କଞ୍ଚାମାଲ ଦର ଅସହ୍ୟ, ଏକାଠି ହେଲେ ଦେଶର ୧୭୦ ଏମ୍ଏସ୍‌ଏମ୍ଇ ସଂଘ

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ

ଭୁବନେଶ୍ବର: କରୋନା ମହାମାରୀ ପ୍ରଭାବରେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ (ଏମ୍ଏସ୍‌ଏମ୍‌ଇ) ଏବେ ଆଉ ଏକ ବଡ଼ ସମସ୍ୟା ଦେଇ ଗତି କରୁଛି। ଏହା ସେମାନଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରିଛି। ଏମ୍ଏସ୍‌ଏମ୍ଇଗୁଡ଼ିକ ବ୍ୟବହାର କରୁଥିବା କଞ୍ଚାମାଲ୍ ଯଥା ଇସ୍ପାତ ଓ ଆଲୁମିନିୟମ୍ ଆଦିର ଦାମ୍‌ରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବାରୁ ସେମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ପ୍ରଥମ ଥର ଲାଗି ଏଭଳି ସମସ୍ୟା ସାମ୍ନା କରୁଥିବା ଏହି ଶିଳ୍ପ ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛି। ଦେଶର ବିଭିନ୍ନ ରାଜ୍ୟରେ ଥିବା ୧୭୦ଟି ଏମ୍ଏସ୍‌ଏମ୍ଇ ସଂଘ ‘ଅଲ ଇଣ୍ଡିଆ କାଉନ୍‌ସିଲ୍‌ ଅଫ୍ ଆସୋସିଏସନ୍ ଅଫ୍‌ ଏମ୍ଏସ୍‌ଏମଇଜ୍‌'(ଏଆଇସିଏ) ଅଧୀନରେ ଏକତ୍ରୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରିବା ଲାଗି ଏଆଇସିଏ ଆଗ୍ରହ ପ୍ରକାଶ କରିଛି। ଏଆଇସିଏଅଧୀନରେ ଦେଶର ୨,୦୦,୦୦୦ରୁ ଅଧିକ ଏମ୍ଏସ୍‌ଏମ୍ଇ ଯୋଡ଼ି ହୋଇଛନ୍ତି। ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ସ୍ଥିତି ଦେଶର ୫ କୋଟି ଲୋକଙ୍କ ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିଥିବା ସଂଘ ତରଫରୁ କୁହାଯାଇଛି।

ଆଜି ଭର୍ଚୁଆଲ୍ ମାଧ୍ୟମରେ ଏଆଇସିଏ ତରଫରୁ ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଏମ୍ଏସ୍‌ଏମ୍ଇଗୁଡ଼ିକ ବ୍ୟବହାର କରୁଥିବା କଞ୍ଚାମାଲ୍ ଯଥା ଇସ୍ପାତ ପ୍ଲେଟ୍‌, ଆଲୁମିନିୟମ୍ ଆଲଏ, ତମ୍ବା, ସିଆରସିଏ ସିଟ୍, ପିଗ୍ ଆଇରନ୍, ଏମ୍ଏସ୍‌ ସ୍କ୍ରାପ୍, ପିଭିସି, କ୍ରାଫ୍ଟ ପେପର, ପଲିପ୍ରୋପିଲିନ୍, ପଲିକାର୍ବୋନେଟ୍, ଏବିଏସ୍‌ ଆଦି ଦାମ୍‌ରେ ୨୬ ପ୍ରତିଶତରୁ ୍ଆରମ୍ଭ କରି ୧୦୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଦରବୃଦ୍ଧିରୁ ଏମ୍ଏସ୍ଏମ୍ଇ ଶିଳ୍ପକୁ ସୁରକ୍ଷା ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ସିଧାସଳଖ ହସ୍ତକ୍ଷେପ କରନ୍ତୁ ବୋଲି ଏଆଇସିଏ ପକ୍ଷରୁ କୁହାଯାଇଛି। ସଂଘ ତରଫରୁ ସରକାରଙ୍କୁ କେତେକ ପ୍ରସ୍ତାବ ଦିଆଯାଇଛି। ଦରବୃଦ୍ଧିରୁ ସୁରକ୍ଷା ପାଇଁ ଏନ୍‌ଏସ୍‌ଆଇସିକୁ ସ୍ବତନ୍ତ୍ର ‌ଏଜେନ୍ସି ଭାବେ କାର୍ଯ୍ୟ କରିବା ଲାଗି ସେମାନେ ପରାମର୍ଶ ଦେଇଛନ୍ତି।

ଅତିକମ୍‌ରେ ୧୨ ମାସ ପାଇଁ ଏନ୍‌ଏସ୍‌ଆଇସି ଇସ୍ପାତ କିଣି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକୁ ଯୋଗାଇବ। ଯେହେତୁ ଦରବୃଦ୍ଧି ଏମ୍ଏସ୍‌ଏମ୍ଇଗୁଡ଼ିକର ନିୟନ୍ତ୍ରଣ ବାହାରେ ଥିବା ଏକ ପ୍ରସଙ୍ଗ ତେଣୁ ପିଏସ୍‌ୟୁ ସଂସ୍ଥାଗୁଡ଼ିକ ବରାଦ ବାତିଲକୁ ଗ୍ରହଣ କରିବାକୁ ସଂଘ ତରଫରୁ ଅନୁରୋଧ କରାଯାଇଛି। ଇସ୍ପାତ କଂପାନିଗୁଡ଼ିକ ସେମାନଙ୍କ ଉତ୍ପାଦର ତାଲିକା ପ୍ରକାଶ କରନ୍ତୁ ଓ ସେହି ଦରକୁ ଅତି କମ୍‌ରେ ତିନି ମାସ ପର୍ଯ୍ୟନ୍ତ ବଜାୟ ରଖନ୍ତୁ ବୋଲି ମଧ୍ୟ ପରାମର୍ଶ ଦିଆଯାଇଛି। ଇସ୍ପାତ କଂପାନିଗୁଡ଼ିକ ଭାରତରେ ଉତ୍ପାଦନ କରୁଥିବା ୪୦% ଇସ୍ପାତକୁ ଏମ୍ଏସ୍‌ଏମ୍ଇ ସଂସ୍ଥାଗୁଡ଼ିକୁ ରିହାତି ଦରରେ ଯୋଗାଇ ଦେବା, ପିଏସ୍‌ୟୁ ସଂସ୍ଥାଗୁଡ଼ିକ ଏମ୍ଏସ୍‌ଏମ୍ଇଗୁଡ଼ିକର ସବୁ ବରାଦର ସମୀକ୍ଷା କରିବା, ସଂଶୋଧିତ ଦରରେ ନୂଆ ପ୍ରସ୍ତାବ ହାସଲ କରିବା ଏବଂ ଜିଏସ୍‌ଟି ଭିତ୍ତିକ ପାଣ୍ଠି ଯୋଗାଣ ପାଇଁ ବ୍ୟବସ୍ଥା କରିବା ଓ ଗୁଣାତ୍ମକ ମାନ ଭିତ୍ତିରେ ଆମଦାନି ଲାଗି ଅନୁମତି ପ୍ରଦାନ କରିବା ପାଇଁ ଏଆଇସିଏ ତରଫରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ପିଗ୍ ଆଇରନ୍ ସଙ୍କଟ ଦୂର କରିବା ଲାଗି ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌କୁ ପୁଣି ଥରେ ଚାଲୁ କରିବା ଲାଗି ମଧ୍ୟ ପ୍ରସ୍ତାବ ଦିଆଯାଇଛି।

ଏଆଇସିଏ ତରଫରୁ ପ୍ରସ୍ତାବଗୁଡ଼ିକର ନକଲ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଏମ୍ଏସ୍‌ଏମ୍ଇ ମନ୍ତ୍ରୀ ନିତୀନ ଗଡ଼କରୀ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ, କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ନିକଟକୁ ପଠାଯାଇଛି। ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘର ସମ୍ପାଦକ ସ୍ମରଜିତ ମହାନ୍ତି ଯୋଗ ଦେଇ ରାଜ୍ୟ ଏମ୍ଏସ୍‌ଏମ୍ଇ ଶିଳ୍ପର ସ୍ଥିତି ବିଷୟରେ ଆଲୋଚନା କରିଥିଲେ। ଏହି କ୍ଷେତ୍ର ପାଇଁ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏଆଇସିଏ କୋର୍‌ ଟିମ୍‌ର ସଦସ୍ୟ ଏମ୍ ଭି ରମେଶ ବାବୁ, ଆର୍‌ ରାମମୂର୍ତ୍ତୀ, ଡକ୍ଟର ଯୋଗେଶ୍ବର ପାୱାର, ମୋହନ ଅନ୍ତ୍ରୁକର, କେ ଭି କାର୍ତ୍ତିକ, ଏସ୍‌ ବଲ୍‌ରାଜ ଓ ସି ବାଲସୁବ୍ରମଣିଅନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର