ନବଜାତ ଶିଶୁକନ୍ୟା ମୁଣ୍ଡରେ ବିରାଟ ମାଂସପିଣ୍ଡୁଳା, ଅର୍ଥାଭାବ ଯୋଗୁଁ କଟକ ନେଇପାରିଲେନି ପରିବାରବର୍ଗ

ପାତ୍ରପୁର : ପାତ୍ରପୁର ବ୍ଲକ୍ ଆଦିବାସୀଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ ଚରିଆବାଡ଼ ଗ୍ରାମର ଉପେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଲଳିତା ପ୍ରଧାନ (୨୯) ଗତ ଶୁକ୍ରବାର ରାତିରେ ଏକ ଶିଶୁକନ୍ୟାକୁ ଘରେ ଜନ୍ମ ଦେଇଥିଲେ। ତେବେ ଏହି ନବଜାତ ଶିଶୁକନ୍ୟାର ମୁଣ୍ଡରେ ବିରାଟ ମାଂସପିଣ୍ଡୁଳା ବାପାମାଆଙ୍କ ଚିନ୍ତା ବଢ଼ାଇଦେଇଛି। ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ବି ନାହିଁ। ନବଜାତ ଝିଅକୁ ଚିକିତ୍ସା ପାଇଁ ଉପେନ୍ଦ୍ର ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡଙ୍ଗାରେ ବାଘଲଟି ଜଳଭଣ୍ଡାର ପାର ହେବାପରେ ଅଟୋ ଯୋଗେ ସେ ଡାକ୍ତରଖାନାରେ ପହଞ୍ଚିଥିଲେ। କିନ୍ତୁ ଡାକ୍ତର ମଧ୍ୟ ‌ଏତେବଡ଼ ମାଂସପିଣ୍ଡୁଳା ଦେଖି ଅବାକ୍ ହୋଇଯାଇଥିଲେ। ଫଳରେ ଉପେନ୍ଦ୍ର ପୁଣି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଆସିଥିଲେ। ହେଲେ ଡାକ୍ତର କଟକ ଯିବା ପାଇଁ ପରାମର୍ଶ ଦେଇଥିଲେ। ଅର୍ଥାଭାବ ଯୋଗୁଁ ଉପେନ୍ଦ୍ର ନିରୁପାୟ ହୋଇ ଝିଅକୁ ଧରି ଘରକୁ ଫେରିଥିବା ଜଣାପଡ଼ିଛି। ଏନେଇ ଆଶାକର୍ମୀ ସୂଚନା ଦେଇଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଓ ପ୍ରଶାସନ ମୋତେ ସହାୟ ହୁଅନ୍ତୁ ବୋଲି ଉପେନ୍ଦ୍ର କୋହଭରା ନିବେଦନ କରିଛନ୍ତି।
ସମ୍ବନ୍ଧିତ ଖବର