ଅଭିଯୋଗର ୨୪ ଘଣ୍ଟାରେ ବନ୍ଦ ହେବ ଜାଲ୍ ଆକାଉଣ୍ଟ୍‌

ନୂଆଦିଲ୍ଲୀ: ‌ସୋସିଆଲ୍ ମିଡିଆରେ ଜାଲ୍ ଆକାଉଣ୍ଟ୍‌ ଖୋଲି ଅନ୍ୟମାନଙ୍କୁ ହଇରାଣ କରୁଥିବା ଲୋକମାନଙ୍କ ପାଇଁ ଖରାପ ଖବର। ଏଭଳି ଆକାଉଣ୍ଟ୍‌କୁ ନେଇ ଅଭିଯୋଗ ଆସିବାର ୨୪ ଘଣ୍ଟା ଭିତରେ ସୋସିଆଲ୍ ମିଡିଆ କଂପାନି ଉକ୍ତ ଆକାଉଣ୍ଟ୍‌କୁ ବନ୍ଦ କରିବେ। ଟ୍ବିଟର, ଫେସବୁକ୍, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ଭଳି ସୋସିଆଲ୍ ମିଡିଆରେ ବିଶିଷ୍ଟ ବ୍ୟକ୍ତି ଓ ବ୍ୟବସାୟୀଙ୍କ ନାମରେ ଅନେକ ଜାଲ୍ ଆକାଉଣ୍ଟ୍‌ ଖୋଲାଯାଇଛି। ସେଭଳି ଆକାଉଣ୍ଟ୍‌ ବିଷୟରେ ଅଭିଯୋଗ ଆସିଲେ ୨୪ ଘଣ୍ଟା ଭିତରେ ତାହାକୁ ବନ୍ଦ କରିବାକୁ ସୋସିଆଲ୍ ମିଡିଆ କଂପାନିଗୁଡ଼ିକୁ ସରକାର ନିର୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାର ଜାରି କରିଥିବା ନୂଆ ଆଇଟି ନିୟମରେ ଏହି ବ୍ୟବସ୍ଥା ରହିଛି। ତେଣୁ ଅଭିଯୋଗ ଆସିବା ମାତ୍ରେ ସୋସିଆଲ୍ ମିଡିଆ ସଂସ୍ଥାଗୁଡ଼ିକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। ଅଧିକ ଅନୁଗାମୀ ହାସଲ କରିବା, ନିଜ ବାର୍ତାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା କିମ୍ବା ବେଆଇନ କାର୍ଯ୍ୟ ପାଇଁ ସିନେମା ଅଭିନେତା, କ୍ରିକେଟର, ରାଜନେତା ଓ ଯେକୌଣସି ଅନ୍ୟ ବ୍ୟକ୍ତିଙ୍କ ଫଟୋ ଓ ଛବିକୁ ବ୍ୟବହାର କରି ଅ‌ନେକ ଜାଲ୍ ଆକାଉଣ୍ଟ୍‌ ଖୋଲାଯାଇଛି। ପ୍ରକୃତ ବ୍ୟକ୍ତି ଯଦି କୌଣସି ଜାଲ୍ ଆକାଉଣ୍ଟ୍‌ ବିଷୟରେ ଅଭିଯୋଗ କରିବେ ତେବେ ସୋସିଆଲ ମିିଡିଆ କଂପାନି ସେହି ଆକାଉଣ୍ଟ୍‌କୁ ୨୪ ଘଣ୍ଟାରେ ବନ୍ଦ କରିବେ। ନିଜ ନାମରେ ଖୋଲାଯାଇଥିବା ଜାଲ୍ ଆକାଉଣ୍ଟ୍‌ ବିରୋଧରେ ଅଭିଯୋଗ କରିବାର ଅଧିକାର ଲୋକମାନଙ୍କୁ ନୂଆ ଆଇଟି ନିୟମରେ ପ୍ରଦାନ କରାଯାଇଛି। ନଗ୍ନତା, ଅଶାଳୀନ, ଯୌନ କାର୍ଯ୍ୟକଳାପ ଓ ବ୍ୟବହାର ଆଦି ଉପରେ ଅଭିଯୋଗ ଆସିଲେ ତାହା ହଟାଇବା ଲାଗି କଂପାନିଗୁଡ଼ିକୁ କୁହାଯାଇଛି। କଂପାନିଗୁଡ଼ିକୁ ନୂଆ ଆଇଟି ନିୟମରେ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର