କଟକର ୩ କଣ୍ଟେନମେଣ୍ଟ ଜୋନରୁ ୪୦୪ କରୋନା ପଜିଟିଭ୍‌: ସିଏମ୍‌ସି କମିସନର

ଭୁବନେଶ୍ୱର: କଟକ ସହରର ୩ଟି କଣ୍ଟେନମେଣ୍ଟ ଜୋନରୁ ୪୦୪ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବେହେରା ସାହିରେ ୧୨୦୦ ଲୋକ ରହୁଥିବା ବେଳେ ଏଠାରୁ ୬୮୯ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି। ଏଥିରୁ ୨୮୦ ଜଣଙ୍କର ନମୁନା ପଜିଟିଭ ଆସିଛି। ତେଲୁଗୁ ସାହିରେ ୩୪୫ ଜଣଙ୍କ ମଧ୍ୟରୁ ୨୧୨ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିଲା। କିନ୍ତୁ ୮୧ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ସେହିପରି ଜଲୁଆ ସାହିରୁ ୬୨ ଜଣଙ୍କର ନମୁନା ସଂଗ୍ରହ କରିଥିବା ବେଳେ ୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଏମ୍‌ସି କମିସନର ଅନନ୍ୟା ଦାସ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

ସିଏମ୍‌ସି କମିସନର ଶ୍ରୀମତୀ ଦାସ କହିଛନ୍ତି, ପୂରା ସହରରେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି। ଟେଷ୍ଟିଂ ସଂଖ୍ୟା ବଢ଼ିଛି। ଆଗାମୀ ଦିନରେ ଏହା ଆହୁରି ବଢ଼ାଇବାର ଯୋଜନା ରଖାଯାଇଛି। କଟକ ଏକ ପୁରୁଣା ସହର ହୋଇଥିବାରୁ ଏଠାରେ ଅଧିକାଂଶ ସାହିବସ୍ତି ଅଛି। ତେଣୁ ସାହି ଓ ବସ୍ତି ଅଚଂଳରେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି।

କଟକ ସହରର ମାଲଗୋଦାମ ନିକଟ ବେହେରା ସାହି କଣ୍ଟେନମେଣ୍ଟ ଜୋନରେ କିଛି ଦିନ କରୋନା ପଜିଟିଭ ସଂଖ୍ୟା ବଢ଼ିଛି। ସେହିପରି ତେଲୁଗୁ ସାହି ଓ ଜଲୁଆ ସାହିକୁ ମଧ୍ୟ କଣ୍ଟେନମେନ ଜୋନ କରାଯାଇଛି। କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନରେ ଟେଷ୍ଟିଂ ବଢ଼ାଯାଇଛି।

ମାଲଗୋଦାମରେ ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମାଲଗୋଦାମରେ କରୋନା ନିୟନ୍ତ୍ରଣକୁ ଆସୁଛି। ଲୋକେ ଜିନିଷପତ୍ର କିଣିବା ପାଇଁ ନିଜର ଘର ପାଖରେ ଥିବା ଦୋକାନକୁ ବାଛନ୍ତୁ ବୋଲି ଶ୍ରୀମତୀ ଦାସ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର