ହାଲୁକା ହେବ ଋଣ ବୋଝ, ସୁଧ କମାଇଲା ରିଜର୍ଭ ବ୍ୟାଙ୍କ

୩ ମାସରେ ୨ ଥର କମିଲା, ଅଭିବୃଦ୍ଧି ୭.୨%କୁ ଖସିବ, ଦରକାର ଅଧିକ ଘରୋଇ ନିବେଶ

ନୂଆଦିଲ୍ଲୀ/ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ବାଧୀନ ମୁଦ୍ରାନୀତି କମିଟି ଆଜି ରେ‌ପୋ ହାରରେ ୦.୨୫% ହ୍ରାସ ଘୋଷଣା କରିଛି। ରେପୋ ହାର ୬%କୁ ଖସି ଆସିଛି। ଏହାର ପ୍ରଭାବରେ ଋଣ କିସ୍ତି (ଇଏମ୍‌ଆଇ) ବୋଝ ହାଲୁକା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଭାରତ ହେଉଛି ଏସିଆର ଏକମାତ୍ର ଦେଶ ଯେଉଁଠାରେ ତିନି ମାସ ଭିତରେ ସୁଧ ହାର ଦୁଇ ଥର ହ୍ରାସ ପାଇଛି। ଅତୀତରେ ଅନେକ ଥର ରିଜର୍ଭ ବ୍ୟାଙ୍କ ରେପୋ ହାର କମାଇଥିଲେ ମଧ୍ୟ ଏହାର ପ୍ରଭାବ ଋଣ ସୁଧ ଉପରେ ସଠିକ୍ ଢଙ୍ଗରେ ପ୍ରତିଫଳିତ ହୋଇନାହିଁ। ତେଣୁ ଏଥର ମଧ୍ୟ ଗୃହ, ଗାଡ଼ି ଓ ବ୍ୟକ୍ତିଗତ ଋଣ ଉପରେ ସୁଧ ହାର କମିବ ନା ନାହିଁ ତାହା ସହଜରେ ଆକଳନ କରାଯାଇପାରିବ ନାହିଁ। ଛଅ ଜଣିଆ ମୁଦ୍ରାନୀତି କମିଟି ୪-୨ ଭୋଟ୍‌ରେ ସୁଧ କମ୍ କରିବାକୁ ନିଷ୍ପତ୍ତି ନେଇଛି। ଶକ୍ତିକାନ୍ତ, ପମି ଦୁଆ, ରବିନ୍ଦ୍ର ଢୋଲକିଆ ଓ ମାଇକେଲ୍ ଦେବବ୍ରତ ପାତ୍ର ସୁଧ କମାଇବା ସପକ୍ଷରେ ଭୋଟ୍ ଦେଇଥିବା ବେଳେ ବିରଳ ଆଚାର୍ଯ୍ୟ ଓ ଚେତନ ଘାଟେ ସ୍ଥିତାବସ୍ଥା ବଜାୟ ରଖିବାକୁ ଭୋଟ୍‌ ଦେଇଥିଲେ। ଦେଶର ଅର୍ଥନୀତିକୁ ନେଇ ମଧ୍ୟ ରିଜର୍ଭ ବ୍ୟାଙ୍କ ଏହାର ଆକଳନ ପ୍ରଦାନ କରିଛନ୍ତି। ୨୦୧୯-୨୦ରେ ଅଭିବୃଦ୍ଧି ୭.୨% ହେବ ବୋଲି ଏହା କହିଛି। ପୂର୍ବରୁ ରିଜର୍ଭ ବ୍ୟାଙ୍କ କହୁଥିଲା ଅଭିବୃଦ୍ଧି ୭.୪% ହେବ। ମୁଦ୍ରାସ୍ଫୀତିକୁ ନେଇ ରିଜର୍ଭ ବ୍ୟାଙ୍କ ଆକଳନ କରିଛି ଯେ ଏହା ୩% ନୁହେଁ, ତା’ଠାରୁ କମ୍ ସ୍ତର ୨.୪%କୁ ଖସିବ। ମୁଦ୍ରାନୀତି ରିପୋର୍ଟରେ କୁହାଯାଇଛି ଯେ ଇନ୍ଧନ ଦରକୁ ନେଇ କିଛିଟା ଚିନ୍ତା ରହିବ। ସରକାରୀ ସ୍ତରରେ ଆର୍ଥିକ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ହେବ ଏବଂ ଘରୋଇ କ୍ଷେତ୍ରର ପୁଞ୍ଜିନିବେଶ ଉପରେ ଅଗ୍ରାଧିକାର ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର