ମୁଖ୍ୟମନ୍ତ୍ରୀଙ୍କ ୧୪ ଦିନିଆ ମାସ୍କ ଅଭିଯାନକୁ ସମର୍ଥନ ଜଣାଇ ଏକ ଲକ୍ଷ ମାସ୍କ ବଣ୍ଟନ କରିବ ଓଏସଏଲ୍

ଭୁବନେଶ୍ବର : ଜନସାଧାରଣଙ୍କ ମଧ୍ୟରେ କରୋନା ସମ୍ପର୍କିତ ସଚେତନତା ବଢାଇବା ପାଇଁ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ଼ (ଓଏସଏଲ) ପକ୍ଷରୁ ଏକ ଲକ୍ଷ ମାସ୍କ ଲୋକମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଘୋଷିତ ୧୪ ଦିନିଆ ମାସ୍କ ଅଭିଯାନକୁ ସମର୍ଥନ କରି ଓଏସଏଲ ପକ୍ଷରୁ ସାଧାରଣ ଲୋକ ଏବଂ ମହିଳାମାନଙ୍କୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଓଏସଏଲ ଅଧକ୍ଷ ମହିମା ମିଶ୍ର ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ନିମନ୍ତେ ମାଗଣା ମାସ୍କ ବଣ୍ଟନ କରିଥିଲେ।

ଏହି ଅବସରରେ ସେ କହିଥିଲେ ଓଏସଏଲ ଏକ ଲକ୍ଷ ମାସ୍କ ଗରିବ ଓ ଅସହାୟ ଲୋକଙ୍କୁ ବାଣ୍ଟିବା ପାଇଁ ଲକ୍ଷ୍ୟ ରଖିଛି। ଓଏସଏଲ ଗତ ତିନିବର୍ଷ ମଧ୍ୟରେ ବହୁ ସାମାଜିକ କାର୍ଯ୍ୟ ସହ ଜଡ଼ିତ ହୋଇଆସିଅଛି । ମୁଖ୍ୟମନ୍ତ୍ରୀଙ୍କ ମାସ୍କ ଅଭିଯାନର ଘୋଷଣାପରେ କମ୍ପାନୀ ପକ୍ଷରୁ ମାସ୍କ ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଗତ ୧୨ ତାରିଖରେ  ଓଏସଏଲ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ କରାଯାଇଥିଲା । ଓଏସଏଲ ନିର୍ଦ୍ଦେଶକ ଚନ୍ଦନ ମିଶ୍ର ଓ  ଚର୍ଚ୍ଚିତ ମିଶ୍ର, ନିର୍ଦେଶକ (ଅର୍ଥ) ଚିନ୍ମୟ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

୧୪ ଦିନିଆ ମାସ୍କ ଅଭିଯାନକୁ ସହଯୋଗ କରି ଶ୍ରୀ ମିଶ୍ର କହିଛନ୍ତି ଏହି କାର୍ଯ୍ୟକ୍ରମ କଟକଠାରେ ଆରମ୍ଭ କରାଯାଇଛି ଏବଂ ଆଗାମୀ ଦିନରେ ଓଏସଏଲ କାର୍ଯ୍ୟ କରୁଥିବା ଭାରତର ବିଭିନ୍ନ ଜାଗାରେ ମାସ୍କବଣ୍ଟା କାର୍ଯ୍ୟ ଜାରି ରହିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଏସଏଲ ଅଧ୍ୟକ୍ଷ ଶ୍ରୀ ମିଶ୍ର ପୂର୍ବରୁ ବି ବିଭିନ୍ନ ସାମାଜିକ କାର୍ଯ୍ୟ କରିଆସୁଛନ୍ତି । ୧୯୯୯ ମହାବାତ୍ୟା ସମୟରେ ବି ସେ ପାରାଦୀପରେ ବିଭିନ୍ନ ପ୍ରକାରର ପୁନର୍ନିର୍ମାଣ କାମ କରିଥିଲେ । ସେହିପରି ଓଡ଼ିଶାର ଅନ୍ୟ ଦୁର୍ବିପାକ ସମୟରେ ବି ଓଏସଏଲ ପକ୍ଷରୁ ବିଭିନ୍ନ  ସହାୟତା କାର୍ଯ୍ୟ କରିଆସିଛି । ଏବେ କରୋନା ମହାମାରୀ ଚାଲିଥିବାବେଳେ ଶ୍ରୀ ମିଶ୍ର ନିଜ ସହାୟତାର ହାତ ବଢାଇଛନ୍ତି । ଲକଡାଉନ ସମୟରେ ଓଏସଏଲ ପକ୍ଷରୁ ଶ୍ରମିକ ଓ ନିଜର କର୍ମଚାରୀମାନଙ୍କୁ ପ୍ରାୟ ୫ ହଜାରରୁ ଅଧିକ ପିପିଇ କିଟ, ବିଭିନ୍ନ ମଲଟି ଭିଟାମିନ, ଖାଦ୍ୟ ଆଦି ବଣ୍ଟନ କରାଯାଇଥିଲା ।

ସମ୍ବନ୍ଧିତ ଖବର