ଖାଇବା ତେଲ ଆମଦାନି ଶୁଳ୍କ ହ୍ରାସ

ନୂଆଦିଲ୍ଲୀ : ଖାଇବା ତେଲ ଦର ହ୍ରାସ କରିବା ଲାଗି କେନ୍ଦ୍ର ସରକାର ସୋୟା ଅଏଲ୍‌ ଓ ସନ୍‌ଫ୍ଲାୱାର ଅଏଲ୍‌ର ଆମଦାନି ଶୁଳ୍କ ହ୍ରାସ କରିଛନ୍ତି। ଏହି ଦୁଇ ପ୍ରକାର ତେଲ ଉପରୁ ଟିକସକୁ ୧୫%ରୁ ହ୍ରାସ କରି ୭.୫% କରାଯାଇଛି। ଛଅ ସପ୍ତ‌ାହ ଲାଗି ଟିକସରେ ଏହି ହ୍ରାସ କରାଯାଇଛି।

ଦେଶରେ ଖାଇବା ତେଲ ଦର ଏତେ ଅଧିକ ହୋଇଯାଇଛି ଯେ ସ୍ବଚ୍ଛଳ ବର୍ଗର ଲୋକମାନଙ୍କୁ ମଧ୍ୟ ତାହା ବାଧୁଛି। ଏହି ସ୍ଥିତିର ମୁକାବିଲା ଲାଗି ଆମଦାନି ଶୁଳ୍କ ହ୍ରାସକୁ ଅସ୍ତ୍ର ଭାବେ ଗ୍ରହଣ କରାଯାଇଛି। ମାତ୍ର, ଖୁବ୍‌ କମ୍ ସମୟ ପାଇଁ ଶୁଳ୍କ ହ୍ରାସର ସୁବିଧା ଦିଆଯାଇଥିବାରୁ ଗ୍ରାହକଙ୍କ ନିକଟରେ ତାହାର ଲାଭ ପହଞ୍ଚିବ ନା ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଖାଇବା ତେଲ ବ୍ରୋକର ସନ୍‌ଭିନ୍ ଗ୍ରୁପ୍‌ର ସିଇଓ ସନ୍ଦୀପ ‌ବଜୋରିଆ କହିଛନ୍ତି ଯେ ଏତେ କମ୍ ସମୟ ଭିତରେ ଆମଦାନି ଚୁକ୍ତି କରି ଜାହାଜରେ ତେଲ ଆଣି ବନ୍ଦରରେ ଅନ୍‌ଲୋଡ୍ କରିବା ଏତେ ସହଜ କଥା ନୁହେଁ। ଭାରତ ବିଶେଷ କରି ଆର୍ଜେଣ୍ଟିନା, ବ୍ରାଜିଲ୍, ୟୁକ୍ରେନ ଓ ରୁଷିଆରୁ ସୋୟା ଅଏଲ୍ ଓ ସନ୍‌ଫ୍ଲାୱାର ଅଏଲ୍‌ ଆମଦାନି କରୁଛି। ସେଠାକାର ବ୍ୟବସାୟୀମାନେ ଅଧିକ ମାର୍ଜିନ୍ ପାଇବା ଆଶାରେ ଚୀନ୍ କିମ୍ବା ଅନ୍ୟ ଦେଶର କିଛି ଜାହାଜକୁ ଭାରତ ପଠାଇ ପାରନ୍ତି ବୋଲି ଆଶା କରାଯାଉଛି। ଭାରତ ଏହାର ଖାଇବା ତେଲ ଆବଶ୍ୟକତାର ଦୁଇ ତୃତୀୟାଂଶ ଆମଦାନି ଜରିଆରେ ପୂରଣ କରୁଛି। ମାତ୍ର ବିଭିନ୍ନ ପ୍ରକାର ଖାଇବା ତେଲ ଦାମ୍‌ରେ ବୃଦ୍ଧି କିଛି ଦିନ ହେଲାଣି ଜାତୀୟ ପ୍ରସଙ୍ଗ ଭାବେ ଉଭା ହୋଇଛି। ଏହି ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ଗତ ଜୁନ୍ ୨୯ରେ ସରକାର ଅଶୋଧିତ ପାମ୍ ଅଏଲ୍‌ର ଆମଦାନି ଶୁଳ୍କ ହ୍ରାସ କରିଥିଲେ।

ସମ୍ବନ୍ଧିତ ଖବର