ଅପମିଶ୍ରିତ ମସଲା କାରଖାନା ଠାବ; ୫ କ୍ବିଣ୍ଟାଲ୍‌ କଞ୍ଚାମାଲ୍‌ ଜବତ, କାରଖାନା ସିଲ୍‌, ମାଲିକ ଅଟକ

ବୟାଳିଶମୌଜା: କଟକରେ ପୁଣି ଏକ ନକଲି ମସଲା କାରଖାନା ଠାବ କରାଯାଇଛି। ପୁଲିସ ଓ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ୪୨ ମୌଜା ଅଞ୍ଚଳରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଅପମିଶ୍ରିତ ମସଲା ଜବତ କରାଯିବା ସହ ଏଥିପାଇଁ ବ୍ୟବହାର କରାଯାଉଥିବା କଞ୍ଚାମାଲ୍‌ ଓ ମେସିନ୍‌ ଜବତ କରାଯାଇଛି। କାରଖାନାକୁ ସିଲ୍‌ କରାଯାଇଥିବା ବେଳେ ଏହାର ମାଲିକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। କଟକ ସହରର ଜଗତପୁର, କଟକ ସଦର ପ୍ରଭୃତି ଅଞ୍ଚଳରେ ଅଧଡଜନ୍‌ରୁ ଅଧିକ ନକଲି ମସଲା କାରଖାନା ଠାବ ହୋଇଥିବା ବେଳେ ୪୨ମୌଜା ଅଞ୍ଚଳରେ ଏକ ଅପମିଶ୍ରିତ ମସଲା ପ୍ରସ୍ତୁତ କରୁଥିବା କାରଖାନା ଚାଲିଥିବା ନେଇ ପୁଲିସ ଓ ଖାଦ୍ୟ ନିରାପତ୍ତା‌ ବିଭାଗକୁ ଖବର ମିଳିଥିଲା। ଗତକାଲି ସଂଧ୍ୟାରେ ୪୨ମୌଜା ଥାନା ପୁଲିସ ଓ ଖାଦ୍ୟ ନିରାପତ୍ତା ଟିମ୍‌ ମିଳିତ ଭାବେ ୪୨ ମୌଜା ଦିବାଟିଠାରେ ଥିବା କୋଣାର୍କ ମସଲା କାରଖାନା ଉପରେ ଚଢ଼ଉ କରିଥିଲା।

ଚଢ଼ଉ ବେଳେ ଚାଉଳଗୁଣ୍ତ ମିଶ୍ରିତ ଜିରା, ଲଙ୍କା ଓ ହଳଦୀ ପ୍ୟାକେଟ୍‌ ଜବତ କରାଯାଇଥିଲା। ଏଥି ସହିତ ୫ କ୍ବିଣ୍ଟାଲ୍‌ରୁ ଅଧିକ ପରିମାଣର କଞ୍ଚାମାଲ୍‌, ଚାଉଳ ଓ କେମିକାଲ୍‌ ରଙ୍ଗ ମଧ୍ୟ ଜବତ କରାଯାଇଥିଲା। ଚଢ଼ଉ ପରେ ଉକ୍ତ କାରଖାନାକୁ ସିଲ୍‌ କରି ଦିଆଯାଇଛି। ଏ ନେଇ ୪୨ ମୌଜା ଥାନାରେ ଏକ ମାମଲା (୨୭/୨୨) ରୁଜୁ କରାଯାଇ କାରଖାନାର ମାଲିକ ଅଜୟ ଦାସଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ସୂଚନାଯୋଗ୍ୟ, ମଧୁପାଟଣା ଥାନା କାଜିଡ଼ିହ ଅଞ୍ଚଳର ଅଜୟ ଦାସ(୫୦) ୮ବର୍ଷ ହେଲା ଏହି ସ୍ଥାନରେ ମସଲା କାରଖାନା କରି ଅପମିଶ୍ରିତ ମସଲା ତିଆରି କରି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଉଥିବା ପୁଲିସ ଜାଣିବାକୁ ପାଇଛି। ଆଜିର ଚଢ଼ଉ ବେଳେ ଖାଦ୍ୟ ନିରାପତ୍ତା ଅଧିକାରୀ ରାକେଶ କୁମାର ସାହୁ, ଏସିପି ଚନ୍ଦନ ଘଡ଼ାଇ ଓ ଆଇଆଇସି ଅନୀତା ସାହୁ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର