ସୁପ୍ରିମ୍‌କୋର୍ଟରେ ଭିଭିପିଏଟି ଶୁଣାଣି: ନିର୍ବାଚନ କମିସନ ଉପରେ ଭରସା ରଖ

ବ୍ୟବସ୍ଥା ଭୁଶୁଡ଼ାଇବାକୁ ପ୍ରୟାସ କରନାହିଁ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ଆଜି ଭିଭିପିଏଟି (ଭୋଟର ଭେରିଫା‌ଏବଲ୍‌ ପେପର୍‌ ଅଡିଟ୍‌ ଟ୍ରେଲ୍‌) ବ୍ୟବସ୍ଥା ଜରିଆରେ ଉପଲବ୍ଧ ହେଉଥିବା କାଗଜ ସ୍ଲିପ୍ ସହ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରେ ଦିଆଯାଇଥିବା ଭୋଟ୍‌କୁ ମିଳାଇବା ତଥା ପୁନଃ ଯାଞ୍ଚ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି ହୋଇଛି। ଆଜି ସୁପ୍ରିମ୍‌କୋର୍ଟ ଏ ବାବଦରେ ଦୁଇ ଘଣ୍ଟା ଶୁଣାଣି କରିବା ପରେ ଏପ୍ରିଲ ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି। ସଂପ୍ରତି ଗୁପ୍ତ ମତଦାନ ପଦ୍ଧତିରେ ସମସ୍ୟା ଥିବା ଦର୍ଶାଇ ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଛନ୍ତି ଯେ ଆମ ନିଜ ବ୍ୟବସ୍ଥା ଉପରେ ଭରସା କରିବାକୁ ହେବ ଏବଂ ବ୍ୟବସ୍ଥା ଭୁଶୁଡ଼ାଇବାକୁ ପ୍ରୟାସ କରିବା ଉଚିତ ନୁହେଁ। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଏବଂ ସାମାଜିକ କର୍ମୀ ଅରୁଣ କୁମାର ଅଗ୍ରଵାଲ ଇଭିଏମ୍ ଭୋଟ୍ ଏବଂ ଭିଭିପ୍ୟାଟ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପିଟିସନ୍ ଦାଖଲ କରିଥିବା ବେଳେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ।

ବ୍ୟବସ୍ଥା ଭୁଶୁଡ଼ାଇବାକୁ ପ୍ରୟାସ କରନାହିଁ
ଖଣ୍ଡପୀଠଙ୍କ ପ୍ରଶ୍ନ: ଜର୍ମାନୀର ଜନସଂଖ୍ୟା କେତେ?

ଭୂଷଣ ଯୁକ୍ତି ବାଢ଼ିଥିଲେ ଯେ ଇଭିଏମ୍ ମାଧ୍ୟମରେ ଭୋଟ୍ ଦେବାକୁ ପସନ୍ଦ କରିଥିବା ଅଧିକାଂଶ ୟୁରୋପୀୟ ଦେଶ ଏବେ ବାଲଟ୍‌କୁ ଫେରିଛନ୍ତି। ସେ କହିଥି‌ଲେ ଯେ ଆମେ କାଗଜ ବାଲଟ୍‌କୁ ଫେରିପାରିବୁ ଏବଂ ଅନ୍ୟ ଏକ ବିକଳ୍ପ ହେଉଛି ଭୋଟର୍‌ଙ୍କୁ ଭିଭିପିଏଟି ସ୍ଲିପ୍ ଦେବା ଏବଂ ଏହାକୁ ଇଭିଏମ୍‌ ସହ ମେଳ କରାଇବା ପାଇଁ ପଦକ୍ଷେପ ନେବା। ପ୍ରତ୍ୟେକ ସ୍ଲିପ୍‌ ଏକ ବାଲଟ୍ ବକ୍ସରେ ରଖାଯାଇପାରିବ ବୋଲି ସେ କହିଥିଲେ। ଏହି ଯୁକ୍ତି ସହ ଭୂଷଣ ଜର୍ମାନୀରେ ହେଉଥିବା ଭୋଟ୍‌ ଗ୍ରହଣ ପ୍ରକ୍ରିୟାର ଉଦାହରଣ ଦେଇଥିଲେ। ଜଷ୍ଟିସ ଦୀପଙ୍କର ଦତ୍ତା ଭୂଷଣଙ୍କୁ ପଚାରିଥିଲେ ଯେ ଜର୍ମାନୀର ଜନସଂଖ୍ୟା କ’ଣ? ଏହାର ଉତ୍ତରରେ ଭୂଷଣ କହିଥିଲେ ଯେ ଏହା ପ୍ରାୟ ୬ କୋଟି ଏବଂ ଭାରତରେ ଭୋଟର୍‌ ସଂଖ୍ୟା ୫୦ରୁ ୬୦ କୋଟି ହେବ। ଏହାପରେ ଖଣ୍ଡପୀଠ କହିଥିଲେ ଯେ ଭାରତରେ ମୋଟ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା ହେଉଛି ୯୭ କୋଟି। ବାଲାଟ୍ ପେପର ଥିବା ବେଳେ କ’ଣ ଘଟିଥିଲା ତାହା ଆମେ ସମସ୍ତେ ଜାଣିଛୁ। ଭାରତ ଭଳି ବିଶାଳ ରାଷ୍ଟ୍ରରେ ପ୍ରତି ଭୋଟର୍‌ଙ୍କ ସ୍ଲିପ୍‌ ଗଣତି କରାଯିବା ଉଚିତ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଏବଂ ନିର୍ବାଚନ କମିସନଙ୍କ ଉପରେ ଭରସା ରଖିବାକୁ କହିଥିଲେ।

ଆବେଦନକାରୀଙ୍କ ଓକିଲଙ୍କୁ ଜଷ୍ଟିସ ଦତ୍ତା କହିଥିଲେ ଯେ ଭାରତୀୟ ନିର୍ବାଚନକୁ ବିଦେଶର ମତଦାନ ପ୍ରକ୍ରିୟା ସହ ତୁଳନା କରନାହିଁ। ‘ମୋ ନିଜ ରାଜ୍ୟ ପଶ୍ଚିମବଙ୍ଗର ଜନସଂଖ୍ୟା ଜର୍ମାନୀ ତୁଳନାରେ ଅଧିକ। ସିଷ୍ଟମକୁ ଏଭଳି ଭାବେ ତଳକୁ ଆଣିବାକୁ ଚେଷ୍ଟା କରନ୍ତୁ ନାହିଁ। ୟୁରୋପୀୟ ଉଦାହରଣ ଭାରତରେ କାମ କରେ ନାହିଁ’ ବୋଲି ଜଷ୍ଟିସ ଦତ୍ତା କହିଥିଲେ। ଖଣ୍ଡପୀଠ ଭୂଷଣଙ୍କୁ ପଚାରିଥିଲେ ଯେ ଲୋକମାନେ ଇଭିଏମ୍‌ ଉପରେ ବିଶ୍ୱାସ କରନ୍ତି ନାହିଁ ବୋଲି ତାଙ୍କ ଯୁକ୍ତିକୁ ସମର୍ଥନ କରୁଥିବା ଭଳି ତଥ୍ୟ ଅଛି କି? ଏହାର ଜବାବରେ ଭୂଷଣ କହିଥିଲେ, ଏକ ସର୍ଭେ ରିପୋର୍ଟ ଆମ ପାଖରେ ଅଛି। ଖଣ୍ଡପୀଠ କହିଥିଲେ ଆମେ ଏଭଳି ଘରୋଇ ସର୍ଭେ ଉପରେ ବିଶ୍ବାସ କରୁନାହୁଁ। ଭୂଷଣ କହିଥିଲେ, ସରକାରୀ କ୍ଷେତ୍ରର କମ୍ପାନିଗୁଡିକ ଇଭିଏମ୍‌ ତିଆରି କରୁଛନ୍ତି ଏବଂ ଏହାକୁ ନେଇ ସମସ୍ୟା ରହିଛି। ଏହାକୁ ନେଇ ଅଦାଲତ ପ୍ରଶ୍ନ କରିଥିଲେ ଯେ ଯଦି ଘରୋଇ ସଂସ୍ଥା ଇଭିଏମ୍‌ ତିଆରି କରିବେ ତେବେ ସେମାନେ ଖୁସି ହେବେ କି?

ସମ୍ବନ୍ଧିତ ଖବର