ବ୍ୟାଙ୍କ ପରିସରରୁ ୨୭ ଲକ୍ଷ ଲୁଟ୍‌

ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ
ଜଗତପୁର ଥାନାରୁ ଦୁଇ ଶହ ମିଟର ଦୂରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

କଟକ-ଜଗତପୁର : ଜଣେ ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ଭୁଜାଲିରେ ହାଣି ଦୁର୍ବୃତ୍ତ ଲୁଟି ନେଇଛନ୍ତି ୨୭ ଲକ୍ଷ ଟଙ୍କା। ଘଟଣା ଘଟିଛି ଜଗତପୁର ଥାନାଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ଥିବା ଆହ୍ଲାବାଦ୍‌ ବ୍ୟାଙ୍କ ପରିସରରେ। ଆଜି ଅପରାହ୍ନ ୩ଟା ସମୟରେ ଜଗତପୁର ମୁଖ୍ୟ ରାସ୍ତାରେ ଘଟିଥିବା ଏଭଳି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୋଟିଏପଟେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ କରି ପୁଲିସକୁ ଖୋଲା ଚାଲେଞ୍ଜ ଦେଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସର ଉଦ୍ୟମ କିନ୍ତୁ ସଫଳ ହୋଇପାରି ନାହିଁ।

ସୂଚନା ଅନୁଯାୟୀ ଜଗତପୁର ତରୋଳସ୍ଥିତ ଶ୍ରୀ ଦୁର୍ଗା କନ୍‌ଡେଭ୍‌ ନାମକ ଏକ ଘରୋଇ ନିର୍ମାଣକାରୀ ସଂସ୍ଥାର କର୍ମଚାରୀ ନଳିନୀକାନ୍ତ ତ୍ରିପାଠୀ ଆଜି ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ। ସେ କାର୍‌ରେ ପ୍ରଥମେ ଜଗତପୁର ଷ୍ଟେଟବ୍ୟାଙ୍କ ଶାଖାକୁ ଯାଇ ୯ ଲକ୍ଷ ଟଙ୍କା ଉଠାଇଥିଲେ। ପରେ ଜଗତପୁରର ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଶାଖାକୁ ଯାଇ ସେଠାରୁ ବି ୯ ଲକ୍ଷ ଟଙ୍କା ଉଠାଇଥିଲେ। ଶେଷରେ ଆହ୍ଲାବାଦ୍‌ ବ୍ୟାଙ୍କ ଶାଖାକୁ ଆସି ସେଠାରୁ ଆଉ ୯ ଲକ୍ଷ ଟଙ୍କା ଉଠାଇଥିଲେ। ଶ୍ରୀ ତ୍ରିପାଠୀ ମୋଟ ୨୭ ଲକ୍ଷ ଟଙ୍କା ଏକ ବ୍ୟାଗରେ ଧରି ବ୍ୟାଙ୍କର ଉପର ମହଲାରୁ ତଳ ମହଲାକୁ ଆସୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ସିଡ଼ି ଉପରେ ଛକି ରହି ତାଙ୍କୁ ଆକ୍ରମଣ କରିଥିଲେ। ଧସ୍ତାଧସ୍ତି କରି ବ୍ୟାଗ୍‌ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ନଳିନୀଙ୍କ ମୁହଁକୁ ମୁଥ ଦେବା ସହ ଏକ ଭୁଜାଲିରେ ମୁଣ୍ଡକୁ ଚୋଟ ଦେବାକୁ ଉଦ୍ୟମ କରିଥିଲେ। ନଳିନୀ ହାତ ଦେଖାଇ ଦେବାରୁ ତାଙ୍କ ବାମ ହାତରେ ଗଭୀର କ୍ଷତ ହୋଇଥିଲା। ସେ ତଳେ ପଡି ଯାଇଥିଲେ। ନଳିନୀଙ୍କ ପାଟି ଶୁଣି ବ୍ୟାଙ୍କର କର୍ମଚାରୀ ଓ ଗ୍ରାହକ ସେଠାରେ ପହଞ୍ଚିଲା ବେଳକୁ ଦୁଇ ଦୁର୍ବୃତ୍ତ ୨୭ ଲକ୍ଷ ଟଙ୍କା ଥିବା ବ୍ୟାଗକୁ ଛଡ଼ାଇ ନେଇ ସେଠାରୁ ଫେରାର ହୋଇଯିବାରେ ସଫଳ ହୋଇଥିଲେ। ଘଟଣା ସଂପର୍କରେ ଖବର ପାଇ ଜଗତପୁର ଥାନା ପୁଲିସ ସେଠାରେ ପହଞ୍ଚିବା ସହ ଆହତ ନଳିନୀଙ୍କୁ ଚିକିତ୍ସା ପାଇଁ ନେଇଥିଲା। ଅନ୍ୟପଟେ ଆହ୍ଲାବାଦ୍‌ ବ୍ୟାଙ୍କ ଶାଖା ବାହାରେ କୌଣସି ସିସି କ୍ୟାମେରା ଲାଗି ନଥିବାରୁ ଏବେ ଦୁର୍ବୃତ୍ତଙ୍କ ଚେହେରା ସଂପର୍କରେ ଧାରଣା କରିବା ସମସ୍ୟା ହୋଇଛି।

ସୂଚନା ଅନୁଯାୟୀ ଏହି ସଂସ୍ଥାଟି ଶିଳ୍ପ ପତି ପ୍ରମୋଦ ରଥଙ୍କର ହୋଇଥିବା ବେଳେ ଶ୍ରୀ ତ୍ରିପାଠୀ ତାଙ୍କ ସଂସ୍ଥାରେ ୧୮ ବର୍ଷ ହେଲା କାମ କରି ଆସୁଛନ୍ତି। ଜଗତପୁର ଅଞ୍ଚଳରେ ଗଲା କିଛି ମାସ ଭିତରେ ଆଇନଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇ ପଡିଛି। ଦୁଇ ଦିନ ତଳେ ଟେଣ୍ଡର ପାଇଁ ଗୁଳି ମାଡ଼ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଲଗାତର ଭାବେ ଚୋରି, ଲୁଟ୍‌, ଛିନ୍‌ତାଇ ଘଟଣା ଘଟି ଚାଲିଛି। ଗଲା ୩ ମାସ ଭିତରେ ଏଭଳି ୮ଟି ଚୋରି, ଡକାୟତି ଘଟଣା ଘଟିଲାଣି। ପୁଲିସ୍‌ ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହୋଇ ପାରୁ ନଥିବାରୁ ପରିସ୍ଥିତି ଅଧିକ ବିଗୁଡୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର