କରୋନାରେ ୧୦୦୦ରୁ ଅଧିକ ବ୍ୟାଙ୍କ କର୍ମଚାରୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: କରୋନା ମହାମାରୀ ବ୍ୟାଙ୍କ ଶିଳ୍ପକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଅର୍ଥନୀତିର କଳକୁ ଚାଲୁ ରଖିବାରେ ଗୁରୁତ୍ବପୂର୍ଣ୍ଣ ସେବା ପ୍ରଦାନ କରୁଥିବା ଏକ ହଜାରରୁ ଅଧିକ ବ୍ୟାଙ୍କ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହୋଇଛି। ଆହୁରି ଅନେକ କର୍ମଚାରୀ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି ‌ବୋଲି ସର୍ବଭାରତୀୟ ବ୍ୟାଙ୍କ ଅଫିସର ସଂଘ ପକ୍ଷରୁ କୁହାଯାଇଛି। ସଂଘର ସାଧାରଣ ସମ୍ପାଦକ ଏସ୍‌ ନାଗାର୍ଜୁନ କହିଛନ୍ତି ଯେ ଆମେ ୧୦୦୦ରୁ ଅଧିକ ସହକର୍ମୀଙ୍କୁ ହରାଇ ସାରିଛୁ। ବ୍ୟାଙ୍କ କର୍ମଚାରୀମା‌ନେ ହେଉଛନ୍ତି ସମ୍ମୁଖ ଯୋଦ୍ଧା ଓ ଏହି ମାରାତ୍ମକ ଭୂତାଣୁ ସେମାନଙ୍କୁ ପ୍ରଭାବିତ କରୁଛି।

କରୋନା ମହାମାରୀର ଦ୍ବିତୀୟ ସଂକ୍ରମଣର ମୁକାବିଲା ଲାଗି ବିଭିନ୍ନ ରାଜ୍ୟ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ସବୁ ପ୍ରକାର ଅଣ ଅତ୍ୟାବଶ୍ୟକ କାର୍ଯ୍ୟ ବନ୍ଦ ରହିିଥିବା ବେଳେ ବ୍ୟାଙ୍କ ସେବାକୁ ଆବଶ୍ୟକ ସେବା ତାଲିକାରେ ରଖାଯାଇଥିବାରୁ ତାହା ଜାରି ରହିିଛି। ବ୍ୟାଙ୍କ ସେବାରେ ଯେଭଳି କୌଣସି ପ୍ରକାର ବ୍ୟାଘାତ ନହୁଏ ସେଥିପାଇଁ ୫୦% କର୍ମଚାରୀଙ୍କୁ ନେଇ ଶାଖା କାମ ଜାରି ରଖିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସି ଏଚ୍‌ ଭେଙ୍କଟଚେଲମ୍ କହିଥିଲେ ଯେ ବ୍ୟାଙ୍କରେ କାମ କରୁଥିବା ୧୨୦୦ରୁ ଅଧିକ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହେଲାଣି। ସବୁ ବ୍ୟାଙ୍କ ସୂଚନା ଦେବା ଲାଗି ଆଗେଇ ଆସୁନାହାନ୍ତି। କରୋନାରେ ମୃତ୍ୟୁ ହୋଇଥିବା କର୍ମଚାରୀଙ୍କ ପରିବାରବର୍ଗଙ୍କ ପାଇଁ କ୍ଷତିପୂରଣ ନୀତି ମଧ୍ୟ ଜଣାଉନାହାନ୍ତି। ବ୍ୟାଙ୍କ କର୍ମଚାରୀମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ସମ୍ମାନ ଦେଇ ସେମାନଙ୍କ ଟିକାକରଣ ଲାଗି ବ୍ୟବସ୍ଥା କରିବାକୁ କିଛି ଦିନ ତଳେ ଆର୍ଥିକ ସେବା ସଚିବ ଦେବାଶିଷ ପଣ୍ଡା ରାଜ୍ୟଗୁଡ଼ିକୁ କହିଥିଲେ। ଓଡ଼ିଶାରେ ବ୍ୟାଙ୍କ କର୍ମଚାରୀମାନଙ୍କୁ ସମ୍ମୁଖ ଯୋଦ୍ଧା ମାନ୍ୟତା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର