ଭାରତକୁ ଜାତିସଂଘରେ ସମାଲୋଚନା ମହଙ୍ଗା ପଡ଼ିବ, ତୁର୍କୀ, ମାଲେସିଆରୁ ଆମଦାନି କମିବ!

ନୂଆଦିଲ୍ଲୀ/ମୁମ୍ବାଇ: କଶ୍ମୀର ପ୍ରସଙ୍ଗରେ ଜାତିସଂଘର ସାଧାରଣ ଅଧିବେଶନରେ ଭାରତକୁ ସମାଲୋଚନା କରିବା ତୁର୍କୀ ଏବଂ ମାଲେସିଆ ପାଇଁ ମହଙ୍ଗା ପଡ଼ିପାରେ। ଉକ୍ତ ଘଟଣା ପରେ ଏହି ଦୁଇ ଦେଶରୁ ଭାରତ ଆମଦାନି ହ୍ରାସ କରିବା ବିଷୟରେ ବିଚାର କରୁଛି। ମାଲେସିଆରୁ ଭାରତ ପାମ୍ ଅଏଲ ଆମଦାନିକୁ ସୀମିତ ରଖିବା ସହିତ ଅନ୍ୟାନ୍ୟ ସାମଗ୍ରୀର ଆମାଦନି ଉପରେ ମଧ୍ୟ କଟକଣା ଲାଗୁ କରିବା ଉପରେ ବିଚାର କରୁଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିଚାର ବିମର୍ଶ ଚାଲିଥିବା କୁହାଯାଇଛି। ବାଣିଜ୍ୟ କଟକଣା ଜାରି କରି ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦଙ୍କୁ ଭାରତ ଏକ ଦୃଢ଼ ବାର୍ତ୍ତା ଦେବାକୁ ଚାହୁଛନ୍ତି। ଭାରତ ବିଶ୍ବର ଏକ ବୃହତ୍ ଖାଇବା ତେଲ ଆମଦାନିକାରୀ ରାଷ୍ଟ୍ର। ତେବେ ଭାରତ ଆମଦାନି କରୁଥିବା ମୋଟ ଖାଇବା ତେଲ ମଧ୍ୟରୁ ପାମ୍ ଅଏଲ୍‌ର ଭାଗ ପ୍ରାୟ ଦୁଇ ତୃତୀୟାଂଶ। ଭାରତ ବର୍ଷକୁ ପ୍ରାୟ ୯ ନିୟୁତ ଟନ୍‌ରୁ ଅଧିକ ପାମ୍ ଅଏଲ ପ୍ରତିବର୍ଷ ଇଣ୍ଡୋନେସିଆ ଏବଂ ମାଲେସିଆରୁ ଆମଦାନି କରିଥାଏ। ୨୦୧୯ ମସିହାର ପ୍ରଥମ ୯ ମାସରେ ଭାରତ ମାଲେସିଆଠାରୁ ସବୁଠୁ ଅଧିକ ପାମ୍ ଅଏଲ୍ ଆମଦାନି କରିଛି। ତେଣୁ ମାଲେସିଆ ପରିବର୍ତ୍ତେ ଇଣ୍ଡୋନେସିଆ, ଆର୍ଜେଣ୍ଟିନା ଏବଂ ୟୁକ୍ରେନରୁ ଭାରତ ପାମ୍ ଅଏଲ୍ ଆମଦାନି ଉପରେ ବିଚାର କରୁଛି। ତେବେ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟର ଜଣେ ପ୍ରବକ୍ତା ଏହା ଉପରେ ମତାମତ ଦେବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି ବିଚାରାଧୀନ ଥିବା ବିଷୟ ଉପରେ ମନ୍ତ୍ରାଳୟ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ପାରିବ ନାହିଁ। ଅନ୍ୟପକ୍ଷରେ ମାଲେସିଆ ପ୍ରଧାନମନ୍ତ୍ରୀ କହିଛନ୍ତି, ଏ ସମ୍ପର୍କରେ ସେ ଭାରତ ସରକାରଙ୍କଠାରୁ କିଛି ସୂଚନା ପାଇନାହାନ୍ତି। ଏହି ଖବରର ପ୍ରଭାବ ମାଲେସିଆରେ ପାମ୍‌ ଅଏଲର ଫ୍ୟୁଚର ଟ୍ରେଡିଂ ମୂଲ୍ୟ ଉପରେ ପଡ଼ିଛି। ୫ ଦିନ ଧରି ବୃଦ୍ଧି ପାଉଥିଲେ ମଧ୍ୟ ଶୁକ୍ରବାର ଏହାର ମୂଲ୍ୟ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର