ ଜୁଲାଇରେ ଜିଏସ୍‌ଟି ଲାଗୁ କରାଯିବା ପରବର୍ତି ସମୟ‌ରେ ଗାଡ଼ି ବିକ୍ରି ବଢ଼ିଥିଲା। ମାତ୍ର ଏହା ପରେ କେରଳର ପ୍ରଳୟଙ୍କାରୀ ବନ୍ୟା ଓ ଅନ୍ୟ କେତେକ ରାଜ୍ୟରେ ପ୍ରବଳ ବର୍ଷା ହେବା କାରଣରୁ ସେହିବର୍ଷର ଅଗଷ୍ଟ ଓ ସେପ୍ଟେମ୍ବରରେ ଗାଡ଼ି ବିକ୍ରି କମିଥିଲା। ସେହି ଦିନଠାରୁ ଏହି ମାନ୍ଦାବସ୍ଥା ଆରମ୍ଭ ହୋଇଥିବା କୁହାଯାଉଛି।

୨୦୦୮ ତୁଳନାରେ ଏହା କାହିଁକି ଭିନ୍ନ?

୨୦୦୮ରେ ଦେଶରେ ଯେଉଁ ମାନ୍ଦାବସ୍ଥା ଦେଖାଦେଇଥିଲା ତାହାର କାରଣ ଥିବା ବିଶ୍ବ ବଜାର। ଲେହମ୍ୟାନ୍ ବ୍ରଦର୍ସ ବିଫଳ ହେବା ଯୋଗୁ ସାରା ବିଶ୍ବରେ ମାନ୍ଦାବସ୍ଥା ଦେଖାଦେଇଥିଲା ଏବଂ ତାହାର ପ୍ରଭାବ ଭାରତରେ ଅନୁଭୂତ ହୋଇଥିଲା। ଏବେ କିନ୍ତୁ ଯେଉଁ ମାନ୍ଦାବସ୍ଥା ଦେଖାଦେଇଛି ତାହାର କାରଣ ହେଉଛି ଦେଶ ଭିତରେ ସୃଷ୍ଟି ହୋଇଥିବା ସମସ୍ୟା। ‘ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌’ ନାମକ ସଂସ୍ଥାରେ ସଙ୍କଟ ଯୋଗୁ ଫାଇନାନ୍ସ କଂପାନିଗୁଡ଼ିକ ପାଖରେ ପାଣ୍ଠି ଅଭାବ ଦେଖାଦେଇଛି। ସେମାନେ ବିଭିନ୍ନ ଜିନିଷକୁ ଫାଇନାନ୍ସ କରିପାରୁନାହାନ୍ତି। ଯେହେତୁ ସୁବିଧାରେ ଫାଇନାନ୍ସ ମିଳୁନି ତେଣୁ ଗାଡ଼ି ଭଳି ଜିନିଷ ବିକ୍ରି ହେଉନାହିଁ।

କାହିଁକି ଗାଡ଼ି ବିକ୍ରି ହେଉନି?

ବ୍ୟାଙ୍କ ଋଣ ଉପରେ ଅଧିକ ସୁଧ, ଇନ୍ଧନ ଦର ବୃଦ୍ଧି ଏବଂ ଗାଡ଼ିର ବୀମା ପ୍ରିମିୟମ୍‌‌ରେ ମାତ୍ରାଧିକ ବୃଦ୍ଧି ଯୋଗୁ ଗାଡ଼ିଗୁଡ଼ିକର କିଣା ଦାମ୍ ବହୁତ ବଢ଼ିଯାଇଛି। ଗାଡ଼ି ଦାମ୍‌ରେ ୧୩-୩୦% ବୃଦ୍ଧି ହୋଇଛି। ସେଥିପାଇଁ ଉତ୍ସବ ଋତୁରେ ମଧ୍ୟ ଗାଡ଼ି ବିକ୍ରି ମାନ୍ଦା ରହିଛି। ଗ୍ରାହକଙ୍କ ଚାହିଦା ପୂରଣ କରିବା ଲାଗି କଂପାନିଗୁଡ଼ିକ ବିପୁଳ ପରିମାଣର ଗାଡ଼ି ଉତ୍ପାଦନ କରିଥିଲେ। ତାହା ଏବେ କାରଖାନାରେ ପଡ଼ିରହିଛି। ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ସଙ୍କଟ ଯୋଗୁ ଗାଡ଼ି ଡିଲର୍ ଓ ଗ୍ରାହକଙ୍କୁ ସହଜରେ ଋଣ ମିଳୁନାହିଁ। ଦେଶରେ ବିକ୍ରି ହେଉଥିବା ତିନି ଚତୁର୍ଥାଂଶ ଗାଡ଼ି ଫାଇନାନ୍ସ ବଳରେ ବିକ୍ରି ହୁଏ। ଗ୍ରାମାଞ୍ଚଳରେ ବିକ୍ରି ହେଉଥିବା ଅଧା ଗାଡ଼ି ଫାଇନାନ୍ସ ଜରିଆରେ ବିକ୍ରି କରାଯାଇଥାଏ। ସହଜ ଋଣ ମିଳୁନଥିବାରୁ ଗ୍ରାହକମାନେ ଗାଡ଼ି କିଣିବା ଠାରୁ ଦୂରେଇ ଯାଇଛନ୍ତି। ଦେଶରେ ପୁରୁଣା କାର୍ ବିକ୍ରି ବଢ଼ିଥିବାରୁ ନୂଆ କାର୍‌ ବିକ୍ରି କମିଥାଇପାରେ ବୋଲି ମଧ୍ୟ କୁହାଯାଉଛି।

ଲୋକେ କିଣିବା ନିଷ୍ପତ୍ତି ଘୁଞ୍ଚାଉଛନ୍ତି କି?

ଆସନ୍ତାବର୍ଷ ଠାରୁ ଦେଶରେ ବିଏସ୍‌-୬ ନିୟମ ଲାଗୁ ହେବ। ୨୦୨୦ ଏପ୍ରିଲ୍ ୧ ଠାରୁ ଦେଶରେ କେବଳ ବିଏସ୍‌-୬ ନିୟମ ପାଳନ କରୁଥିବା ଗାଡ଼ି ବିକ୍ରି ହେବ। ନୂଆ ଗାଡ଼ି କିଣିବାକୁ ଚାହୁଥିବା ଗ୍ରାହକମାନେ ସେହି ସମୟକୁ ଅପେକ୍ଷା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଗାଡ଼ି ନିର୍ମାଣ କରୁଥିବା କଂପାନିଗୁଡ଼ିକର ଅଧିକାରୀମାନେ କହୁଛନ୍ତି ଯେ ବିଦ୍ୟୁତ ଯାନ ପ୍ରତି ସରକାର ମାତ୍ରାଧିକ ଗୁରୁତ୍ବ ଦେଉଥିବାରୁ ଲୋକମାନେ ପେଟ୍ରୋଲ୍ ଓ ଡିଜେଲ୍ ଗାଡ଼ି କିଣିବା ପାଇଁ ପଛଘୁଞ୍ଚା ଦେଉଛନ୍ତି।

କେତେ ଲୋକ ବେରୋଜଗାର ହେଲେଣି?

ଗାଡ଼ି ବଜାରରେ ସଙ୍କଟ ଯୋଗୁ ସାଢ଼େ ତିନି ଲକ୍ଷରୁ ଅଧିକ ଲୋକ ବେରୋଜଗାର ହୋଇଥିବା ଦାବି କରାଯାଉଛି। ବଡ଼ ଗାଡ଼ି କଂପାନିଗୁଡ଼ିକୁ ଯନ୍ତ୍ରାଂଶ ଯୋଗାଉଥିବା କ୍ଷେତ୍ରରେ ୪୦ ଲକ୍ଷ କର୍ମଚାରୀ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ତିନି ଲକ୍ଷ ବେରୋଜଗାର ହୋଇପଡ଼ିଛନ୍ତି। ଆଉ ୧୦ ଲକ୍ଷ ଲୋକଙ୍କ ଚାକିରି ପ୍ରତି ବିପଦ ରହିଛି। ବଡ଼ ଗାଡ଼ି କଂପାନିଗୁଡ଼ିକ ୧୫ ହଜାର କର୍ମଚାରୀ ଛଟେଇ କରିଥିବା କୁହାଯାଉଛି। ଏହା ବ୍ୟତୀତ ଦେଶରେ ୩୦୦ରୁ ଅଧିକ ଗାଡ଼ି ସୋ’ରୁମ୍ ବନ୍ଦ ହୋଇଛି। ‌

କେତେ ଦିନ ରହିବ ଏ ମାନ୍ଦାବସ୍ଥା?

ଏହି ପ୍ରଶ୍ନର ସଠିକ୍ ଉତ୍ତର କାହା ପାଖରେ ନାହିଁ। ବିଭିନ୍ନ ସଂସ୍ଥା ଓ ବିଶେଷଜ୍ଞ ଭିନ୍ନ ଭିନ୍ନ ମତ ଦେଉଛନ୍ତି। କିଏ କହୁଛି ପୂଜା ବଜାରରେ ସ୍ଥିତି ସୁଧୁରିବ ଏବଂ ଅନ୍ୟ କିଏ କହୁଛି ବିଏସ୍‌-୬ ନିୟମ ଲାଗୁ ହେବା ପରେ ଗାଡ଼ି ବିକ୍ରି ବଢ଼ିବ।

ସମ୍ବନ୍ଧିତ ଖବର