ଓଡ଼ିଶା, ଏନ୍‌ଟିପିସି ନିଜ ଜିଦ୍‌ରେ ଅଟଳ

ଚୁକ୍ତିରୁ ହଟିବୁନି: ଏନ୍‌ଟିପିସି

ଭୁବନେଶ୍ୱର: ଓଡ଼ିଶା ସରକାର ଓ ଏନ୍‌ଟିପିସି ମଧ୍ୟରେ ବିଦ୍ୟୁତ କିଣା ଦରକୁ ନେଇ ଦେଖାଦେଇଥିବା ବିବାଦର ଏତେ ଶୀଘ୍ର ସମାଧାନ ହେବା ଭଳି ମନେ ହେଉନାହିଁ। ବର୍ଦ୍ଧିତ ଦରରେ ବିଦ୍ୟୁତ କିଣିବାର ପ୍ରଶ୍ନ ଉଠୁନାହିଁ ବୋଲି ରାଜ୍ୟ ସରକାର ନିଜର ପକ୍ଷ ସ୍ପଷ୍ଟ କରିସାରିଛନ୍ତି। ଆଜି ଏନ୍‌ଟିପିସି ମଧ୍ୟ ନିଜ ପକ୍ଷ ରଖି କହିଛି ଯେ ଓଡ଼ିଶା ସରକାରଙ୍କ ସହିତ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ବାତିଲ କରିବାର ପ୍ରଶ୍ନ ଉଠୁନାହିଁ। ଆମେ ଏହି ଚୁକ୍ତିରୁ ଓହରିବୁ ନାହିଁ। ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିକୁ ରାଜ୍ୟ ସରକାର ସମ୍ମାନ ଦେବା ଦରକାର ବୋଲି କଂପାନିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଉଭୟ ପକ୍ଷ ନିଜ ଜିଦ୍‌ରେ ଅଟଳ ଥିବାରୁ ଏହି ବିବାଦ ଆଗକୁ ଆହୁରି ଲମ୍ବିବ ବୋଲି ଅନୁମାନ କରାଯାଉଛି। ୨୦୧୦ରେ ଏନ୍‌ଟିପିସି ସହିତ ରାଜ୍ୟ ସରକାର ବିଦ୍ୟୁତ କିଣା ଚୁକ୍ତି ସ୍ୱାକ୍ଷର କରିଥିଲେ। ସେତେବେଳେ ନିଷ୍ପତ୍ତି ହୋଇଥିଲା ଯେ ଏନ୍‌୍‌ଟିପିସି ଏହାର ନୂତନ ଓ ସମ୍ପ୍ରସାରିତ ପ୍ରକଳ୍ପରୁ ୟୁନିଟ୍‌ ପିଛା ୨ ଟଙ୍କା ୭୦ ପଇସାରେ ବିଦ୍ୟୁତ ଯୋଗାଇ ଦେବ। କିନ୍ତୁ, ନିକଟରେ ଏନ୍‌ଟିପିସି ପକ୍ଷରୁ ସେହି ଦରକୁ ୟୁନିଟ୍‌ ପିଛା ୩ ଟଙ୍କା ୪୦ ପଇସାକୁ ବଢ଼ାଇ ଦିଆଯାଇଥିଲା। ଏନ୍‌ଟିପିସି ଦର ବଢ଼ାଇବା ପରେ ବିବାଦ ଆରମ୍ଭ ହୋଇଥିଲା। ରାଜ୍ୟ ସରକାରଙ୍କ ଯୁକ୍ତି ହେଉଛି ସ୍ୱାକ୍ଷରିତ ହୋଇଥିବା ଚୁକ୍ତିରେ ଯେଉଁ ଦର ଧାର୍ଯ୍ୟ ହୋଇଥିଲା ସେହି ଦରରେ କଂପାନି କାହିଁକି ବିଦ୍ୟୁତ ଦେବ ନାହିଁ?

ଏହି ବିବାଦ ବିଷୟରେ ଏନ୍‌ଟିପିସିର ଅଧିକାରୀ ଜଣକ କହିଛନ୍ତି ଯେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ସିକିମ୍‌ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ନୂତନ ପ୍ରକଳ୍ପ ସ୍ଥାପନ କରିବା ଯୋଜନା ପ୍ରସ୍ତୁତ କରିଥିଲୁ। ସ୍ୱାକ୍ଷରିତ ହୋଇଥିବା ଚୁକ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା ଯେ, ତାଳଚେର ଥର୍ମାଲ ପାଓ୍ଵାର ଷ୍ଟେସନ୍‌ (ଟିଟିପିଏସ୍‌)ର ୫୦% ବିଦ୍ୟୁତ ଓଡ଼ିଶା କିଣିବ। ବଳକା ୩୫% ବିଦ୍ୟୁତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ୍‌ ଓ ସିକିମ୍‌ କିଣିବେ ଓ ୧୫% ବିଦ୍ୟୁତ ଶକ୍ତି ସଂରକ୍ଷିତ ରହିବ। ଦର ବୃଦ୍ଧି ଉପରେ ରାଜ୍ୟ ସରକାର ଉଠାଇଥିବା ପ୍ରଶ୍ନ ବିଷୟରେ ସେ କହିଲେ, ୟୁନିଟ୍‌ ପିଛା ୩ ଟଙ୍କା ୪୦ ପଇସା ଚଢ଼ା ଦର ନୁହେଁ। ଦେଶର କୌଣସି ନୂଆ ପାଓ୍ଵାର ପ୍ଲାଣ୍ଟ୍‌ରୁ ଏତେ ଶସ୍ତାରେ ବିଦ୍ୟୁତ ମିଳିବ ନାହିଁ। ଏହା ଓଡ଼ିଶା ପାଇଁ ସୁଲଭ ଦର ବୋଲି ସେ କହିଛନ୍ତି। ତାଳଚେର ଥର୍ମାଲ୍‌ ପାଓ୍ଵାର ପ୍ଲାଣ୍ଟ୍‌ର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ରାଜ୍ୟ ସରକାର ଅନୁମତି ଦେଉନଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତୀତରେ ଏକ ଚିଠି ଲେଖିଥିଲେ। ଓଡ଼ିଶା ସରକାରଙ୍କ ଯୋଗୁ ଏହି ସମ୍ପ୍ରସାରଣ କାର୍ଯ୍ୟ ଆଗକୁ ବଢ଼ିପାରୁନାହିଁ ବୋଲି ସେ ଅଭିଯୋଗ କରିଥିଲେ। ଉଚ୍ଚ ସ୍ତରୀୟ ମଞ୍ଜୁରି କର୍ତୃପକ୍ଷ (ଏଚ୍‌ସିଏଲ୍‌ଏ)ରୁ ମଞ୍ଜୁରି ମିଳୁ ନଥିବାରୁ ଏହି ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ ବୋଲି ଶ୍ରୀ ପ୍ରଧାନ ଜଣାଇଥିଲେ। ତେବେ ଚିଠିରେ ଶ୍ରୀ ପ୍ରଧାନ ଯେଉଁ ସବୁ ବିଷୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ ତାହାକୁ ରାଜ୍ୟ ସରକାର ଖଣ୍ଡନ କରିଥିଲେ। ଏନ୍‌ଟିପିସିର ସମସ୍ତ ପ୍ରକଳ୍ପକୁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ମଞ୍ଜୁରି ହାସଲ କରିବା ଦିଗରେ ମଧ୍ୟ ସହଯୋଗ ପ୍ରଦାନ କରାଯାଉଛି ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌ କେ ସିଂହଙ୍କୁ ଏକ ଚିଠି ଲେଖି ରାଜ୍ୟ ଶକ୍ତି ମନ୍ତ୍ରୀ ସୁଶାନ୍ତ କୁମାର ସିଂହ ଅବଗତ କରିଥିଲେ। ତାଳଚେର ଥର୍ମାଲ୍‌ ପାଓ୍ଵାର ପ୍ଲାଣ୍ଟ୍‌ (ଟିଟିପିଏସ୍‌) ସମ୍ପ୍ରସାରଣ ପାଇଁ ମଧ୍ୟ ଏସବୁ ସହାୟତା ଯୋଗାଇ ଦିଆଯାଇଛି ବୋଲି ସେ ଜଣାଇଥିଲେ।

ସମ୍ବନ୍ଧିତ ଖବର