ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ବଡ଼ଭାଇ ମହିନ୍ଦା ରାଜପକ୍ଷେଙ୍କୁ ଶପଥପାଠ କରାଇଲେ ସାନଭାଇ ରାଷ୍ଟ୍ରପତି ଗୋତବାୟ ରାଜ‌ପକ୍ଷେ

କଲମ୍ବୋ: ଜାତୀୟ ରାଜଧାନୀ କଲମ୍ବୋର ଉପନଗରୀ କେଲାନିୟାରେ ଥିବା ରାଜମାହା ବିହାରାୟ ନାମକ ଏକ ବୌଦ୍ଧ ମନ୍ଦିରରେ ରବିବାର ଦିନ ଚତୁର୍ଥ ଥର ମହିନ୍ଦା ରାଜପକ୍ଷେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଟୁଇଟ୍‌ କରି ସେ ଲେଖିଛନ୍ତି, ଜନତାଙ୍କ ସେବା ନିମନ୍ତେ ପୁଣି ଥରେ ସୁଯୋଗ ଦିଆଯାଇଥିବାରୁ ମୁଁ ବାଧିତ। ଶ୍ରୀଲଙ୍କାବାସୀଙ୍କ ବିଶ୍ବାସ ମତେ ମୋ ଦେଶର ସେବା ପାଇଁ ପ୍ରେରଣା ଦେବ।

ଶ୍ରୀଲଙ୍କା ପିପୁଲ୍‌ସ୍ ପାର୍ଟିର ଏହି ୭୪ ବର୍ଷିୟ ନେତାଙ୍କୁ ଶପଥ ପାଠ କରାଇଥିଲେ ତାଙ୍କର ସାନଭାଇ ତଥା ରାଷ୍ଟ୍ରପତି ଗୋତବାୟ ରାଜ‌‌ପକ୍ଷେ।

ଅଗଷ୍ଟ ୫ ତାରିଖ ଦିନ ମହିନ୍ଦାଙ୍କ ନେତୃତ୍ବରେ ଶ୍ରୀଲଙ୍କା ପିପୁଲ୍‌ସ୍ ପାର୍ଟି ଦୁଇ ତୃତୀୟାଂଶ ସଂଖ୍ୟଗରିଷ୍ଠତା ପାଇ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିଲା। ମହିନ୍ଦା ୫ ଲକ୍ଷରୁ ଅଧିକ ଇଣ୍ଡିଭିଜୁଆଲ୍ ପ୍ରିଫରେନ୍ସ୍ ଭୋଟ୍‌ ହାସଲ କରି ନିର୍ବାଚନରେ ରେକର୍ଡ କରିଛନ୍ତି।

Image Courtesy of Zee News

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫୋନ୍ କରି ମହିନ୍ଦାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଉତ୍ତରରେ ମହିନ୍ଦା କହିଥିଲେ, ଅଭିନନ୍ଦନୀୟ ଫୋନ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶ୍ରୀଲଙ୍କାବାସୀଙ୍କୁ ଦୃଢ଼ ସମର୍ଥନରେ ଦୁଇ ଦେଶ ମଧ୍ୟରେ ଦୀର୍ଘସ୍ଥାୟୀ ସହଯୋଗ ଆହୁରି ବଢ଼ାଇବା ନିମନ୍ତେ ମୁଁ ଆପଣଙ୍କ ସହ ଆହୁରି ନିକଟତର ହୋଇ କାମ କରିବି।

 

ସମ୍ବନ୍ଧିତ ଖବର