ଢେଙ୍କାନାଳ: ନିଖୋଜ ୭ମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ହିନ୍ଦୋଳ: ନିଖୋଜ ୭ମ ଶ୍ରେଣୀ ଛାତୀଙ୍କ ମୃତଦେହ ୧୩ ଦିନ ପରେ ଗୁରୁବାର ଉଦ୍ଧାର ହୋଇଛି। ରିପୋର୍ଟ ଅନୁସାରେ ପୁଲିସକୁ ଛାତ୍ରୀଙ୍କ ମୃତଦେହ ଗୋଠ ମୁଣ୍ଡିଆ ଠାରୁ ମିଳିଛି । ମୃତ ନାବାଳିକାକୁ କିଛି ଦୁର୍ବୃତ୍ତମାନେ ଅପହରଣ କରି ପରେ ହତ୍ୟା କରିଥିବା ପରିବାର ଲୋକ ଗୁରୁତର ଅଭିଯୋଗ ଆଣିଛନ୍ତିା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସେମାନେ ଅଭିଯୁକ୍ତଙ୍କୁ ଗରିଫ କରିବା ଓ ପୀଡ଼ିତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବିରେ ରାସ୍ତାରୋକ କରିଛନ୍ତି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ହିନ୍ଦୋଳ ଏନଏସି ଅନ୍ତର୍ଗତ ରାଜମୋହନପୁର ଗ୍ରାମର କେଶବ ବେହେରାଙ୍କ ଝିଅ ସୋନାଲି ସକାଳ ଗତ ଡିସେମ୍ବର ୨୩ ସାଢେ ୭ଟାରେ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଏହି ଘଟଣାକୁ ନେଇ ଛାତ୍ରୀଙ୍କ ମା’ ଗୀତାରାଣୀ ବେହେରା ହିନ୍ଦୋଳ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାରେ ତଦନ୍ତ କରିବା ସହ ସନ୍ଧାନୀ କୁକୁର ଡକାଇ ଗ୍ରାମର କିଛି ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା ମଧ୍ୟ କରିଥିଲା । ତେବେ ସମ୍ପୃକ୍ତ ଛାତ୍ରୀଙ୍କ କୌଣସି ସନ୍ଧାନ ମିଳି ପାରି ନଥିଲା । ମାତ୍ର ଆଜି ହଠାତ ଅପରାହ୍ନରେ ଛାତ୍ରୀଙ୍କର ମୃତଦେହ ଗ୍ରାମ ନିକଟସ୍ଥ ଗୋଠମୁଣ୍ଡିଆ ପାହାଡରେ ପଡିଥିବା ଦେଖିବାକୁ ପାଇ ଗ୍ରାମର କିଛି ବ୍ୟକ୍ତି ପୁଲିସକୁ ଖବର ଦେଇଥିଲେ ।

ହିନ୍ଦୋଳ ଥାନାଧିକାରୀ ଯୁଗଳ କିଶୋର ଦାସ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ହିନ୍ଦୋଳ ଡାକ୍ତରଖାନାକୁ ଆଣିବାକୁ ଯିବାବେଳେ ଗ୍ରାମବାସୀ ରାସ୍ତାରୋକ କରି ଅଟକାଇଥିଲେ । ଖବର ଲେଖାହେବା ସୁଦ୍ଧା ଗ୍ରାମବାସୀ ରାସ୍ତାରୋକ କରି ଅଭିଯୁକ୍ତୁଙ୍କୁ ତୁରନ୍ତ ଗିରଫ କରିବା ଏବଂ କ୍ଷତିପୂରଣ ଦାବି କରିିଛନ୍ତି ।

ସମ୍ବନ୍ଧିତ ଖବର