ରିଜର୍ଭ ବ୍ୟାଙ୍କ ଓ ଜିଡିପି: ଅକ୍ଟୋବରରେ ବଦଳିଗଲା ଏପ୍ରିଲ୍‌ର ଆକଳନ

ମୁମ୍ବାଇ: ଗତକାଲି ମୁଦ୍ରା ନୀତିର ସମୀକ୍ଷା କରି ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ (୨୦୧୯-୨୦)ର ଜିଡିପି ଅଭିବୃଦ୍ଧି ୬.୧%କୁ ଖସିଯିବ ବୋଲି କହିଛି। ଚଳିତ ବର୍ଷ ପ୍ରାରମ୍ଭରେ ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା, ୨୦୧୯-୨୦ରେ ଦେଶର ଅଭିବୃଦ୍ଧି ୭.୨% ହେବ। ଏହା ପରେ ନିୟମିତ ବ୍ୟବଧାନରେ ସେଥିରେ ହ୍ରାସ କରିଚାଲିଛି। ଗତ ଏପ୍ରିଲ୍‌ରେ ଏହା ନିଜ ଆକଳନରେ ସଂଶୋଧନ ଆଣିଥିଲା ଏବଂ ଅଭିବୃଦ୍ଧି ୭%କୁ ଖସିଯିବ ବୋଲି କହିଥିଲା। ଜୁନ୍‌ରେ କହିଲା ୬.୯%କୁ ଖସିଯିବ। ଏବେ ଅକ୍ଟୋବରରେ କହୁଛି ତାହା ୬.୧%କୁ ଖସିଯିବ।

ଅନେକ କାରଣ ଯୋଗୁ ରିଜର୍ଭ ବ୍ୟାଙ୍କ ନିଜ ଜିଡିପି ଅଭିବୃଦ୍ଧି ଆକଳନ ବଦଳାଇବାକୁ ବାଧ୍ୟ ହୋଇଛି। ଦେଶର ଅଭିବୃଦ୍ଧିକୁ ବଢ଼ାଇବା ଲାଗି ରିଜର୍ଭ ବ୍ୟାଙ୍କ ‌ଅନେକ ପଦକ୍ଷେପ ଘୋଷଣା କଲାଣି। ନିଜ ଦ୍ବାରା ଯାହା ସମ୍ଭବ ସବୁ ପଦକ୍ଷେପ ଏହାର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନେଇସାରିଲେଣି। ବର୍ଷକ ଭିତରେ ରେପୋ ହାରରେ ୧.୩୫% ହ୍ରାସ କରାଯାଇଛି। ପ୍ରତି ଥର ମୁଦ୍ରାନୀତି ସମୀକ୍ଷା କରିବା ବେଳେ ରିଜର୍ଭ ବ୍ୟାଙ୍କ ସେହି ସମୟର ସ୍ଥିତି ବିଷୟରେ ବର୍ଣ୍ଣନା କରୁଥିଲା ଏବଂ ଆଗାମୀ ଦିନରେ ସ୍ଥିତିରେ କିଭଳି ସୁଧାର ହେବ ତାହାର ଏକ ଚିତ୍ର ଦେଖାଉଥିଲା। ଏହାର ପ୍ରତିଟି ଆକଳନ ଭୁଲ ପ୍ରମାଣିତ ହୋଇଛି। ପୂର୍ବ ଥର ମୁଦ୍ରାନୀତି ସମୀକ୍ଷା କରିବା ବେଳେ ରିଜର୍ଭ ବ୍ୟାଙ୍କ କହିଥିଲା ଯେ, ଆଗାମୀ ଦିନରେ ଲୋକମାନେ କିଣାକିଣିରେ ଅଧିକ ଖର୍ଚ କରିବେ ଏବଂ କଂପାନିଗୁଡ଼ିକର ନିବେଶ ପରିମାଣ ବଢ଼ିବ। ସେଭଳି କିଛି ଘଟିଲା ନାହିଁ। ଓଲଟା ବିଶ୍ବ ବଜାରରେ ଲାଗି ରହିଥିବା କେତେକ ସମସ୍ୟା ଯୋଗୁ ଦେଶର ରପ୍ତାନି କମିଗଲା। ଯେହେତୁ ଅଭିବୃଦ୍ଧି ହାର ୫% ଭଳି ନିମ୍ନ ସ୍ତରକୁ ଖସିଯାଇଛି ଏବଂ ଘରୋଇ ନିବେଶ ଓ ଗ୍ରାହକଙ୍କ କିଣାକିଣିରେ କୌଣସି ଉନ୍ନତି ହେଉନାହିଁ, ସେଥିପାଇଁ ଜିଡିପି ଆକଳନକୁ ରିଜର୍ଭ ବ୍ୟାଙ୍କ ବଦଳାଇବାକୁ ବାଧ୍ୟ ହୋଇଥିବା କୁହାଯାଉଛି।

ଦେଶର ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିଛି ବୋଲି କୁହାଯାଉଥିବା ବେଳେ ରିଜର୍ଭ ବ୍ୟାଙ୍କ ସମେତ ଅନ୍ୟ ପ୍ରମୁଖ ସଂସ୍ଥାଗୁଡ଼ିକ ଯେଉଁଭଳି ଭାବେ ଦେଶର ଅଭିବୃଦ୍ଧି ଆକଳନକୁ କମାଉଛନ୍ତି ତାହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କେବଳ ରିଜର୍ଭ ବ୍ୟାଙ୍କ ନୁହେଁ, ବିଶ୍ବବ୍ୟାଙ୍କ, ଆଇଏମ୍ଏଫ୍, ଏଡିବି ଓ ଓଇସିଡି ତରଫରୁ ଭାରତର ଜିଡିପି ଆକଳନକୁ ନିୟମିତ ବ୍ୟବଧାନରେ କମ୍ କରାଯାଉଛି। ବିଶ୍ବବ୍ୟାଙ୍କ ଅନୁସାରେ ଭାରତର ଅଭିବୃଦ୍ଧି ୭.୫% ହେବ। ଆଇଏମ୍ଏଫ୍ କହୁଛି ୭%, ଏଡିବିର ଆକଳନ ୬.୫% ଓ ଓଇସିଡି କହୁଛି ୫.୯%କୁ ଅଭିବୃଦ୍ଧି ଖସିବ।

ସମ୍ବନ୍ଧିତ ଖବର