ଆଇଏମ୍ଏଫ୍‌ ଆକଳନ: ଭାରତ ସବୁଠୁ ଦ୍ରୁତ ଗତିରେ ବଢ଼ିବ

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଅର୍ଥନୀତିର ମାନ୍ୟତା ବଜାୟ ରଖିବ। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ପକ୍ଷରୁ ଏହି ଆକଳନ କରାଯାଇଛି। ଏହା ନିଜର ପୂର୍ବାନୁମାନକୁ ବଦଳାଇ କହିଛି ଯେ ଭାରତୀୟ ଅର୍ଥନୀତି ୬.୫ ପ୍ରତିଶତ ନୁହେଁ ବରଂ ୬.୮ ପ୍ରତିଶତ ହାରରେ ଆଗକୁ ବଢ଼ିବ। ଚୀନ୍‌ଠାରୁ ମଧ୍ୟ ଏହାର ଅଭିବୃଦ୍ଧିର ଗତି ଅଧିକ ରହିବ। ଚୀନ୍‌ର ଅଭିବୃଦ୍ଧି ୪.୬ ପ୍ରତିଶତ ରହିବ ବୋଲି ଆଇଏମ୍ଏଫ୍ ଆକଳନ କରିଛି। ଭାରତୀୟ ଅର୍ଥନୀତିର କ୍ଷୀପ୍ର ବୃଦ୍ଧିର କାରଣ ସମ୍ପର୍କରେ ଆଇଏମ୍ଏଫ୍ କହିଛି ଯେ ଦେଶ ଭିତରେ ବିଭିନ୍ନ ସାମଗ୍ରୀ ଓ ସେବା ଲାଗି ଚାହିଦା ରହିଥିବା ବେଳେ ଏକ ବଡ଼ ଶ୍ରମଶକ୍ତି ଏହା ସପକ୍ଷରେ ରହିଛି। ଏହା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖି ଦ୍ରୁତ ଗତିରେ ଆଗକୁ ବଢ଼ିପାରିବ ବୋଲି ଆଇଏମ୍ଏଫ୍‌ ଆକଳନ କରିଛି। ୨୦୨୪ରେ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ୩.୨ ପ୍ରତିଶତ ରହିବ ବୋଲି ଆଇଏମ୍ଏଫ୍ ଆକଳନ କରିଛି। ଆମେରିକା‌ ଅର୍ଥନୀତି ଚଳିତ ବର୍ଷ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ଥିବାରୁ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ଆକଳନକୁ ବୃଦ୍ଧି କରାଯାଇଛି।

ଏସିଆର ଅଭିବୃଦ୍ଧି ସମ୍ଭାବନା ସମ୍ପର୍କରେ ଆଇଏମ୍‌ଏଫ୍ କହିଛି ଯେ ଏହି ଅଞ୍ଚଳର ଅଭିବୃଦ୍ଧି ହାର ୨୦୨୪ରେ ୫.୨ ପ୍ରତିଶତକୁ ହ୍ରାସ ପାଇବ ଯାହା ୨୦୨୩ରେ ୫.୬ ପ୍ରତିଶତ ଥିଲା। ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଲାଗାତାର ତିନିଟି ଆର୍ଥିକ ବର୍ଷ ପାଇଁ ଭାରତ ବିଶ୍ବର ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଅର୍ଥନୀତି ହୋଇରହିଛି। ଆଗକୁ ଏହି ଧାରା ବଜାୟ ରହିବ। ଆସନ୍ତା ୨୫ ବର୍ଷ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ଭାରତରେ ରାଜନୈତିକ ଓ ଅର୍ଥନୀତିରେ ସ୍ଥିରତା ଥିବାରୁ ଏଠାରେ ନିବେଶ କରିବାକୁ ନିବେଶକମାନଙ୍କ ମଧ୍ୟରେ ଆଗ୍ରହ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର