ଓଡ଼ିଶା ଜିଏସ୍‌ଟି ଅଧିନିୟମରେ ସଂଶୋଧନ ପ୍ରସ୍ତାବ ମଞ୍ଜୁର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର: ଓଡ଼ିଶା ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଅଧିନିୟମ, ୨୦୧୭ରେ ସଂଶୋଧନ ଆଣିବା ସମ୍ପର୍କିତ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ନିୟମରେ ସଂଶୋଧନ ଆଣିବା ଲାଗି ଜିଏସ୍‌ଟି ପରିଷଦ ସୁପାରିସ କରିଥିଲା। ଏଥିପାଇଁ ଓଡ଼ିଶା ଜିଏସ୍‌ଟି (ସଂଶୋଧନ) ବିଧେୟକ, ୨୦୨୧ ଉପସ୍ଥାପନ କରାଯିବ। ଏହି ବିଧେୟକ ଜରିଆରେ ଓଡ଼ିଶା ଜିଏସ୍‌ଟି ଅଧିନିୟମ, ୨୦୧୭ର ୧୪ଟି ଧାରା ଓ ଅନୁସୂଚୀ-୨ର ପାରା-୭ରେ ସଂଶୋଧନ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରସ୍ତାବିତ ବିଧେୟକ ଦ୍ବାରା ପଞ୍ଜିକୃତ ଟିକସଦାତାମାନେ ଉପକୃତ ହେବେ ଓ କର ପ୍ରଶାସକମାନେ ଜିଏସ୍‌ଟି କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇ ପାରିବେ।

ଓଡ଼ିଶା ଜିଏସ୍‌ଟି ଅଧିନିୟମ ୨୦୧୭ରେ ସଂଶୋଧନ କରାଯିବା ପରେ ଜଣେ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଯିଏ ନିଜ ସଦସ୍ୟମାନଙ୍କୁ ନଗଦ କିମ୍ବା ଡେଫରଡ୍‌ ପେମେଣ୍ଟ୍ ବଦଳରେ ଦ୍ରବ୍ୟ କିମ୍ବା ସେବା‌ର କାରବାର କରୁଥିବେ ସେହି ବ୍ୟକ୍ତି ବା ଅନୁଷ୍ଠାନର ସଦସ୍ୟମାନେ ଭିନ୍ନ ପଞ୍ଜିକୃତ ବ୍ୟକ୍ତି ଭାବେ ପରିଗଣିତ ହେବେ ଓ ସେମାନଙ୍କ ଠାରୁ ଟିକସ ସଂଗ୍ରହ କରାଯିବ। ପଞ୍ଜିକୃତ ବ୍ୟକ୍ତିମାନଙ୍କ କାରବାର ଗୋଟିଏ ଆର୍ଥିକ ବର୍ଷରେ ଏକ ନିର୍ଦିଷ୍ଟ ସୀମାରୁ ଅଧିକ ହେଲେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ କିମ୍ବା କଷ୍ଟ ଆକାଉଣ୍ଟାଣ୍ଟ୍‌ଙ୍କ ଦ୍ବାରା ତାଙ୍କ ହିସାବର ଅଡିଟ୍ କରିବା ସହ ଅଧିନିୟମର ଧାରା ୩୫(୫) ଅନୁସାରେ ଦାଖଲ କରିବାକୁ ପଡ଼ୁଥିବା ଦସ୍ତାବିଜ ଆଉ ଦାଖଲ କରିବାକୁ ପଡ଼ିବନି। ସ୍ବ-ପ୍ରମାଣିକୃତ ବ୍ୟବସ୍ଥା ଜରିଆରେ ପଞ୍ଜିକୃତ ବ୍ୟକ୍ତିମାନେ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବେ। କିଛି ନିର୍ଦି‌ଷ୍ଟ ଶ୍ରେଣୀର ଲୋକମାନଙ୍କୁ ବାର୍ଷିକ ରିଟର୍ଣ୍ଣ ଦାଖଲରୁ ଅବ୍ୟାହତି ଦେବାର କ୍ଷମତା କମିସନରଙ୍କ ପାଖରେ ରହିବ। ଠକି କରି, ଜାଣିଶୁଣି ମିଥ୍ୟା ତଥ୍ୟ ପ୍ରଦାନ କରିବା, କମ୍ ମାତ୍ରାରେ ପ୍ରଦତ୍ତ/ଭୁଲକ୍ରମେ ଫେରସ୍ତ ଟିକସ, ଭୁଲ ଭାବେ ହାସଲ କରିଥିବା ଇନକମ୍ ଟ୍ୟାକ୍ସ କ୍ରେଡିଟ୍‌ର ହିସାବକୁ ସରଳ କରିବା ତଥା ପରିବହନ ହେଉଥିବା ଦ୍ରବ୍ୟ ଓ ଯାନର ତଲାସ ଓ ତାହାକୁ ଜବତ କରିବା ଲାଗି ଏକ ଭିନ୍ନ ପ୍ରକ୍ରିୟା ଆରମ୍ଭ କରିବାର ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର