ବିଦେଶୀ ମୁଦ୍ରା‌ ଭଣ୍ଡାର ଉପରେ ନଜର, ଭିତ୍ତିିଭୂମି ବିକାଶରେ ବ୍ୟବହାର କରିବାକୁ ପ୍ରସ୍ତାବ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସହ କଥା ହେବେ ଗଡ଼କରୀ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ଭଣ୍ଡାରରେ ବିପୁଳ ବିଦେଶୀ ମୁଦ୍ରା ରହିଛି। ତାହାକୁ ଦେଶର ଭିତ୍ତିଭୂମି ବିକାଶ କାର୍ଯ୍ୟରେ ବ୍ୟବହାର କରିବା ଲାଗି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଏକ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ମୁଦ୍ରା ଭଣ୍ଡାରରେ ବଳକା ଡଲାର ରହିଛି। ତାହାକୁ କିଭଳି ଭିତ୍ତିଭୂମି ବିକାଶ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ସେ ବିଷୟରେ ମୁଁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କ ସହ ଆଲୋଚନା କରିବି। ବଳକା ବିଦେଶୀ ମୁଦ୍ରାକୁ ଭିତ୍ତିଭୂମି ନିର୍ମାଣରେ ବ୍ୟବହାର କରିବା ଲାଗି କେଉଁ ଭଳି ନୀତି ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି ସେ ବିଷୟରେ ମୁଁ ତାଙ୍କ ସହ ଆଲୋଚନା କରିବି ବୋଲି ଗଡ଼କରୀ କହିଛନ୍ତି।

ବିଦେଶୀ ମୁଦ୍ରା ଭଣ୍ଡାରରେ ଏବେ ରେକର୍ଡ ୬୨୦.୫୭୬ ବିଲିଅନ୍‌ ଡଲାର ମୂଲ୍ୟର ବିଦେଶୀ ମୁଦ୍ରା ରହିଛି। ଏହା ଦେଶର ୧୮ ମାସର ଆମଦାନି ବିଲ୍ ଆବଶ୍ୟକତା ପୂରଣ କରିବାକୁ ଯଥେଷ୍ଟ ବୋଲି କୁହାଯାଇଛି। ମୁଦ୍ରା ଭଣ୍ଡାରରେ ଆମେରିକୀୟ ଡଲାର, ପାଉଣ୍ଡ୍‌ ଷ୍ଟର୍ଲିଂ, ୟୁରୋ, ୟେନ୍ ଆଦି ମୁଦ୍ରା ରହିଛି। ଭିତ୍ତିଭୂମି ପ୍ରକଳ୍ପ ଲାଗି ପାଣ୍ଠି ଯୋଗାଡ଼ କରିବା ଏକ ବହୁତ ବଡ଼ ସମସ୍ୟା ଯାହା ଦୀର୍ଘ ଦିନରୁ ରହିଛି। ବିଦ୍ୟୁତ କ୍ଷେତ୍ରରେ ଯେଭଳି ପାୱାର ଫାଇନାନ୍ସ କର୍ପୋରେସନ୍ (ପିଏଫ୍‌ସି) ନାମରେ ସ୍ବତନ୍ତ୍ର ସଂସ୍ଥା ରହିଛି ଭିତ୍ତିଭୂମି କ୍ଷେତ୍ର ଲାଗି ମଧ୍ୟ ସେଭଳି ସଂସ୍ଥାର ଆବଶ୍ୟକତା ରହିଛି ବୋଲି ଗଡ଼କରୀ କହିଛନ୍ତି। ଦେଶର ବଳକା ବିଦେଶୀ ମୁଦ୍ରାକୁ ଭିତ୍ତିଭୂମି ବିକାଶ କାର୍ଯ୍ୟରେ ବ୍ୟବହାର କରିବା ଉପରେ ବିଚାର କରିବାକୁ ଏକ ସଂସଦୀୟ କମିଟି ଅତୀତରେ ପ୍ରସ୍ତାବ ଦେଇଥିଲା। ବିଶେଷ କରି ଦୀର୍ଘମିଆଦୀ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ପାଇଁ ତାହାକୁ ବ୍ୟବହାର କରିବାକୁ କମିଟି କହିଥିଲା।

ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଲାଗି ପାଣ୍ଠି ଯୋଗାଡ଼ କରିବା ପାଇଁ ଗଡ଼କରୀ ନିଜେ ବିଶ୍ବବ୍ୟାଙ୍କ, ଏସିଆନ୍ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ (ଏଡିବି) ଓ ନିଉ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ (ଏନ୍‌ଡିବି) ସହ କଥା ହୋଇଥିଲେ। କିନ୍ତୁ ସେମାନଙ୍କ ପ୍ରତିକ୍ରିୟା ସନ୍ତୋଷଜନକ ନଥିଲା ବୋଲି କହିଛନ୍ତି। ସେଥିପାଇଁ ଏହି କ୍ଷେତ୍ର ଲାଗି ଏକ ସ୍ବତନ୍ତ୍ର ଆର୍ଥିକ ସଂସ୍ଥା ଗଠନର ଆବଶ୍ୟକତା ରହିଥିବା ଗଡ଼କରୀ କହିଛନ୍ତି। ଭାରତୀୟ ରେଳ ପାଇଁ ଇଣ୍ଡିଆନ୍ ରେଲ୍‌ୱେ ଫାଇନାନ୍ସ କର୍ପୋରେସନ (ଆଇଆର୍‌ଏଫ୍‌ସି) ଓ ବିଦ୍ୟୁତ କ୍ଷେତ୍ର ଲାଗି ପିଏଫ୍‌ସି ଥିବା ବେଳେ ଭିତ୍ତିଭୂମି କ୍ଷେତ୍ର ପାଇଁ କାହିଁକି ସେଭଳି ଆର୍ଥିକ ସଂସ୍ଥା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଭାରତୀୟ ଜାତୀୟ ରାଜପଥ ବିକାଶ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ର ଅଂଶଧନ ସହ ଏକ ଯୌଥ ଉଦ୍ୟୋଗ ସ୍ଥାପନ କରି ଏଭଳି ସଂସ୍ଥା ଗଠନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ଭିତ୍ତିଭୂମି ପ୍ରକଳ୍ପର ବୀମା ସମ୍ପର୍କ ମଧ୍ୟ ସେ ଆଲୋଚନା କରିଛନ୍ତି। ବ୍ୟାଙ୍କ ପ୍ରଦର୍ଶନ ଗ୍ୟାରେଣ୍ଟିର ଦୁଇ ପ୍ରତିଶତ ବଦଳରେ ସମଗ୍ର ପ୍ରକଳ୍ପର ବୀମା କରିବା ଲାଗି‌ ସେ ପ୍ରସ୍ତାବ ଦେଇଛନ୍ତି। ଏନେଇ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆର୍‌ଡିଏଆଇ)କୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ସେ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ବୋଲି ଗଡ଼କରୀ କହିଛନ୍ତି। ରାଜପଥ ପ୍ରକଳ୍ପଗୁଡ଼ିକୁ ଉପାର୍ଜନ ଉପଯୋଗୀ କରି ଏକ ଲକ୍ଷ କୋଟି ଟଙ୍କାର ରାଜସ୍ବ ହାସଲ କରିବାକୁ ମଧ୍ୟ ଗଡ଼କରୀ ଲକ୍ଷ୍ୟ ରଖିଛନ୍ତି। ସେ କହିଛନ୍ତି ଯେ ଯଦି କୌଣସି ବିଦେଶୀ ନିବେଶକ ସଡ଼କ ନିର୍ମାଣ ପ୍ରକଳ୍ପରେ ଡଲାର ନିବେଶ କରିବାକୁ ଚାହିବେ ତେବେ ତାଙ୍କ ପାଇଁ ନୂଆ ବ୍ୟବସ୍ଥା କରିବାକୁ ମୁଁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର